ଭୁବନେଶ୍ୱର: ବିଜେପି ସରକାର ଶାସନରେ ନାରୀଙ୍କ ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଜି ନାରୀ ସମ୍ପୂର୍ଣ ଅସୁରକ୍ଷିତ ଏବଂ ଅବହେଳିତ । ନାବାଳିକା ସ୍କୁଲ ଛାତ୍ରୀଙ୍କ ଠାରୁ ବୟସ୍କା ମହିଳା କିଏ ମଧ୍ୟ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ମାଲକାନଗିରି, ଗୋପାଳପୁର ବାଲେଶ୍ୱର, ବଳଙ୍ଗା, ଜଗତସିଂହପୁର ଆଦି ରାଜ୍ୟର ସମସ୍ତ ଅଞ୍ଚଳରେ ଘଟୁଥିବା ନାରୀ ନିର୍ଯାତନା ଏହାର ଜ୍ୱଳନ୍ତ ପ୍ରମାଣ । ନାରୀ ନିର୍ଯାତନାକୁ ନେଇ ସରକାର ତିଳେମାତ୍ର ବିଚଳିତ ନାହାନ୍ତି । ସରକାର ଯଦି ସାମାନ୍ୟ ପଦକ୍ଷେପ ଗ୍ରହଣ କରି ପୀଡିତା ମାନଙ୍କ ଦୁଃଖ ଶୁଣିଥାନ୍ତେ ତେବେ ସେମାନଙ୍କୁ ନ୍ୟାୟ ମିଳିଥାନ୍ତା ଏବଂ ଜୀବନ ହରିବାକୁ ପଡି ନଥାନ୍ତା । ବଳଙ୍ଗା ଛାତ୍ରୀ ପୋଡି ଘଟଣାରେ ଦୀର୍ଘ ଦିନ ବିତି ଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ପୋଲିସ ଧରି ପାରିଲା ନାହିଁ । ପୀଡିତାଙ୍କ ମାଆ ନିଜ ଏତଲାରେ ଖୋଦ କହୁଛନ୍ତି ଯେ ତାଙ୍କ ଝିଅକୁ ତିନି ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଟେକି ନେଇ ଜାଳି ଦେଇଛନ୍ତି କିନ୍ତୁ ପୀଡ଼ିତାଙ୍କ ମୃତ୍ୟୁ ପରେ ପୁଲିସ ପକ୍ଷରୁ କୁହାଯାଉଛି ଯେ ପୋଡି ଘଟଣାରେ କେହି ସାମିଲ ନଥିଲେ । ଏଠାରେ ପୁଲିସ କାହା ଚାପରେ ପଡି ଏଭଳି ବୟାନ ଦେଉଛି । ସରକାର ଏବଂ ପ୍ରଶାସନ ଜାଣିଶୁଣି ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଉଛନ୍ତି । ବଳଙ୍ଗା ପୋଡି ଘଟଣାର ତିନି ଅଭିଯୁକ୍ତଙ୍କୁ ଗିରଫ କରି ସ୍ୱର୍ଗତା ପୀଡିତାଙ୍କୁ ନ୍ୟାୟ ପ୍ରଦାନ, ରାଜ୍ୟରେ ବୃଦ୍ଧି ପାଉଥିବା ନାରୀ ନିର୍ଯାତନା ବିରୁଦ୍ଧରେ ଓଡିଶା କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ପଦଯାତ୍ରା ଅନୁଷ୍ଠିତ ହେବ ।
ଅଗଷ୍ଟ ୧୦ ସକାଳ ୯ ଘଣ୍ଟା ସମୟରେ ବାୟାବାର ପୋଡି ଘଟଣାସ୍ଥଳରୁ ପଦଯାତ୍ରା ଆରମ୍ଭ ଏବଂ ନିମାପଡାରେ ପହଞ୍ଚିବ। ନିମାପଡାରେ ପଦଯାତ୍ରା ପହଞ୍ଚିଲା ପରେ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ ।
ଏହି “ନାରୀ ନ୍ୟାୟ” ପଦ ଯାତ୍ରାରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ରାଜ୍ୟ କଂଗ୍ରେସର ବହୁ ବରିଷ୍ଠ ନେତା ଓ ବହୁ ସଂଖ୍ୟାରେ ପୁରୀ ଜିଲ୍ଲା କଂଗ୍ରେସର କାର୍ଯ୍ୟକର୍ତ୍ତା ସାମିଲ ହେବେ ।
ବଳଙ୍ଗା ଝିଅକୁ ନ୍ୟାୟ ଦେବା ଏବଂ ନାରୀଙ୍କ ସୁରକ୍ଷା ପାଇଁ କଂଗ୍ରେସ ଦଳର ଏହି ନାରୀ ନ୍ୟାୟ ପଦଯାତ୍ରାରେ ସାମିଲ ହେବା ସକାଶେ ପିସିସି ସଭାପତି ଶ୍ରୀ ଦାସ ପୁରୀ ଜିଲ୍ଲା ବାସୀଙ୍କୁ ନିବେଦନ କରିଛନ୍ତି ।










