19.1 C
Bhubaneswar
Friday, February 6, 2026
Homeଓଡିଶାଅମଲା ସଂଘର ଆନ୍ଦୋଳନ ସ୍ଥଗିତ

ଅମଲା ସଂଘର ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର: ରାଜ୍ୟ ଅମଲା ସଂଘର ଆନ୍ଦୋଳନ ୧୫ ଦିନ ପରେ ଆଜି ଏଥିରୁ ଓହରିଛନ୍ତି ଅମଲା। ଆଜି ସମସ୍ତ ଅମଲା କର୍ମଚାରୀ କାର୍ଯ୍ୟରେ ଯୋଗ ଦେବେ ବୋଲି ଜଣାଯାଇଛି। ଏନେଇସଂଘର ସଭାପତି ତ୍ରିପତି ବାଲାଜୀ ସୂଚନା ଦେଇଛନ୍ତି। ଗତକାଲି ମୁଖ୍ୟ ଶାସନ ସଚିବଙ୍କ ସହ ସଂଘର ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରିପାରିଲା ନାହିଁ। ଅପର ପକ୍ଷରେ ସରକାର ସେମାନଙ୍କୁ ପୁଣି ନାଲି ଆଖି ଦେଖାଇଛନ୍ତି। ସମୂହ ଛୁଟିରେ ଯାଇଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠି ଲେଖିଛନ୍ତି। ଏହାକୁ ନେଇ ପରିସ୍ଥିତି ଆହୁରି ସଙ୍ଗୀନ୍ ହୋଇପଡ଼ିଛି। ଜିଲ୍ଲା ସ୍ତରରେ ଲୋକମାନେ ରାଜସ୍ବ ସେବାରୁ ବଞ୍ଚିତ ହୋଇ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଗତ ୧୧ ତାରିଖରୁ ଆନ୍ଦୋଳନ ଚାଲିଥିଲେ ବି ସରକାରଙ୍କ ସହ ସଂଘର କୌଣସି ଆଲୋଚନା ହୋଇ ନଥିଲା। ତେବେ ସ୍ଥିତି ବିଗୁଡ଼ୁଥିବା ଦେଖି ଆଜି ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପାଇଁ ସଂଘର ପ୍ରତିନିଧିଙ୍କୁ ଡକାଯାଇଥିଲା। ସଂଘର ସଭାପତି ଟି ବାଲାଜି ସାହୁଙ୍କ ନେତୃତ୍ବରେ ଏକ ତିନି ଜଣିଆ ପ୍ରତିନିଧି ଦଳ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋ‌ଚନା କରିଥିଲେ। ସଂଘର ଦାବି ପୂରଣ ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ମୁଖ୍ୟ ସଚିବ କହିଥିଲେ। ତେଣୁ ସଂଘ ଆନ୍ଦୋଳନରୁ ନିବୃତ୍ତ ରହିବାକୁ ସେ ଅନୁରୋଧ କରିଥିଲେ। କିନ୍ତୁ ଏହି ପ୍ରତିଶ୍ରୁତି ଲିଖିତ ଆକାରରେ ଦେବାକୁ ସଂଘର ପ୍ରତିନିଧିମାନେ କହିଥିଲେ। ତେବେ ବୈଠକରେ ଲିଖିତ ପ୍ରତିଶ୍ରୁତି ମିଳି ନଥିଲା। ସଂଘର ସଭାପତି ଶ୍ରୀ ସାହୁ କହିଥିଲେ, ସରକାର ଲିଖିତ ପ୍ରତିଶ୍ରୁତି ଦେଲା ପରେ ଆମେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଜଣାଇବୁ।

ଅପର ପକ୍ଷରେ ରାଜସ୍ବ ଅମଲା ସଂଘ ବିରୋଧରେ ସରକାର କଠୋର ଆଭିମୁଖ୍ୟ ଦେଖାଇଛନ୍ତି। ଗତ ୧୨ ତାରିଖରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ। ସମୂହ ଛୁଟି ଦରଖାସ୍ତକୁ ଗ୍ରହଣ ନ କରିବା ସହ ଏହାକୁ ସେମାନଙ୍କ ଅନୁପସ୍ଥିତି ଭାବେ ଗ୍ରହଣ କରିବାକୁ କହିଥିଲେ। କାମ ନକରିଥିଲେ ଦରମା ମିଳିବନି ବୋଲି ଜଣାଇଥିଲେ। ଅନଧିକାର ଛୁଟି ନେଇଥିବା ଏହି କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଥିଲା। ତେବେ ଏହି ଚିଠି ପରେ ବି ରାଜସ୍ବ ଅମଲା ସଂଘ ଆନ୍ଦୋଳନ ଜାରି ରଖିଛି। ରାଜସ୍ବ ମନ୍ତ୍ରୀ ବାରମ୍ବାର ନିବେଦନ କରିଥିଲେ ବି ଦାବି ପୂରଣ ଜିଦିରେ ସଂଘ ଅଟଳ ରହିଛି। ତେଣୁ ଆଜି ରାଜସ୍ବ ବିଭାଗ ପକ୍ଷରୁ ପୁନର୍ବାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇ ବିନା ଅନୁମତିରେ ଅନୁପସ୍ଥିତ ରହିଥିବା କର୍ମଚାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ ସମ୍ପର୍କରେ ବିଭାଗକୁ ଜଣାଇବା ପାଇଁ କୁହାଯାଇଛି। କର୍ମଚାରୀମାନଙ୍କର ଏପରି ଅନୁପସ୍ଥିତି ପାଇଁ ଲୋକମାନେ ସରକାରୀ ସେବା ପାଇବାରେ ଅସୁବିଧା ଭୋଗୁଛନ୍ତି ବୋଲି ଏଥିରେ ଦର୍ଶାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking