15.1 C
Bhubaneswar
Monday, February 9, 2026
Homeଓଡିଶାସମ୍ ହସ୍ପିଟାଲ କ୍ୟାମ୍ପସ – ୨ ପକ୍ଷରୁ ପିଙ୍କ ଅକ୍ଟୋବର କ୍ୟାମ୍ଫେନ୍ ଉଦ୍‌ଯାପିତ

ସମ୍ ହସ୍ପିଟାଲ କ୍ୟାମ୍ପସ – ୨ ପକ୍ଷରୁ ପିଙ୍କ ଅକ୍ଟୋବର କ୍ୟାମ୍ଫେନ୍ ଉଦ୍‌ଯାପିତ

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ-୨ ଫୁଲନଖରାରେ ଦୀର୍ଘ ଏକ ମାସ ଧରି ଜାରି ରହିଥିବା ପିଙ୍କ ଅକ୍ଟୋବର କ୍ୟାମ୍ପେନ୍ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ହସ୍ପିଟାଲ୍‌ର ସର୍ଜିକାଲ୍ ଅଙ୍କୋଲୋଜି, କମ୍ୟୁନିଟି ମେଡିସିନ୍‌, ଏଣ୍ଡୋକ୍ରାଇନ୍ ସର୍ଜରୀ ବିଭାଗ ଏବଂ ଆସୋସିଏସନ୍ ଅଫ୍ ବ୍ରେଷ୍ଟ୍ ସର୍ଜନସ୍ ଅଫ୍ ଇଣ୍ଡିଆ (ଏବିଏସ୍‌ଆଇ)ର ମିଳିତ ଆନୁକୂଲ୍ୟରେ ଏହି ପିଙ୍କ୍ ଅକ୍ଟୋବର କ୍ୟାମ୍ପେନ୍‌ର ଆୟୋଜନ କରାଯାଇଥିଲା। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଚଳିତ ବର୍ଷର ପ୍ରସଙ୍ଗ ‘ଏଭ୍‌ରି ଷ୍ଟୋରୀ ଇଜ୍ ୟୁନିକ୍ ଆଣ୍ଡ ଏଭ୍‌ରି ଜର୍ନି ମ୍ୟାଟର୍‌ସ’ ଉପରେ ଆଲୋକପାତ କରାଯାଇଥିବା ବେଳେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହସ୍ପିଟାଲର ଡିନ୍ ପ୍ରଫେସର (ଡାକ୍ତର) ଅରକ୍ଷିତ ସ୍ୱାଇଁ ଯୋଗ ଦେଇ କହିଥିଲେ ଯେ ବର୍ତମାନ ସମୟରେ ସ୍ତନ କର୍କଟ ରୋଗ ଏକ ମୁଖ୍ୟ ସମସ୍ୟା ରୂପେ ଦେଖାଦେଇଛି। ସାଧାରଣତଃ ମହିଳାମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ବିଭିନ୍ନ ପ୍ରକାର କର୍କଟ ସମସ୍ୟା ମଧ୍ୟରେ ଏହାର ସ୍ଥାନ ଦ୍ୱିତୀୟ।

ଏହା ଏକ ମାରାତ୍ମକ ରୋଗ ହୋଇଥିବାବେଳେ ଏଥିରେ ମୃତ୍ୟୁହାରର ସଂଖ୍ୟା ମଧ୍ୟ ଅଧିକ। ଏକ ମାସ ବ୍ୟାପି ଚାଲିଥିବା ଏହି କ୍ୟାମ୍ପେନ୍ ପରିପ୍ରେକ୍ଷୀରେ ହସ୍ପିଟାଲ୍ ପରିସରରେ ବିଭିନ୍ନ ପ୍ରକାର ସଚେନତନତା ମୂଳକ କାର୍ଯ୍ୟକ୍ରମ ସହିତ ଏହାର ଆଖପାଖ ଅଂଚଳର ଲୋକମାନଙ୍କୁ ମଧ୍ୟ ସଚେତନ କରାଯାଇଥିଲା। ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନେ କିଭଳି ଏହି ବ୍ୟାଧିକୁ ନେଇ ଭୟଭୀତ ନ ହୋଇ ଏହାର ଲକ୍ଷଣ ବିଷୟରେ ଜାଣିବା ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ସହ ପ୍ରାରମ୍ଭିକ ଅବସ୍ଥାରୁ ଚିକିତ୍ସା ଆରମ୍ଭ କରିବେ ସେ ସମ୍ପର୍କରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ପ୍ରଫେସର ସ୍ୱାଇଁ କହିଥିଲେ। ଏହି ଅବସରରେ ଆଡିସ୍‌ନାଲ୍ ମେଡିକାଲ୍ ସୁପରିଟେଣ୍ଡେଂଟ ତଥା ସ୍ତ୍ରୀ ଓ ପ୍ରସୂତି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ତାପସୀ ପତି ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ସ୍ତନ କର୍କଟର ଲକ୍ଷଣ, ଚିକିତ୍ସା ଓ ଲୋକମାନଙ୍କ ମନରେ ଥିବା ଭୟାବହତାକୁ କିଭଳି ଦୂର କରାଯାଇପାରିବ ସେ ବିଷୟରେ ଆଲୋକପାତ କରିଥିଲେ।

ଏହି ଅବସରରେ ହସ୍ପିଟାଲ୍‌ର ଆଡିସ୍‌ନାଲ୍ ଡିନ୍ ପ୍ରଫେସର (ଡାକ୍ତର) ରାଜେଶ କୁମାର ସେଟ୍ଟୀ, ସର୍ଜିକାଲ୍ ଅଙ୍କୋଲୋଜି ବିଭାଗର ମୁଖ୍ୟ ଡାକ୍ତର ପଦ୍ମାଳୟା ଦେବୀ, ଗାଇନୋକୋଲୋଜିକାଲ୍ ଅଙ୍କୋଲୋଜି ବିଭାଗର ମୁଖ୍ୟ ଡାକ୍ତର ଜିତା ପରିଜା ମଧ୍ୟ ବକ୍ତବ୍ୟ ପ୍ରଦାନ ରଖିଥିଲେ। କାର୍ଯ୍ୟକ୍ରମରେ ପୂର୍ବରୁ ବିଭିନ୍ନ ପ୍ରକାର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ସ୍ତନ କର୍କଟ ସଚେତନତା ଏବଂ ସମାଜରେ ସ୍ୱାସ୍ଥ୍ୟ ସେବାକୁ ତ୍ୱରାନିତ୍ୱ କରିବା ସହ କର୍କଟ ବିରୋଧରେ ଲଢେଇ କରିବା ନିମନ୍ତେ ଉତ୍ସର୍ଗୀକୃତ ମନୋଭାବ ପୋଷଣ କରିବା ନିମନ୍ତେ ଛାତ୍ରଛାତ୍ରୀ, ଫ୍ୟାକଲ୍ଟି ଓ ଡାକ୍ତରମାନଙ୍କ ଦ୍ୱାରା ଏକ ସଚେତନତାମୂଳକ ୱାକାଥନ ମଧ୍ୟ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ସର୍ଜିକାଲ୍ ଅଙ୍କୋଲଜି ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ଗାରିମା ସରାଓଗି ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିବା ବେଳେ ଆସୋସିଏଟ୍ ପ୍ରଫେସର (ଡାକ୍ତର) ପ୍ରତୀକ୍ ଗୌତମ ଏକ ଅନ୍‌ଲାଇନ୍ କୁଇଜ୍ ପରିଚାଳନା କରିଥିଲେ। ଶେଷରେ ଆସୋସିଏଟ୍ ପ୍ରଫେସର (ଡାକ୍ତର) ତୁଷାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking