25.1 C
Bhubaneswar
Monday, March 23, 2026
Homeଓଡିଶାଡବଲ ଇଞ୍ଜିନ ସରକାର ଚାହିଁଲେ ପେଟ୍ରୋଲ, ଡିଜେଲ ଦର କମି ପାରନ୍ତା : ପଞ୍ଚାନନ

ଡବଲ ଇଞ୍ଜିନ ସରକାର ଚାହିଁଲେ ପେଟ୍ରୋଲ, ଡିଜେଲ ଦର କମି ପାରନ୍ତା : ପଞ୍ଚାନନ

ଭୁବନେଶ୍ୱର: କେରଳ ଓ କର୍ଣ୍ଣାଟକ ରାଜ୍ୟ ବିରୋଧ କରିବା ଯୋଗୁଁ ଏ ଥରର ବୈଠକରେ ମଧ୍ୟ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରାଯାଇପାରିଲା ନାହିଁ। ଅନ୍ୟ ପକ୍ଷରେ କେନ୍ଦ୍ର ସରକାର ଚାହିଥିଲେ ରାଜ୍ୟ ହରାଇବାକୁ ଥିବା ରାଜସ୍ୱକୁ ଭରଣା କରିପାରିଥାନ୍ତେ। କିନ୍ତୁ ତାହା ନ ହେବା ଫଳରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର ବାଟ ସରକାର ଫିଟାଇଲେ। ଫଳରେ ଦରଦାମ କମିବା ପରିବର୍ତ୍ତେ ବଢିବାର ସୂଚନା ମିଳିଲାଣି ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି। ପିସିସି ମିଡିଆ ସେଲ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କାନୁନଗୋ ଆହୁରି କହିଛନ୍ତି, ନୂଆ ଜିଏସଟି ନିୟମ ଅନୁସାରେ ଓଡିଶାର ମଧ୍ୟ ପ୍ରଭୂତ କ୍ଷତି ହେବ। ସରକାର ଯେଉଁ ୧୮ ହଜାର କୋଟି ଟଙ୍କାର ଲାଭ କଥା କହୁଛନ୍ତି ପ୍ରକୃତପକ୍ଷେ ଏତିକି କ୍ଷତି ହେବ । ସରକାର ନିର୍ବାଚିତ ହେବା ପ୍ରାୟ ୧୧ ବର୍ଷ ବିତି ଯାଇଥିଲେ ସୁଦ୍ଧା ଗୋଟିଏ ଦେଶ ଗୋଟିଏ ଟିକସ ନୀତି ପ୍ରଣୟନ କରି ପାରିଲା ନାହିଁ । ବର୍ତ୍ତମାନ ମଧ୍ୟ ଅନ୍ୟାନ୍ୟ ଟିକସ ମିଶି ୩୧ ଟା ଟିକସ ଚାଲୁଛି । ବର୍ତ୍ତମାନ ଓଡିଶା ପରିପେକ୍ଷୀରେ ଡବଲ ଇଞ୍ଜିନ ସରକାର ଚାଲିଛି ତେଣୁ ସରକାର ରାଜ୍ୟକୁ ଟିକସ ଭାରରୁ କେତେ ପରିମାଣରେ ମୁକ୍ତ କରି କେତେ ଅଭିବୃଦ୍ଧି ପାଇଁ କାର୍ଯ୍ୟ କରୁଛନ୍ତି ଆଗକୁ ସ୍ପଷ୍ଟ ହେବ ବୋଲି ପ୍ରକାଶ କରିଛନ୍ତି ।

ପିସିସି ମିଡିଆ ସେଲ ଅଧ୍ୟକ୍ଷ ପ୍ରାରମ୍ଭିକ ସୂଚନା ଦେଇ କହିଥିଲେ, ଜିଏସଟିକୁ ନେଇ କିଛି ମୌଳିକ ପ୍ରଶ୍ନକୁ କେନ୍ଦ୍ର ଏଡାଇଚାଲିଛନ୍ତି। ଗତ ଆଠ ବର୍ଷରେ ଏହାର ସରଳୀକରଣରେ ସରକାର ବିଫଳ ହୋଇଛନ୍ତି। ଏଣେ କୁହାଗଲା, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଅନୁସାରେ ପେଟ୍ରୋଲ ଓ ଡିଜେଲ ଦର ନିର୍ଦ୍ଧାରଣ ହେବ। ଅଶୋଧିତ ତୈଳ ଦର ଅଧିକ ଥିବାବେଳେ ବଜାର ଦର ସଂଶୋଧିତ ହୋଇ ଲିଟର ପିଛା ଶହେ ଟପିଲା। ଅଥଚ ଏକଦା ଅଶୋଧିତ ତୈଳ ଦର ସର୍ବନିମ୍ନ ସ୍ତରରେ ପହଞ୍ଚିବା ବେଳେ ଦୁଇବର୍ଷ କାଳ ଆଉ ବଜାର ଦର ସଂଶୋଧିତ ହେଲାନାହିଁ। ଅନ୍ୟ ପକ୍ଷରେ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବା ପାଇଁ ଜିଏସଟି କାଉନସିଲରେ ସହମତି ମଧ୍ୟ ହେଉନାହିଁ। ଜିଏସଟିର ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁଁ ଏହାର ଲାଭ ପୁଞ୍ଜିପତି ଓ ଶିଳ୍ପୋଦ୍ୟୋଗୀଙ୍କୁ ମିଳୁଥିବା ବେଳେ ସାଧାରଣ ଜନତା କ୍ଷତିଗ୍ରସ୍ତ ହେବେ ବୋଲି ସେ କହିଥିଲେ।

ଅନ୍ୟତମ ବରିଷ୍ଠ ମୁଖପାତ୍ର ରଜନୀ କୁମାର ମହାନ୍ତି କହିଛନ୍ତି ଯେ’ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିଗତ ୮ ବର୍ଷ ଆଗରୁ ଏହି ଜିଏସଟି ଟିକସକୁ “ଗବର ସିଂ ଟ୍ୟାକ୍ସ ରୂପେ ଅଭିହିତ କରି ସାଧାରଣ ଜନତାଙ୍କ ଉପରେ ଏହା କୋରଡ଼ା ମାଡ଼ ବୋଲି କହିଥିଲେ” କିନ୍ତୁ ଆଜି ସରକାରଙ୍କ ବୁଦ୍ଧି ଉଦୟ ହେଲା ଏବଂ ଏଥିରେ ପରିବର୍ତ୍ତନ କରିଛନ୍ତି ସତ ମାତ୍ର ଏହି ସୁଧାର ବିସଙ୍ଗତି ଯୁକ୍ତ । ତେବେ ଏତେ ବର୍ଷ ଧରି ସରକାରଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ଲୋକଙ୍କ ପ୍ରଭୂତ କ୍ଷତି ହେଲା ତାହାର ଭରଣା କେମିତି ହେବ ବୋଲି ମୁଖପାତ୍ର ଶ୍ରୀ ମହାନ୍ତି ପ୍ରଶ୍ନ ପଚାରିଛନ୍ତି । ଏହି ବହୁମୁଖୀ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ସହ ମିଡ଼ିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ, ବରିଷ୍ଠ ମୁଖପାତ୍ର ରଜନୀ ମହାନ୍ତି, ମୁଖପାତ୍ର ଲଲାଟେନ୍ଦୁ ଦାସ, ଜୟଶ୍ରୀ ପାତ୍ର ଓ ନଳିନୀକାନ୍ତ ନାୟକ ନିଜ ମତାମତ ଉପସ୍ଥାପନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking