ନୂଆଦିଲ୍ଲୀ: ବୁଧବାର ଲୋକସଭାରେ ଉପସ୍ଥାପିତ ହେବା ସହ ପାରିତ ହୋଇଛି ଅନ୍ଲାଇନ୍ ଗେମିଂ ବିଲ୍-୨୦୨୫। ଦିନକ ପୂର୍ବେ ଏହି ବିଲ୍କୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଥିଲା। ତେବେ ବୁଧବାର ଗୃହରେ ଏହି ବିଲ୍କୁ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉପସ୍ଥାପନ କରିଥିଲେ। ବେଟିଂ ସହ ଜଡ଼ିତ ଅନ୍ଲାଇନ୍ ଟଙ୍କା ଖେଳକୁ ନିଷିଦ୍ଧ କରିବାକୁ ଏହାର ଲକ୍ଷ୍ୟ ରଖାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ବିଲ୍ରେ ଦାବି କରାଯାଇଛି ଅନ୍ଲାଇନ୍ ଗେମିଂ ଶିଳ୍ପ ମନିଲଣ୍ଡରିଂ ଏବଂ ଆର୍ôଥକ ଠକେଇ କାର୍ଯ୍ୟର ପ୍ରସାର ଘଟାଇଛି ଏବଂ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିଛି। ଶ୍ରୀ ବୈଷ୍ଣବ କହିଛନ୍ତି ଏହି ନୂଆ ବିଲ୍, ଦେଶରେ ଜୁଆ ପ୍ଲାଟ୍ଫର୍ମଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଜୁଆ ଆପ୍ ଚଲାଇବା ପାଇଁ ଦଣ୍ଡବିଧାନ କରିବା ସହିତ ଏକ ଆଇନଗତ ଢାଞ୍ଚା ସୃଷ୍ଟି କରିବ। ଏହି ଦଣ୍ଡଗୁଡ଼ିକ ଆଇନ ଉଲ୍ଲଂଘନ କରି ଅନ୍ଲାଇନ୍ ଟଙ୍କା-ଆଧାରିତ ଗେମିଂ ସେବା ପ୍ରଦାନ କରୁଥିବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ୩ବର୍ଷ ଜେଲ୍ ଦଣ୍ଡ, ୧ କୋଟି ଟଙ୍କା ଜୋରିମାନା କିମ୍ବା ଉଭୟ ଅନ୍ତର୍ଭୁକ୍ତ। ଏପରି ପ୍ରୟାସର ବିଜ୍ଞାପନ କରୁଥିବା ବ୍ୟକ୍ତିଙ୍କୁ ଦୁଇବର୍ଷ ଜେଲ୍ ଦଣ୍ଡ ଏବଂ/ଅଥବା ୫୦ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡ଼ିପାରେ। ଏହି ଆଇନର ତିନୋଟି ମୁଖ୍ୟ ଅଂଶ ଅଛି, ଯାହା ଡିଜିଟାଲ୍ ଗେମିଂକୁ ନିୟନ୍ତ୍ରଣ କରିବା ପାଇଁ ଏକ ଜାତୀୟ ସ୍ତରୀୟ ‘ଅନ୍ଲାଇନ୍ ଗେମିଂ କର୍ତ୍ତୃପକ୍ଷ’ ପ୍ରତିଷ୍ଠା କରିବାକୁ ପରାମର୍ଶ ଦିଏ। ଏହି ସଂସ୍ଥା ଖେଳଗୁଡ଼ିକୁ ବର୍ଗୀକରଣ ଏବଂ ପଞ୍ଜିକରଣ କରିବ, କେଉଁଗୁଡ଼ିକୁ ‘ମନି ଖେଳ’ ଭାବରେ ଯୋଗ୍ୟ ବିବେଚିତ ହେବ ତାହା ସ୍ଥିର କରିବ ଏବଂ ନାଗରିକଙ୍କ ଅଭିଯୋଗ ପରିଚାଳନା କରିବ।
ଅନ୍ୟପକ୍ଷେ ଏପ୍ରକାର ବିଲ୍କୁ ଆଇନ୍ ଭାବେ ଲାଗୁ କରାଯିବା ଦ୍ୱାରା ଭାରତ ସରକାରଙ୍କୁ ବାର୍ଷିକ ଏକ ବଡ଼ ପରିମାଣର ରାଜସ୍ୱ କ୍ଷତି ସହିବାକୁ ପଡ଼ିପାରେ ବୋଲି ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି। ରିପୋର୍ଟ ଅନୁସାରେ ଯଦି ଅନ୍ଲାଇନ୍ ରିୟଲ୍ ମନି ଗେମିଂ ଆପ୍ଗୁଡ଼ିକୁ ବ୍ୟାନ୍ କରାଯାଏ ତେବେ ସରକାର ବାର୍ଷିକ ପ୍ରାୟ ୨୦,୦୦୦ କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବେ। କେବଳ ସେତିକି ନୁହେଁ ୨ଲକ୍ଷ କିମ୍ବା ତଦୁର୍ଦ୍ଧ୍ୱ ସଂଖ୍ୟକ ଲୋକ ପ୍ରତ୍ୟକ୍ଷ ଭାବେ ନିଯୁକ୍ତି ହରାଇବା ସହ ପ୍ରାୟ ୩୦ଲକ୍ଷରୁ ଅଧିକ ଲୋକ ପରୋକ୍ଷ ଭାବେ ରୋଜଗାର ହରାଇବାର ଆଶଙ୍କା ସୃଷ୍ଟି ହୋଇଛି। ଏନେଇ ଦେଶରେ ସକ୍ରିୟ ଥିବା ଅନ୍ଲାଇନ୍ ଗେମିଂ ସଂଗଠନଗୁଡ଼ିକ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଏକ ଚିଠି ଲେଖି ରିଅଲ୍ ଟଙ୍କା ଗେମ୍ ଉପରେ ପ୍ରସ୍ତାବିତ ଏହି ଡ୍ରାଫ୍ଟ ବିଲ୍ ବିରୁଦ୍ଧରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ଅନଲାଇନ୍ ଗେମିଂ ଫେଡେରେସନ୍ଗୁଡ଼ିକ ଚେତାବନୀ ଦେଇଛନ୍ତି ଯେ ଏପରି ସମ୍ପୂର୍ଣ୍ଣ ନିଷେଧ ଆଇନ୍ ଗେମିଂ ଇଣ୍ଡଷ୍ଟ୍ରି ପାଇଁ “ମୃତ୍ୟୁର ଘଣ୍ଟି’ ସଦୃଶ ହେବ। ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ନଷ୍ଟ କରିବ ଏବଂ କୋଟି କୋଟି ବ୍ୟବହାରକାରୀଙ୍କୁ ବେଆଇନ ଅଫଶୋର ବେଟିଂ ଏବଂ ଜୁଆ ପ୍ଲାଟ୍ଫର୍ମ ଆଡ଼କୁ ଠେଲିଦେବ। ୧୯ ଅଗଷ୍ଟରେ କେନ୍ଦ୍ର କ୍ୟାବିନେଟ୍ ପକ୍ଷରୁ ଏହି ବିଲ୍କୁ ସ୍ୱୀକୃତି ଦିଆଯିବା ପରେ ପରେ ହିଁ ଅଲ୍ ଇଣ୍ଡିଆ ଗେମିଂ ଫେଡେରେସନ୍ (ଏଆଇଜିଏଫ୍), ଇ-ଗେମିଂ ଫେଡେରେସନ୍ (ଇଜିଏଫ୍), ଏବଂ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଫ୍ୟାଣ୍ଟାସି ସ୍ପୋର୍ଟସ୍ (ଏଫ୍ଆଇଏଫ୍ଏସ୍) ପକ୍ଷରୁ ମିଳିତ ଭାବେ ଏହି ଚିଠିକୁ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ପଠାଯାଇଥିଲା। ଏଆଇଜିଏଫ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରୋଲାଣ୍ଡ ଲ୍ୟାଣ୍ଡର୍ସ; ଏଫ୍ଆଇଏଫ୍ଏସ୍ ମହାନିର୍ଦ୍ଦେଶକ ଜୟ ଭଟ୍ଟାଚାର୍ଯ୍ୟ; ଏବଂ ଇଜିଏଫ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନୁରାଗ ସକ୍ସେନାଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଥିଲା।
ଚିଠିରେ ସ୍ପଷ୍ଟ ଭାବେ ଫେଡେରେସନ୍ଗୁଡ଼ିକ ଉଲ୍ଲେଖ କରିଛନ୍ତି ଯେ ବର୍ତ୍ତମାନ ସମୟରେ ଏହି ଅନ୍ଲାଇନ୍ ଗେମିଂ ଇଣ୍ଡଷ୍ଟ୍ରିର ମୂଲ୍ୟ ୨ଲକ୍ଷ କୋଟିରୁ ଅଧିକ ଥିବାବେଳେ ଏହାର ବାର୍ଷିକ ରାଜସ୍ୱ ପ୍ରାୟ ୩୧,୦୦୦ କୋଟିରୁ ଅଧିକ ରହିଛି। ଏହା ବାର୍ଷିକ ୨୦,୦୦୦ କୋଟିରୁ ଅଧିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଟିକସ ପ୍ରଦାନକାରୀ ଇଣ୍ଡଷ୍ଟ୍ରି ସାଜିଛି। ଏତଦ୍ବ୍ୟତୀତ ସବୁଠୁ ବଡ଼କଥା ହେଉଛି ଏହା ବାର୍ଷିକ ୨୦% ଚକ୍ରବୃଦ୍ଧି ହାର (ସିଏଜିଆର୍)ରେ ମଧ୍ୟ ବୃଦ୍ଧି ପାଉଛି। ଭାରତୀୟ ଅନ୍ଲାଇନ୍ ଗେମର୍ଙ୍କ ସଂଖ୍ୟା ୨୦୨୦ରେ ୩୬ କୋଟି ଥିବା ବେଳେ ୨୦୨୪ ସୁଦ୍ଧା ଏହି ସଂଖ୍ୟା ୫୦ କୋଟିରୁ ଅଧିକ ହୋଇଛି। ୨୦୨୮ ସୁଦ୍ଧା ଏହା ଦ୍ୱିଗୁଣିତ ହେବ ବୋଲି ମଧ୍ୟ ଆକଳନ କରାଯାଉଛି। ଏହି ଶିଳ୍ପ ଜୁନ୍ ୨୦୨୨ ସୁଦ୍ଧା ୨୫,୦୦୦ କୋଟିରୁ ଅଧିକ ବିଦେଶୀ ପ୍ରତ୍ୟକ୍ଷ ନିବେଶ (ଏଫ୍ଡିଆଇ)କୁ ମଧ୍ୟ ଆକର୍ଷିତ କରିଛି। ଅର୍ଥାତ୍ ଏପରି ଏକ ସମ୍ପୂର୍ଣ୍ଣ ନିଷେଧାଦେଶ ଏହି ନିଯୁକ୍ତି ସୃଷ୍ଟିକାରୀ ଇଣ୍ଡଷ୍ଟ୍ରିକୁ ସବୁଦିନ ପାଇଁ ନଷ୍ଟ କରିଦେବା ଭଳି ହେବ, ଯାହାକି ଭାରତୀୟ ବ୍ୟବହାରକାରୀ ଏବଂ ନାଗରିକଙ୍କ ପାଇଁ ଗୁରୁତର କ୍ଷତି ପହଞ୍ଚାଇବ ବୋଲି ଶିଳ୍ପ ସଂଗଠନଗୁଡ଼ିକ ଦୃଢ଼ ଭାବରେ କହିଛନ୍ତି।
ସଂଗଠନଗୁଡ଼ିକଙ୍କ କହିବାନୁସାରେ ଏହି ନିଷେଧ ବିଶ୍ୱବ୍ୟାପୀ ନିବେଶ ଏବଂ ନିବେଶକ ଭାବନାକୁ ମଧ୍ୟ ନିରୋଧ କରିବ, ଯାହା ଫଳରେ ୪୦୦ରୁ ଅଧିକ କମ୍ପାନୀ ବନ୍ଦ ହୋଇଯିବ ଏବଂ ଡିଜିଟାଲ୍ ପ୍ରବର୍ତ୍ତକ ଭାବରେ ଭାରତର ସ୍ଥିତି ଦୁର୍ବଳ ହୋଇଯିବ। ନିୟନ୍ତ୍ରିତ ଏବଂ ଦାୟିତ୍ୱବାନ୍ ଭାରତୀୟ ଅନ୍ଲାଇନ୍ ଗେମିଂ ପ୍ଲାଟ୍ଫର୍ମଗୁଡ଼ିକୁ ବନ୍ଦ କରିବା ଦ୍ୱାରା କୋଟି କୋଟି ସଂଖ୍ୟକ ଅନ୍ଲାଇନ୍ ଗେମର୍ସଙ୍କୁ ବେଆଇନ୍ ତଥା ଠକ ସଂସ୍ଥାଗୁଡ଼ିକଙ୍କ ପ୍ରତି ଆକର୍ଷିତ କରାଇବା ଭଳି ହେବ। ସିଧାସଳଖ କହିଲେ ଏହି ବିଲ୍ର ଏକମାତ୍ର ଲାଭାର୍ଥୀ ଅବୈଧ ଅଫଶୋର ଜୁଆ ଅପରେଟର୍ ହିଁ ହେବେ। ଯଦି ବୈଧ ଭାରତୀୟ ବ୍ୟବସାୟ ବନ୍ଦ ହୋଇଯାଏ, ତେବେ ଅନିୟନ୍ତ୍ରିତ ବ୍ୟକ୍ତିମାନେ ଶୂନ୍ୟସ୍ଥାନ ପୂରଣ କରିବେ। ଏହା ରାଜ୍ୟ ଏବଂ ଜାତୀୟ ଟିକସ ରାଜସ୍ୱକୁ ହ୍ରାସ କରିବ ଏବଂ ଭାରତୀୟ ବ୍ୟବହାରକାରୀମାନଙ୍କୁ ଅନିୟନ୍ତ୍ରିତ ପ୍ଲାଟ୍ଫର୍ମର ସାମ୍ନା କରିବାକୁ ବାଧ୍ୟ କରିଦେବ।
‘










