ନୂଆଦିଲ୍ଲୀ: ୧୫ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ସି.ପି. ରାଧାକ୍ରିଷ୍ଣନ। ରାଷ୍ଟ୍ରପତି ଭବନରେ ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉପରାଷ୍ଟ୍ରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ । ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏହି ଶପଥ ଗ୍ରହଣ ଉତ୍ସବରେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ମଧ୍ୟ ସାମିଲ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ମଧ୍ୟ ଉପସ୍ଥିତ ଥିଲେ । ଉପରାଷ୍ଟ୍ରପତିଙ୍କ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଉପସ୍ଥିତ ଥିଲେ । ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ଭାରତର ୧୫ତମ ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି । ୪୫୨ ଭୋଟ ପାଇ ଉପରାଷ୍ଟ୍ରପତି ଭାବେ ସେ ନିର୍ବାଚିତ ହୋଇଥିବା ବେଳେ ବିରୋଧୀ ପ୍ରାର୍ଥୀ ଭାବେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ବି. ସୁଦର୍ଶନ ରେଡ୍ଡୀ ମାତ୍ର ୩୦୦ଟି ଭୋଟ ପାଇଥିଲେ । ଆଗାମୀ ୫ବର୍ଷ ଯାଏ ସି.ପି. ରାଧାକ୍ରିଷ୍ଣନ ଉପରାଷ୍ଟ୍ରପତି ଭାବେ ତୁଲାଇବେ କାର୍ଯ୍ୟଭାର । ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା ଉପରାଷ୍ଟ୍ରପତି ପଦ। ସି.ପି. ରାଧାକ୍ରିଷ୍ଣନ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଇଥିଲେ । ପୂର୍ବରୁ ଝାରଖଣ୍ଡ, ପୁଡୁଚେରୀ, ତେଲେଙ୍ଗାନା ରାଜ୍ୟପାଳ ଥିଲେ। ୧୯୯୮, ୧୯୯୯ରେ କୋଏମ୍ବାଟୁରରୁ ସାଂସଦ ଥିଲେ । ତାମିଲନାଡୁର ପୋଖତ୍ ରାଜନେତା ଥିଲେ । ସିପି ରାଧାକ୍ରିଷ୍ଣନ ୧୬ ବର୍ଷ ବୟସରୁ ଆରଏସଏସରେ ସାମିଲ ହୋଇଥିଲେ ।









