ଭୁବନେଶ୍ୱର: ଟ୍ୟାକ୍ସି ଡ୍ରାଇଭର ମୃତଦେହ ମିଳିବା ଘଟଣାରେ ଆସିଲା ଟ୍ବିଷ୍ଟ୍। ବିଦ୍ୟାଧରଙ୍କ ହତ୍ୟା କରାଯାଇନଥିଲେ ସେ ଚାପରେ ରହି ଆତ୍ମହତ୍ୟା କରିଥିବା ନେଇ ହୋଇଛି ବଡ ଖୁଲାସା। ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁ ଅପହରଣକାରୀଙ୍କ ଘରେ ଆତ୍ମହତ୍ୟା କରିଥିବା ନେଇ ତଦନ୍ତ ପରେ ଆସିଲା ନୂତନ ସୂଚନା। ଟଙ୍କା ପାଇବା ପାଇଁ ବିଦ୍ୟାଧରଙ୍କୁ ଅପହରଣ କରିଥିଲେ ୩ ଯୁବକ। ଚାକିରି ଦେବାକୁ କହି ଏକାଧିକ ଲୋକଙ୍କ ଠାରୁ ଟଙ୍କା ନେଇଥିଲେ ବିଦ୍ୟାଧର। ଟଙ୍କା ନେଇ ଦେଉଥିଲେ ଜାଲ ନିଯୁକ୍ତି ପତ୍ର। ଟଙ୍କା ଦେଇଥିବା ଯୁବକ ଠକେଇର ଶିକାର ହୋଇଥିବା ଜାଣିବା ପରେ ବିଦ୍ୟାଧରଙ୍କୁ ଟଙ୍କା ଫେରସ୍ତ ମାଗିଥିଲେ।ଟଙ୍କା ନ ପାଇବାରୁ ଗତ ୧୫ ତାରିଖରେ ଅପହରଣ କରି ନେଇଥିଲେ ୩ ଯୁବକ । ଅପହରଣ ପରେ ୨ କୋଟି ଟଙ୍କା ଦାବି କରିବା ସହ ଯାଜପୁର ଅଞ୍ଚଳରେ ଏକ ଘରେ ଅଟକ ରଖିଥିଲେ। ଘରେ ଅଟକ ରହିଥିବା ସମୟରେ ସେଠାରୁ ଖସି ନ ପାରିବା ଓ ନେଇଥିବା ଟଙ୍କା ଫେରସ୍ତ କରି ନକରିପାରିବା ଚାପରେ ବିଦ୍ୟାଧର ଆତ୍ମହତ୍ୟା କରିଥିଲେ।
ନିଜ ପାଖରେ ଥିବା ଧଳା ଗାମୁଛାରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ। ଅପହରଣକାରୀମାନେ ଯେତେବେଳେ ବିଦ୍ୟାଧରଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଲେ ହଡବଡେଇ ଯାଇଥିଲେ । ଶେଷରେ ଅନ୍ୟ ଉପାୟ ନ ପାଇ ମୃତଦେହକୁ ଟ୍ୟାକ୍ସିରେ ଆଣି ଚନ୍ଦକା ଅଞ୍ଚଳରେ ଫୋପାଡି ଚାଲିଯାଇଥିଲେ। ପୁରା ଘଟଣାରେ ଟଙ୍କା ନେଇ ଫେରାର ଅଛନ୍ତି ଜଣେ ଯୁବତୀ, ଯାହାକୁ ଏହି ଘଟଣାର ମାଷ୍ଟରମାଇଣ୍ଡ ହୋଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ଯୁବତୀ ଜଣକ ଚାକିରି ଦେବାକୁ କହି କରୁଥିଲେ ଠକେଇ। ଗଢିଥିଲେ ଠକେଇ ଗ୍ୟାଙ୍ଗ। ଯାହାର ସଦସ୍ୟ ଥିଲେ ମୃତ ଟ୍ୟାକ୍ସି ଡ୍ରାଇଭର୍ ବିଦ୍ୟାଧର। ସୂଚନାଯୋଗ୍ୟ, ୫ଦିନ ଧରି ଅପହର୍ତ୍ତାଙ୍କ କବଳରେ ଥିବା ଟାକ୍ସି ଡ୍ରାଇଭର ଖୋର୍ଦ୍ଧା ବାଣପୁର ଅରାଙ୍ଗ ଗ୍ରାମର ବିଦ୍ୟାଧର ସାହୁ ଓରଫ ମଣ୍ଟୁ(୩୦)ଙ୍କ ମୃତଦେହ ଗତକାଲି ବାରଙ୍ଗ-ଚନ୍ଦକା ରାସ୍ତାରେ ଦାରୁଠେଙ୍ଗ ନିକଟରୁ ମିଳିଥିଲା।










