ଭୁବନେଶ୍ୱର: ଆଜି ଭୁବନେଶ୍ୱରର ରେଳ ଅଡିଟୋରିୟମରେ ସ୍ୱାୟତ୍ତଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୬ଟି ନୂତନ ଏନଏସି ଏବଂ ୭ଟି ପୌରପାଳିକାର ନାମ ଘୋଷଣା କରିଛନ୍ତି। କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ବିଧାୟକ ବାବୁ ସିଂହ, ମେୟର ସୁଲୋଚନା ଦାସ ଏବଂ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ସଚିବ ଉଷା ପାଢୀ ମଧ୍ୟ ଉପସ୍ଥିତରେ ମୁଖ୍ୟମନ୍ତ୍ରୀ ଅନେକ ଉନ୍ନୟନମୂଳକ କାର୍ଯ୍ୟ ଏବଂ ପ୍ରକଳ୍ପର ଉଦଘାଟନ କରିଛନ୍ତି।
ସମସ୍ତ ପୌରାଞ୍ଚଳରେ ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’ର ଶୁଭାରମ୍ଭ ହେଲା । ଶୁଭାରମ୍ଭ ସହ ଏହି ଯୋଜନାର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ । ଏଥି ସହିତ ବହୁମୁଖୀ ଭବନ (ମଲ୍ଟି ପରପୋଜ୍ ହଲ୍)ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ୧୧୫ଟି ପୌରାଞ୍ଚଳରେ ‘ସହଯୋଗ’ କାର୍ଯ୍ୟକ୍ରମ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ । ଉତ୍ତମ ସେବା ପ୍ରଦାନ ଲକ୍ଷ୍ୟରେ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜାତୀୟ ଏକକ ଗମନାଗମନ କାର୍ଡର ମଧ୍ୟ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆମ ବସ୍ ପାଇଁ ହ୍ୱାଟ୍ସ ଆପ୍ ଆଧାରିତ ‘ଟିକେଟ ବୁକିଂ’ ସେବା ଆରମ୍ଭ ହେଲା । ଏହା ସହାଯ୍ୟରେ ଡିଜିଟାଲ ଟିକେଟ କ୍ରେତାଙ୍କୁ ‘ରିହାତି ପ୍ରଦାନ’ ସୁବିଧା ମିଳିବ ।










