27.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶନେପାଳରେ ‘ସୁଶୀଳା’ ଶାସନ

ନେପାଳରେ ‘ସୁଶୀଳା’ ଶାସନ

ନେପାଳକୁ ମିଳିଲା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ
ଶପଥ ନେଲେ ସୁଶୀଳା କାର୍କି
୬ ମାସରେ ମଧ୍ୟରେ ଅନୁଷ୍ଠିତ ହେବ ନିର୍ବାଚନ: ରାଷ୍ଟ୍ରପତି

କାଠମାଣ୍ଡୁ : ଶେଷରେ ନେପାଳକୁ ମିଳିଛି ନୂଆ ପ୍ରଧାନମନ୍ତ୍ରୀ। ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ସୁଶୀଳା କାର୍କି ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ଏଥିସହ ସୁଶୀଳା କାର୍କି ନେପାଳର ପ୍ରଥମ ମହିଳା ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେବାର ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏହାପୂର୍ବରୁ ସେ ନେପାଳର ପ୍ରଥମ ମହିଳା ମୁଖ୍ୟ ବିଚାରପତି ହେବାର ମଧ୍ୟ ଗୌରବ ହାସଲ କରିଥିଲେ। ତେବେ ଶୁକ୍ରବାର ରାତିରେ ରାଷ୍ଟ୍ରପତି ଭବନ ଶୀତଲ ନିବାସରେ ରାଷ୍ଟ୍ରପତି ରାମଚନ୍ଦ୍ର ପାଉଡେଲ ତାଙ୍କୁ ଶପଥ ପାଠ କରାଇଛନ୍ତି। ତେବେ ବର୍ତ୍ତମାନ ସମୟ ପାଇଁ ଅନ୍ୟ କାହାକୁ ମନ୍ତ୍ରୀ କରାଯାଇନାହିଁ।

ନେପାଳରେ ଯୁବଗୋଷ୍ଠୀଙ୍କ ସରକାର ବିରୋଧୀ ହିଂସକ ବିକ୍ଷୋଭ ପ୍ରଦର୍ଶନ ପରେ କ୍ଷମତା ପରିବର୍ତ୍ତନ ହୋଇଥିଲା। ପରେ ସୁଶୀଳା କାର୍କିଙ୍କ ସହ ଆଉ କିଛି ନେତାଙ୍କ ନାମ ପ୍ରଧାନମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାକୁ ଆସିଥିଲେ ମଧ୍ୟ ଶେଷରେ ସୁଶୀଳାଙ୍କ ନାମରେ ମୋହର ବାଜିଥିଲା। ନେପାଳର ଯୁବପିଢ଼ି (ଜେନ୍‌-ଜେଡ୍‌), ସେନାବାହିନୀ, ରାଷ୍ଟ୍ରପତିଙ୍କ ମିଳିତ ବୈଠକରେ ସୁଶୀଳାଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ମିଳିତ ସମର୍ଥନ ସହକାରେ ସୁଶୀଳା କାର୍କି ଆଜି ଶପଥ ଗ୍ରହଣ କରିଛନ୍ତି। ସୁଶୀଳା କାର୍କି ନେପାଳର ପ୍ରଥମ ମହିଳା ମୁଖ୍ୟ ବିଚାରପତି ଭାବେ ଦୀର୍ଘ ସମୟ ଧରି ଦାୟିତ୍ୱ ନିର୍ବାହ କରିଆସିଛନ୍ତି। ସେ ଜଣେ ଭ୍ରଷ୍ଟାଚାର ତଥା ଦୁର୍ନୀତି ବିରୋଧୀ ବ୍ୟକ୍ତିତ୍ୱ ଭାବେ ପରିଚିତ। ଏଥିସହ ତାଙ୍କର ଭାରତ ପ୍ରତି ଆଭିମୁଖ୍ୟ ମଧ୍ୟ ଅନେକମାତ୍ରାରେ ସକାରାତ୍ମକ ରହିଛି। ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚ୍‌ୟୁ)ରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି।

ଏସବୁ ମଧ୍ୟରେ ରାଷ୍ଟ୍ରପତି ପାଉଡେଲ୍ ଘୋଷଣା କରିଛନ୍ତି ଯେ ସୁଶୀଳାଙ୍କ ନେତୃତ୍ୱରେ ଏବେ ନେପାଳର ସରକାର ଚାଲିବ। ଆଗାମୀ ୬ ମାସ ମଧ୍ୟରେ ସଂସଦର ନୂତନ ନିର୍ବାଚନ ଅନୁଷ୍ଠିତ ହେବ। ଅନ୍ୟପକ୍ଷେ ଜେନ୍‌-ଜେଡ୍ ନେତାମାନେ ଏହି ସରକାରରେ ଯୋଗ ଦେବାକୁ ମନା କରିଦେଇଛନ୍ତି। ସେମାନେ କହିଛନ୍ତି ଯେ ସେମାନେ ସରକାରରେ ଯୋଗଦେବେ ନାହିଁ, କିନ୍ତୁ ସରକାରଙ୍କ କାର୍ଯ୍ୟଧାରା ଉପରେ ନଜର ରଖିବେ। ପ୍ରକାଶ, ନେପାଳରେ ଗତ ୯ ତାରିଖରେ ଜେନ୍‌-ଜେଡ୍ ଆନ୍ଦୋଳନକାରୀମାନଙ୍କ ବିକ୍ଷୋଭ ଯୋଗୁଁ ସେଠାକାର ସରକାର ଇସ୍ତଫା ଦେଇଥିଲେ। ଆନ୍ଦୋଳନକାରୀମାନେ ସଂସଦ, ରାଷ୍ଟ୍ରପତି ଭବନ ଏବଂ ବିଦାୟୀ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବ୍ୟକ୍ତିଗତ ବାସଗୃହକୁ ନିଆଁ ଲଗାଇ ଦେଇଥିଲେ। ଏହି ହିଂସାରେ ଏପର୍ଯ୍ୟନ୍ତ ୫୧ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking