26.1 C
Bhubaneswar
Saturday, December 20, 2025
Homeଓଡିଶାବିଜେଡି ଭୂଆଁ ବୁଲାଇବାକୁ ‘ଶୂନ୍ୟ’କୁ ଟେକାମାରି ଚାଲିବ

ବିଜେଡି ଭୂଆଁ ବୁଲାଇବାକୁ ‘ଶୂନ୍ୟ’କୁ ଟେକାମାରି ଚାଲିବ

ଭୁବନେଶ୍ୱର (ବିପିନ୍ ସିଂ) : ବିଜେପି ବିରୋଧରେ ଏକ ସଶକ୍ତ ଓ ସଫଳ ବିରୋଧୀ ଭାବେ ଛିଡ଼ା ହେବାକୁ ଚାହେଁନି ବିଜେଡି। କିନ୍ତୁ ବିରୋଧୀ ଭୂମିକା ଲିଭାଉଛି ବୋଲି ଜନସାଧାରଣଙ୍କୁ ଜଣାଇବା ପାଇଁ ବିଭିନ୍ନ ଘଟଣାରେ ପ୍ରତିକ୍ରିୟା ରଖି ଶୂନ୍ୟକୁ ଟେକାମାରି ଚାଲିବ। ଉଭୟ ବିଜେପି-ବିଜେଡି ପରସ୍ପର ଭିତରେ ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ଭିତ୍ତିରି ବୁଝାମଣା ବଜାୟ ରହିବ। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତି ବିଜେପିର ଶୀର୍ଷ ନେତୃତ୍ୱଙ୍କର ଯେତିକି ଦରଦ ରହିଛି ସେହିପରି ବିଜେଡି ସୁପ୍ରିମୋଙ୍କର ମଧ୍ୟ ପାଲଟା ଦରଦ ରହିଛି। ଆଗରୁ ଏହି ଘଟଣା ଦେଖାଦେଇ ଆସିଛି। ଯାହା ଏବେ ପୁଣି ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ୍‌ଦାନରୁ ବିରତ ରହିବା ପାଇଁ ବିଜେଡିର ନିଷ୍ପତି ଅଧିକ ବଳବତ୍ତର କରିଛି। ଏହା ହିଁ ଆଶା କରାଯାଉ ଥିଲା। ତାହା ସତ୍ୟରେ ପରିଣତ ହେଲା। ଉଭୟ ପକ୍ଷ କେବଳ ଲୋକଙ୍କୁ ଭୂଆଁ ବୁଲାଇ ଚାଲିବା ବ୍ୟତିତ ସେମାନଙ୍କ ପାଖରେ ଅନ୍ୟ କିଛି ଉପାୟ ନାହିଁ। କଂଗ୍ରେସ କେବଳ ଶେଷରେ ନିରାଶ ହେବ। ଏହି ଦୁଇ ଦଳ ବୁଝାମଣା ଭିତ୍ତିରେ ପରସ୍ପରକୁ କ୍ଷତି ନକଲା ଭଳି କାର୍ଯ୍ୟ କରି ଲୋକଙ୍କ ଆଗରେ କେବଳ ବିରୋଧୀ ଶାସକ ଭୂମିକା ଲିଭାଇ ଚାଲିବେ।

ଉପରାଷ୍ଟ୍ରପତି ନିର୍ବାଚନ ନେଇ ରାଜନୈତିକ ଦଳମାନଙ୍କର ଭୂମିକା ଉପରେ ବିଶେଷ କରି ବିଜେଡି ଉପରେ ଅଧିକ ନଜର ସମଗ୍ର ଦେଶର ରାଜନୈତିକ ଦଳମାନଙ୍କର ରହିଥିଲା। ବିଶେଷ କରି ଇଣ୍ଡିଆମେଣ୍ଟ ବିଜେଡିର ନିଷ୍ପତ୍ତିକୁ ଅଧିକ ଭାବରେ ଅନାଇ ରହିଥିଲା। ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଓ ଶାସକ ପକ୍ଷଙ୍କର ଯାହା ସ୍ଥିତି ରହିଛି ସେଥିରେ ବିଜେପି ପ୍ରାର୍ଥୀ ତଥା ଏନ୍‌ଡିଏ ପ୍ରାର୍ଥୀଙ୍କର ଜିତିବାରେ କୌଣସି ସମସ୍ୟା ହେବ ନାହିଁ। ବିଜେଡିର ରାଜ୍ୟସଭାରେ ମାତ୍ର ୭ଜଣ ସାଂସଦ ରହିଛନ୍ତି। ଲୋକସଭାରେ ଜଣେ ହେଲେ ସାଂସଦ ନାହାଁନ୍ତି। ବିଜେପି ଓ ଏହାର ସହଯୋଗ ଦଳ ମାନଙ୍କର ସଂଖ୍ୟା ଯେତିକି ରହିଛି ସେଥିରେ ବିଜେଡିର ସମର୍ଥନ ଏମାନଙ୍କୁ ଆବଶ୍ୟକ ନଥିଲା। ଏପରିକି ବିଜେଡି ଯଦି ଇଣ୍ଡିଆ ମେଣ୍ଟକୁ ସମର୍ଥନ କରେ ତାହା ଦ୍ୱାରା ଯେ ବିରୋଧୀ ପକ୍ଷ ନିର୍ବାଚନରେ ଯିତିବେ ତାହା ମଧ୍ୟ ନଥିଲା। ଏଣୁ ବିଜେଡିର ସମର୍ଥନ ବିରୋଧକୁ ନେଇ ସେ ଏନ୍‌ଡିଏ ହେଉ କି ଇଣ୍ଡିଆ ମେଣ୍ଟ ହେଉ କାହାରିକୁ କିଛି ଫାଇଦା ହୋଇ ନ’ଥାନ୍ତା। କିନ୍ତୁ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ ହୋଇଥାନ୍ତା। ଆଗାମୀ ଦିନରେ ରାଜନୀତିକୁ ଏକ ବାର୍ତ୍ତା ଯାଇଥାଆନ୍ତା ଯେ ବିଜେଡି ଏଣିକି ବିଜେପି ବିରୋଧରେ ସଫଳ ବିରୋଧୀ ଭୂମିକା ଗ୍ରହଣ କରିବ । ଏଭଳି ପଦକ୍ଷେପ ନେଇ ନବୀନ ସବୁଦିନ ପାଇଁ ଅତୀତ ଭଳି ସ୍ପଷ୍ଟ କରିଦେଲେ ଯେ ବିଜେପିକୁ ସେ କୌଣସି ପ୍ରକାର ପରୋକ୍ଷ ହେଉ କି ପ୍ରତ୍ୟେକ୍ଷ ହେଉ ରାଜନୈତିକ କ୍ଷତି ଘଟାଇଲା ଭଳି କୌଣସି କାର୍ଯ୍ୟ କରିବ ନାହିଁ ବୋଲି ରାଜେନୌତିକ ମହଲରେ ଆଲୋଚନା ହେଉଛି।

ଅତୀତରେ ବିଜେପି ମଧ୍ୟ ଦେଖାଇ ଆସିଛି ଯେ ନବୀନ ପଟ୍ଟନାୟକଙ୍କୁ ରାଜନୈତିକ କ୍ଷେତ୍ରରେ ହଇରାଣ କରିବା କି କିଛି କ୍ଷତି ଘଟାଇଲା ଭଳି କାର୍ଯ୍ୟ କରିବ ନାହିଁ। ବିଜେଡି କ୍ଷମତାରେ ଥିଲାବେଳେ ଯେତେବେଳେ ବିଜେପି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବିରୋଧରେ କଠୋର ଆଭିମୁଖ୍ୟ ପୋଷଣ କରିଥିଲା କାହାକୁ ଜେଲ୍ ପଠାଇଥିଲା ତ ଆଉ କାହାକୁ ରାଜନୈତିକ ଲାଞ୍ଚନା ଦେଇଥିଲା ସେପରି ନବୀନଙ୍କ କ୍ଷେତ୍ରରେ କରି ନଥିଲା। ନବୀନଙ୍କ ପାଇଁ ବିଜେପି ଶୀର୍ଷ ନେତୃତ୍ୱଙ୍କ ଆଭିମୁଖ୍ୟ ଭିନ୍ନ ଥିଲା। ସେତେବେଳେ ବିଜେଡି ସରକାର ବିରୋଧରେ ବିଜେପିର ରାଜ୍ୟ ନେତୃବୃନ୍ଦମାନେ ଅନେକ ଦୂର୍ନୀତି ଓ ଭ୍ରଷ୍ଟାଚାର ନେଇ ଅଭିଯୋଗ ଆଣିଥିଲେ ବି ଶୀର୍ଷ ନେତୃତ୍ୱ ଅବିଚଳିତ ରହିଥିଲେ। ନିକଟରେ ନବୀନ ସ୍ୱଳ୍ପ ସମୟ ପାଇଁ ସାଧାରଣ ଅସୁସ୍ଥତା ନେଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେ ସମୟରେ ବିଜେପିର ଶୀର୍ଷ ନେତୃତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦୀଙ୍କ ଠାରୁ ଆରମ୍ଭ କରି ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ପର୍ଯ୍ୟନ୍ତ ଯେପରି ଦରଦି ମନୋଭାବ ପଦର୍ଶିତ କଲେ ତାହା ପୂର୍ବରୁ କେବେ ଦେଖାଯାଇନଥିଲା। ଅତୀତରେ ବହୁତ ଥର ନବୀନ ଅସୁସ୍ଥ ହୋଇଛନ୍ତି। ବିଦେଶକୁ ଚିକିତ୍ସା ପାଇଁ ଯାଇଛନ୍ତି। ସେ ମସୟରେ ବିଜେପି ନେତାମାନଙ୍କର ଏଭଳି ମାନବିକତା ଦେଖିବାକୁ ମିଳିନଥିଲା। ସ୍ୱାସ୍ଥ୍ୟଗତ କାରଣ ନେଇ ନବୀନଙ୍କୁ ଦେଖା କରିବା ଘଟଣାକୁ ମାନବିକତା ଦୃଷ୍ଟିକୋଣ ବୋଲି କୁହାଗଲା। ଏହାକୁ କେହି ସମାଲୋଚନା କରିପାରିବେ ନାହିଁ। କିନ୍ତୁ ଏହା ପଛରେ ଯେଉଁ ସୁଦୁର ପ୍ରସାରେ ରାଜନୈତିକ ଉଦ୍ଦେଶ୍ୟ ଅନ୍ତର୍ନିହିତ ଥିଲା ତାହାକୁ ଅଶ୍ୱୀକାର କରାଯାଇ ପାରିବ ନାହିଁ। ଗତ ନିର୍ବାଚନ ସମୟରେ ନବୀନଙ୍କ ସ୍ୱାସ୍ଥ୍ୟ ଘଟଣାକୁ ନେଇ ବିଜେପିର ଶୀର୍ଷ ନେତୃତ୍ୱଙ୍କ ଠାରୁ ଆରମ୍ଭ କରି ତଳସ୍ତରର ନେତାଙ୍କ ପର୍ଯ୍ୟନ୍ତ ଯେଭଳି ଭାବରେ କୁତ୍ସାରଟନା କରିଥିଲେ ତାହାକୁ କେହି ଭୁଲିପାରିବେ ନାହିଁ।

