25.1 C
Bhubaneswar
Saturday, December 6, 2025
Homeଓଡିଶାରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ନାରୀ ନିର୍ଯାତନା ରୋକିବା ପାର୍ଇ ଆହ୍ବାନ

ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ନାରୀ ନିର୍ଯାତନା ରୋକିବା ପାର୍ଇ ଆହ୍ବାନ

ଭୁବନେଶ୍ୱର: ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ନାରୀ ନିର୍ଯାତନା ରୋକିବା ପାର୍ଇ ଆହ୍ବାନ ଦେଇ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ ଆପଣ ଜାଣନ୍ତି, ଆମ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଏପରି ମହିଳା-ବିରୋଧୀ ଘଟଣାମାନ ଘଟିଚାଲିଛି, ଯଦ୍ବାରା ଓଡ଼ିଶାରେ ମହିଳାମାନେ ସୁରକ୍ଷିତ ନୁହନ୍ତି ବୋଲି ଧାରଣା ସାରା ଦେଶରେ, ଏପରିକି ବିଦେଶରେ ମଧ୍ୟ ସୃଷ୍ଟି ହୋଇଛି। ଗତ ଜୁଲାଇ ୧୪ ତାରିଖରୁ ଗତ ୭ ଅଗଷ୍ଟ -ମାତ୍ର ତିନି ସପ୍ତାହ‌ ମଧ୍ୟରେ ପୁଲିସ ଅବହେଳା ଯୋଗୁଁ ତିନି ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ପୋଡ଼ିହୋଇ ମରିବା ଭଳି ଦୁଃଖଦ ଘଟଣା ଘଟିଛି। ନିଜ ବିଭାଗର ଅଧ୍ୟାପକଙ୍କ ଦ୍ବାରା ନିର୍ଯାତିତା ସୌମ୍ୟାଶ୍ରୀ ୬ ମାସ କାଳ ବିଭିନ୍ନ ସ୍ତରରେ ବିଧିବଦ୍ଧ ଭାବେ ଅଭିଯୋଗ କରିଆସିଥିଲେ ହେଁ ଏଫ୍ଆଇଆର୍‌ଟିଏ ମଧ୍ୟ ରୁଜୁ ହୋଇ ନ ପାରିବାରୁ ସେ ଆତ୍ମାହୁତି ଦେଇଥିବା ସର୍ବଜନବିଦିତ।

ଠିକ୍ ସେହିପରି, ବଳଙ୍ଗା ଘଟଣାରେ ପୀଡ଼ିତା ୧୫ ଦିନ ପରେ ଆଖି ବୁଜିଦେଲେ ପଛେ, ତାଙ୍କୁ ପୋଡ଼ି ମାରିଦେବା ଉଦ୍ୟମ କରିଥିବା ତିନି ଦୁର୍ବୃତ୍ତଙ୍କୁ ଏଫ୍‌ଆଇଆର ଆଧାରରେ ଏ ଯାଏ ମଧ୍ୟ ଗିରଫ କରାଗଲା ନାହିଁ କି ତଦନ୍ତର ଗତି ବିଷୟରେ ପୁଲିସ ଏ ଯାଏ ସାମାନ୍ୟ ସୂଚନା ମଧ୍ୟ ଦେଲାନାହିଁ। ଅନ୍ୟ ପକ୍ଷରେ, ଦୁଇଦିନ ତଳେ ଅର୍ଥାତ ଗତ ୬ ଅଗଷ୍ଟ ଅନ୍ୟ ଏକ ଅନୁରୂପ ଘଟଣାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଲିସ ଅବହେଳା ଯୋଗୁଁ ଆଉ ଜଣେ ଛାତ୍ରୀ ନିଜକୁ ଜଳାଇ ମାରିବା ଘଟଣା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି। ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧୀନସ୍ଥ ବଡ଼ପଡ଼ା ଗ୍ରାମପଞ୍ଚାୟତର କାଠିଆପଡ଼ାର ସେଇ +୩ ଶେଷବର୍ଷ ଛାତ୍ରୀ ୬ ମାସ ହେଲା ନିଜ ପୂର୍ବ ପୁରୁଷବନ୍ଧୁଙ୍କ ନିର୍ଯାତନା ବିଷୟରେ ଅଭିଯୋଗ କରିଥିଲେ ହେଁ ମାମଲାଟିଏ ସୁଦ୍ଧା ରୁଜୁ ନ ହେବା କାରଣରୁ ସେ ନିଜକୁ ଜାଳି ମାରିଦେବା ଘଟଣା ରାଜ୍ୟବାସୀଙ୍କ ସାମୁହିକ ବିବେକକୁ ଦଂଶନ କରିଛି।

ଆପଣଙ୍କର ମନେ ଥିବ, ଏବର ସରକାର ଦାୟିତ୍ବ ନେବାର କିଛିଦିନ ମଧ୍ୟରେ ମହିଳା ସୁରକ୍ଷା ସମ୍ପର୍କିତ ଏଫ୍‌ଆଇଆର ପ୍ରସଙ୍ଗରେ ସରକାରଙ୍କ ଶୂନ୍ୟ ସହନଶୀଳତା ଥିବା ନେଇ ଆପଣଙ୍କୁ ମୁଖ୍ୟମନ୍ତ୍ରୀ ସର୍ବସମକ୍ଷରେ ନିର୍ଦ୍ଦେଶ ଦେଇଥିଲେ। ଏପରିକି ନାରୀ ନର୍ଯାତନା ମାମଲାରେ ଦଣ୍ଡବିଧାନର ହାର ରାଜ୍ୟରେ ଅପେକ୍ଷାକୃତ କମ୍ ଥିବା ନେଇ ସେ ଉଦ୍‌ବେଗ ମଧ୍ୟ ପ୍ରକାଶ କରିଥିଲେ। ତେବେ, ପରିତାପର ବିଷୟ, ସରକାର ମହିଳା ସୁରକ୍ଷା ସମ୍ବନ୍ଧୀୟ କିଛି ଠୋସ୍ ପଦକ୍ଷେପ ନେବା ତ ଦୂରର କଥା, ରାଜ୍ୟରେ ଘଟିଚାଲିଥିବା କୌଣସି ଗୋଟିଏ ବି ଏପରି ମାମଲାରେ ପୁଲିସ ବିଶେଷ କାର୍ଯ୍ୟାନୁଷ୍ଠାନ କରିନାହିଁ। ଫଳରେ ରାଜ୍ୟ ଅପରାଧୀମାନଙ୍କ ଚରାଭୂଇଁ ପାଲଟିଛି।

ବଳଙ୍ଗା ଛାତ୍ରୀପୋଡ଼ି ଘଟଣାରେ ସ୍ବତନ୍ତ୍ର ଭାବେ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଛୁ। ଆପଣଙ୍କର ମନେ ଥିବ, ଗତ ୨ ଅଗଷ୍ଟ ଶନିବାର ସନ୍ଧ୍ୟାରେ ବଳଙ୍ଗା ପୀଡ଼ିତା ଆଖି ବୁଜିବା ପରେ ‘ପୁଲିସ ଉକ୍ତ ଘଟଣାରେ ସଂପୃକ୍ତ ୩ ଦୁର୍ବୃତ୍ତଙ୍କୁ ୭ ଦିନ ମଧ୍ୟରେ ଗିରଫ ନ କଲେ କଂଗ୍ରେସ ପକ୍ଷରୁ ପୁଲିସ ଡିଜିଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ’ ବୋଲି କଂଗ୍ରେସ ପକ୍ଷରୁ ଘୋଷଣା କରିଥିଲୁ। ପୀଡ଼ିତାଙ୍କ ମାଁ ଦେଇଥିବା ଏତଲାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇ ଇତିମଧ୍ୟରେ ଜଣେ ସୁଦ୍ଧା ଅଭିଯୁକ୍ତକୁ ପୁଲିସ ଗିରଫ କରିବାକୁ ଉଦ୍ୟମ କଲାନାହିଁ। ତେଣୁ ବାଧ୍ୟ ହୋଇ ଆପଣଙ୍କ କାର୍ଯ୍ୟାଳୟ ସାମନାରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ୮ ଅଗଷ୍ଟ ୨୦୨୫, ଶୁକ୍ରବାର ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଉଛି।

ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ତୁରନ୍ତ ପଦକ୍ଷେପ ନେଇ ଆଇନର ଶାସନ ଫେରାଇ ଆଣିବାକୁ ଆମେ ଆପଣଙ୍କ ନିକଟରେ ଦାବି କରୁଛୁ। ପୁଲିସ ପକ୍ଷରୁ ତୁରନ୍ତ ନିମ୍ନ ପଦକ୍ଷେପଗୁଡ଼ିକ ନ ନେଲେ ରାଜ୍ୟରେ ଅରାଜକତା ଆହୁରି ବଢ଼ିବାର ଆଶଙ୍କା ରହିଛି:-

୧) ବଳଙ୍ଗା ଦିବଙ୍ଗତାଙ୍କ ମାଁ’ଙ୍କ ଏଫ୍‌ଆଇଆର ଆଧାରରେ ତଦନ୍ତ ହେଉ। ବାପାମାଁଙ୍କ ମୂଳ ବୟାନ ତଥା ଝିଅଟିର ନିଜ ବୟାନ ଆଧାରରେ ଉକ୍ତ ୩ ଦୁର୍ବୃତ୍ତଙ୍କୁ ୁତରନ୍ତ ଗିରଫ କରାଯାଉ।

୨) ଭୋଗରାଇ ଦିବଂଗତାଙ୍କୁ ନ୍ୟାୟପ୍ରଦାନ ପାଇଁ ଏହି ମୌଳିକ କାର୍ଯ୍ୟାନୁଷ୍ଠାନ ଜରୁରି:- ଛାତ୍ରୀଜଣକ ଅଧ୍ୟାପକଙ୍କ ନିର୍ଯାତନା ବିରୋଧରେ ବିଧିବଦ୍ଧ ଭାବେ ସବୁସ୍ତରରେ ଅଭିଯୋଗ କରିବା ସତ୍ତ୍ବେ ଏଫ୍‌ଆଇଆର୍‌ ରୁଜୁ କରିବାରେ ଯେଉଁମାନେ ପ୍ରତିବନ୍ଧକ ସାଜିଲେ, ସେ ସମସ୍ତଙ୍କୁ ତୁରନ୍ତ ତଦନ୍ତ ପରିସରଭୁକ୍ତ କରି କାର୍ଯ୍ୟାନୁଷ୍ଠାନ କରାଯାଉ।

୩) ପଟ୍ଟାମୁଣ୍ଡାଇ ମାମଲାରେ ଯେଉଁ ପୁଲିସ ଅଧିକାରୀମାନେ ଏଫ୍‌ଆଇଆର୍ ଗ୍ରହଣ କଲେନାହିଁ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରାଯାଉ।

୪) ଏହାଛଡ଼ା, ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଘୋଷିତ ‘ଜିରୋ ଏଫ୍‌ଆଇଆର’ ନୀତିକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ। ଏଣୁଏଣିକି ନାରୀ ନିର୍ଯାତନା ସମ୍ବନ୍ଧିତ ପ୍ରତିଟି ମାମଲାକୁ ପୁଲିସ ସମ୍ବେଦନଶୀଳତାର ସହ ଅଗ୍ରାଧିକାର ଦେବା ସହ ପ୍ରଥମେ ତୁରନ୍ତ ଏତଲା ରୁଜୁ କରିବା ପାଇଁ ଆପଣ ସମସ୍ତ ଥାନାକୁ ତୁରନ୍ତ ନିର୍ଦ୍ଦେଶ ଦେବାକୁ ଦାବି କରୁଛୁ।

ଏ ଦିଗରେ ଶିଘ୍ର ପଦକ୍ଷେପ ନ ନେଲେ କଂଗ୍ରେସ ଦଳ ପକ୍ଷରୁ ଆଗାମୀ ଦିନରେ ଏକ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଜରିଆରେ କ୍ରମ‌ାନ୍ବୟେ ରାଜ୍ୟର ସମସ୍ତ ଥାନା ଘେରାଉ କରାଯିବ। ଆଶା, ରାଜ୍ୟର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଆପଣଙ୍କର କିଛି ଠୋସ୍ ପଦକ୍ଷେପ ଜରିଆରେ ଆଇନଶୃଙ୍ଖଳା ପରିସ୍ଥିତି ସୁଧାରିବାରେ ପୁଲିସ ବିଭାଗ ସଫଳ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking