ଭୁବନେଶ୍ୱର: ପର୍ବର ମୁଖ୍ୟ ଆକର୍ଷଣ ହେଉଛି ଦୁର୍ଗାପୂଜା, ଯାହା ନବରାତ୍ରିର ଷଷ୍ଠ ଦିନରୁ ଆରମ୍ଭ ହୁଏ। ଏଥର ଷଷ୍ଠ ଦିନ ୨୮ ସେପ୍ଟେମ୍ବରରେ। ଏହି ଦିନଠାରୁ ଦୁର୍ଗା ପୂଜା ଆରମ୍ଭ ହୋଇ ପାଞ୍ଚ ଦିନ ଧରି ଚାଲିଥାଏ । ଏହି ସମୟ ମଧ୍ୟରେ ମହାଷଷ୍ଠୀ, ମହାସପ୍ତମୀ, ମହାଅଷ୍ଟମୀ, ମହାନବମୀ ଏବଂ ବିଜୟାଦଶମୀ ପର୍ବ ପାଳନ କରାଯାଇଥାଏ । ନବରାତ୍ରି ଘଟସ୍ଥାପନ ସହିତ ଆରମ୍ଭ ହୁଏ, ଯାହାକୁ ବହୁତ ଶୁଭ ବୋଲି ବିବେଚନା କରାଯାଏ।
ଧାର୍ମିକ ବିଶ୍ୱାସ ଅନୁଯାୟୀ, ପ୍ରତିବର୍ଷ ନବରାତ୍ରି ସମୟରେ ଦେବୀ ଦୁର୍ଗା ବିଭିନ୍ନ ସବାର ହୋଇ ଆସନ୍ତି। ଏଥର ମାତା ରାଣୀ ହାତୀ ଉପରେ ଚଢ଼ି ତାଙ୍କ ଭକ୍ତମାନଙ୍କ ଘରକୁ ଆସିବେ। ହାତୀ ଉପରେ ଚଢ଼ିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଏହାକୁ ସମୃଦ୍ଧି, ପ୍ରଗତି ଏବଂ ଶାନ୍ତିର ପ୍ରତୀକ ବୋଲି ବିବେଚନା କରାଯାଏ।
ଷଷ୍ଠୀ: ଅଧିବାସ, ବେଲ ବରଣ, ମା’ଙ୍କୁ ସ୍ୱାଗତ କରିବାକୁ ଯାଇ ଷଷ୍ଠୀ ପୂଜାରେ ବେଲବରଣୀ କରାଯାଏ । ବେଲଗଛ ପାଖରେ ଏହି ପୂଜା ସମ୍ପନ୍ନ କରାଯାଏ । ଶେଷରେ ରାତ୍ରୀ କାଳରେ ଦେବୀ ପ୍ରତିମାର ଚକ୍ଷୁରେ ରଙ୍ଗ ଦେଇ ଚକ୍ଷୁଦାନ ସମ୍ପନ୍ନ ହୁଏ ଓ ମନ୍ତ୍ରଦ୍ୱାରା ପ୍ରାଣ ପ୍ରତିଷ୍ଠା କରାଯାଏ ।
ସପ୍ତମୀ: ସପ୍ତମୀରେ ନବପତ୍ରିକା ପୂଜା କରାଯାଏ, ଯେଉଁ ଥିରେ କଦଳୀ, ସାରୁ, ମାଣସାରୁ, ହଳଦୀ, ଅଶୋକ, ଡାଳିମ୍ବ, ବେଲ, ଜୟନ୍ତି ଓ ଧାନ ଏହି ନଅ ଜାତି ପତ୍ରଦ୍ୱାରା ଦୁର୍ଗାଙ୍କର ଗୋଟିଏ ମୁର୍ତ୍ତି ଗଠନ କରି ପୂଜା କରିବାର ବିଧି । ଏହା ପରେ ମହାସ୍ନାନ ବିଧି ସମ୍ପନ୍ନ ହୁଏ । ଚଣ୍ଡିପାଠହୋମ: ଦେବୀମାହାତ୍ମ୍ୟ (ମାର୍କଣ୍ଡେୟ ପୂରାଣାନ୍ତର୍ଗତ ଦୁର୍ଗାଙ୍କ ବିଷୟ ବର୍ଣ୍ଣନାତ୍ମକ ଗ୍ରନ୍ଥ) ଗ୍ରନ୍ଥର ଆବୃତ୍ତି ସହ ହୋମ ଓ ପୁଷ୍ପାଞ୍ଜଳୀ ପ୍ରଦାନ କରାଯାଏ ।
ଅଷ୍ଟମୀ: ଅଷ୍ଟମୀରେ ହୁଏ ମା’ଙ୍କ ମୂଖ୍ୟ ସନ୍ଧିପୂଜା । ମହାଷ୍ଟମୀର ଶେଷ ଦଣ୍ଡ ଓ ମହାନବମୀର ଆଦ୍ୟ ଦଣ୍ଡର ମଧ୍ୟକାଳୀନ ସମୟକୁ ସନ୍ଧି ସମୟ କୁହାଯାଏ । ଶାସ୍ତ୍ର ବିଧି ଅନୁସାରେ ଶାରଦୀୟ ଓ ବାସନ୍ତୀ ଦୁର୍ଗାପୂଜାରେ ଏହି ସନ୍ଧି କାଳହିଁ ଦେବୀଙ୍କୁ ବଳି ଦେବର ପ୍ରଶସ୍ତ ସମୟ । ଏହି ସମୟରେ ମା’ଙ୍କ ପାଖରେ ବଳି ଦିଆଯାଏ । ପୂର୍ବରୁ ଜୀବମାନଙ୍କୁ ବଳି ଦିଆଯାଉଥିଲା, ଆଜିକାଲି ଲାଉ, ପାଣିକଖାରୁ ଓ ବୋଇତିକଖାରୁ ବଳି ଦିଆଯାଉଛି । ଓଡ଼ିଶାରେ ଏହିଦିନ ମହିଳାମାନେ ଶାଢ଼ୀ, ଫେଣୀ ଇତ୍ୟାଦି ଆଣି ମା’ଙ୍କ ପାଖରେ ଭୋଗ କରିସାରିବା ପରେ ନୂଆ ବସ୍ତ୍ର ପରିଧାନ କରିଥାନ୍ତି ।
ନବମୀ: ନବମୀ ପୂଜାରେ ମା’ଙ୍କ ପୀଠରେ ମାଛ ଭୋଗ ହେଇଥାଏ।କଟକର ଅଲିଶାବଜାର, ଚାନ୍ଦିନୀ ଚୌକ ପ୍ରଭୃତି କେତେକ ପୂଜା କମିଟି ନବମୀ ପୂଜାରେ ବଡ଼ ଧରଣର ମାଛଭୋଗ କରିଥାନ୍ତି ।
ଦଶମୀ: ଘଟ ବିସର୍ଜନ ଓ ଭସାଣି । ଦଶମୀ ପୂଜା ମା’ଙ୍କ ଅନ୍ତିମ ପୂଜାର୍ଚ୍ଚନା ଅପରାଜିତା ପୂଜା ଏହି ଦିବସର ସ୍ୱାତନ୍ତ୍ର । ଓଡ଼ିଶାର କେତେକ ଅଞ୍ଚଳରେ ଅପରାଜିତା ଫୁଲରେ ମା’ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବାକୁ ଯାଇ ସାହିର ମହିଳାମାନେ ଝିଅ ବିଦାକଲା ଭଳି କାନ୍ଦବୋବାଳି କରିଥାନ୍ତି । ଏହା ସହିତ ମହିଳାମାନେ ସିନ୍ଦୁର ଖେଳ କରିଥାନ୍ତି । ଅନେକ ସ୍ଥାନରେ ସିନ୍ଦୁର ଖେଳ ପ୍ରତିଯୋଗିତା ହୁଏ । ଏହି ଦିବସର ପ୍ରମୁଖ ଭୋଗ ଦହି ପଖାଳ ।