ଏଣୁ କ୍ଷତି ନ ହେଲେ ମଧ୍ୟ ବିଜେପି ଚାହେଁ ନାହିଁ ବିରୋଧୀ ପକ୍ଷଙ୍କ ଶକ୍ତି ବଢ଼ୁ। ସେଥିପାଇଁ ନବୀନ କ୍ଷମତାରୁ ଗଲେ ବି ତାଙ୍କୁ ଅସନ୍ତୁଷ୍ଟ କରିବାକୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଚାହାଁନ୍ତି ନାହିଁ। ଏପରିକି ନବୀନ ମଧ୍ୟ ଜାଣିଛନ୍ତି ତାଙ୍କ ବିରୋଧ ଦ୍ୱାରା ବିଜେପିର କିଛି ଫରକ୍ ପଡ଼ିବ ନାହିଁ। ସେଥିଲାଗି ସେ ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ଅସନ୍ତୁଷ୍ଟ କରିବା ପାଇଁ ଇଚ୍ଛା ପ୍ରକାଶ କରୁ ନାହାଁନ୍ତି। ଯେଉଁ ଘଟଣାରେ କେନ୍ଦ୍ର ସରକାର ରାଜନୈତିକ ଅଡ଼ୁଆରେ ନପଡ଼ିବେ ସେହି କ୍ଷେତ୍ରରେ କେବଳ ଲୋକ ଦେଖାଇବା ପାଇଁ ପଦକ୍ଷେପ ନେବା କୌଶଳ ନବୀନ ଆପଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିନ୍ତାଧାରା ଓ ଭାବମୂର୍ତ୍ତିକୁ କ୍ଷତିକଲା ଭଳି କିଛି ବି କାର୍ଯ୍ୟ କରିବେ କ୍ଷମତାରେ ନଥିଲେ ମଧ୍ୟ ତାହାର ପରିଣତି କ’ଣ ହେବ ନବୀନ ଭଲ ଭାବରେ ଜାଣିଛନ୍ତି। ଏଣୁ ସମଦୂରତା କଥା କହି ସବୁବେଳେ ସେ ରାଜନୀତି କରି ଚାଲିଛନ୍ତି। ଏପରିକି ରାଜ୍ୟ ବିଜେପି ସରକାର ବିରୋଧରେ ବିଜେଡି କେବଳ ବିରୋଧୀ ଭୂମିକା ଲିଭାଇବା ଲାଗି କାର୍ଯ୍ୟକରି ଚାଲିଛି। ବିଜେପି ସରକାର କ୍ଷମତାକୁ ଆସିବା ପରେ ଯେତେ ସବୁ ଘଟଣା ଘଟିଲାଣି ସେ ସବୁକୁ ନେଇ ବିଜେଡି ଯଭଳି ଦୁର୍ବାର ଆନ୍ଦୋଳନ କରିପାରିବ ଓ ସରକାରଙ୍କୁ ଥରହର କରିବ ତାହା କଂଗ୍ରେସ କରିପାରିବ ନାହିଁ। ହେଲେ ନବୀନ ସେ ଦିଗକୁ ଯାଉ ନାହାଁନ୍ତି। ଏସବୁ ଘଟଣାକୁ ତର୍ଜମା କଲେ କଂଗ୍ରେସ ଏବେ ଯେଉଁ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଆହ୍ୱାନ ଦେଉଛି ସେଥିରେ ନିରାଶ ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking