ନୂଆଦିଲ୍ଲୀ: ଆସନ୍ତାବର୍ଷ ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ୨୦୨୬ ଟ୍ୱେଣ୍ଟି- ୨୦ ଲାଗି ଆଇସିସି ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଆସନ୍ତା ଟ୍ୱେଣ୍ଟି-୨୦ ବିଶ୍ୱକପରେ ୨୦ଟି ଦଳ ଅଂଶ ଗ୍ରହଣ କରିବା ଏକପ୍ରକାର ନିଶ୍ଚିତ ଥିଲା ବେଳେ ଫେବୃଆରୀ ୭ରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଏହି ବହୁରାଷ୍ଟ୍ରୀୟ ପ୍ରତିଯୋଗିତାକୁ ଆୟୋଜନ କରିବାକୁ ଆଇସିସି ନୀତିଗତ ନିଷ୍ପତ୍ତି ନେଇ ସାରିଥିବା ଜଣାପଡିଛି । ଉଭୟ ଭାରତ ଓ ଶ୍ରୀଲଙ୍କାକୁ ମିଶାଇ ମୋଟ ୫ଟି ସ୍ଥାନରେ ବିଶ୍ୱକପର ଏହି ସଂସ୍କରଣ ଖେଳାଯିବ।ପାକିସ୍ତାନର ଖେଳିବାକୁ ଆଖି ଆଗରେ ରଖି ଫାଇନାଲ ଅହମଦାବାଦ କିମ୍ବା କଲମ୍ବୋରେ ଆୟୋଜିତ ହେବ । ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ଏବଂ ତାପରେ ହୋଇଥିବା ଅପରେସନ ସିନ୍ଦୂର ପରେ ଭାରତ ଓ ପାକିସ୍ତାନ ପରସ୍ପର ବିପକ୍ଷରେ ଖେଳିବାକୁ ଅମଙ୍ଗ ହେଉଛନ୍ତି । ହାଇବ୍ରିଡ ମଡେଲକୁ ସମାଧାନର ବାଟ ନିଆଯାଇଛି।
ଚଳିତ ଭାରତ, ଶ୍ରୀଲଙ୍କା, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା , ୟୁଏସଏ, ୱେଷ୍ଟଇଣ୍ଡିଜ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଆୟର୍ଲାଣ୍ଡ, କାନାଡା, ନେଦରଲାଣ୍ଡସ ଓ ଇଟାଲି ଭଳି ୧୫ଟି ଦଳ ୨୦୨୬ ଟ୍ୱେଣ୍ଟି-୨୦ ବିଶ୍ୱକପ ଲାଗି ଯୋଗ୍ୟତା ଅର୍ଜନ କରିସାରିଛନ୍ତି । ୟୁରୋପୀୟ ଦେଶ ଇଟାଲି ପ୍ରଥମ ଥର ଲାଗି ବିଶ୍ୱକପ ଲାଗି ଯୋଗ୍ୟତା ହାସଲ କରି ଇତିହାସ ରଚିଛି । ଅବଶିଷ୍ଟ ୫ଟି ଦଳ ମଧ୍ୟରୁ ଦୁଇଟି ଆଫ୍ରିକୀୟ ଏବଂ ତିନିଟି ଏସିଆ ପାସିଫିକ ଯୋଗ୍ୟତା ପର୍ଯ୍ୟାୟର ବଛାହେବେ । ଏହି ବିଶ୍ୱକପର ଫର୍ମାଟ ୨୦୨୪ରେ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଆୟୋଜିତ ହୋଇଥିବା ୨୦୨୪ ଟ୍ୱେଣ୍ଟି-୨୦ ବିଶ୍ୱ କପ ସହ ସମାନ ରହିବ । ୨୦ଟି ଦଳକୁ ୪ଟି ଗ୍ରୁପରେ ବିଭକ୍ତ କରାଯିବ । ପ୍ରତି ଗ୍ରୁପରେ ୫ଟି ଦଳ ରହିବେ । ପ୍ରତି ଗ୍ରୁପର ଶ୍ରେଷ୍ଠଦୁଇ ଦଳ ସୁପର-୮କୁ ଉନ୍ନୀତ ହେବେ । ସୁପର -୮ରେ ଦୁଇଟି ଗ୍ରୁପରେ ଚାରିଟି ଲେଖାଏଁ ଦଳ ସ୍ଥାନ ପାଇବେ । ଉଭୟ ଗ୍ରୁପର ଶ୍ରେଷ୍ଠ ଦୁଇ ଦଳ ସେମିଫାଇନାଲ ଟିକେଟ ହାସଲ କରିବେ । ଗତ ସଂସ୍କରଣରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ବିଜେତା ହୋଇଥିଲା । ସହପ୍ରତିଯୋଗିତାରେ ୫୫ ମ୍ୟାଚ ଖେଳାଯାଇଥିଲା । ଏଥର ମଧ୍ୟ ସେହି ୫୫ ମ୍ୟାଚ ଖେଳାଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଭାରତ ଶେଷ ଥର ଲାଗି ୨୦୧୬ ଏବଂ ଶ୍ରୀଲଙ୍କା ୨୦୧୨ରେ ଟ୍ୱେଣ୍ଟି-୨୦ ବିଶ୍ୱକପ ଆୟୋଜନ କରିଥିଲା। ଆସନ୍ତାବର୍ଷର ପ୍ରଥମ ୪ ମାସରେ କିନ୍ତୁ ଭାରତ ଏକାଧିକ ପ୍ରତିଯୋଗିତା ଆୟୋଜନ କରିବ। ଜାନୁଆରୀ – ଫେବୃଆରୀରେ ଡବ୍ଲ୍ୟୁପିଏଲ ଖେଳାଯିବା ପରେ ମହିଳା ଟ୍ୱେଣ୍ଟି- ୨୦ ବିଶ୍ୱକପ , ତାପରେ ଆଇପିଏଲ ଖେଳାଯିବ । ଭାରତ ମଧ୍ୟ ଘରୋଇ ପରିବେଶରେ ଜାନୁଆରି ୧୧ରୁ ୩୧ ମଧ୍ୟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ଓ ଟ୍ୱେଣ୍ଟି-୨୦ ଶୃଙ୍ଖଳା ଖେଳିବ ।










