16.1 C
Bhubaneswar
Sunday, December 7, 2025
Homeଓଡିଶାରାଜ୍ୟରେ ବିପର୍ୟ୍ୟସ୍ତ ଆଇନ ଶୃଙ୍ଖଳାର ସଦ୍ୟତମ ଉଦାହରଣ: ବିଜେଡି

ରାଜ୍ୟରେ ବିପର୍ୟ୍ୟସ୍ତ ଆଇନ ଶୃଙ୍ଖଳାର ସଦ୍ୟତମ ଉଦାହରଣ: ବିଜେଡି

ଭୁବନେଶ୍ୱର: ଗତକାଲି ପଟ୍ଟାମୁଣ୍ଡାଇ ସଦର ଥାନା ଅନ୍ତର୍ଗତ ଜଣେ +୩ କଲେଜ ଛାତ୍ରୀଙ୍କ ଆତ୍ମହୁତି ଘଟଣାରେ ରାଜ୍ୟର ବିପର୍ୟ୍ୟସ୍ତ ଆଇନ ଶୃଙ୍ଖଳା ଓ ମହିଳା ମାନେ ଅସୁରକ୍ଷିତ ହୋଇ ପଡିଥିବାର ସଦ୍ୟତମ ଉଦାହରଣ ବୋଲି ବିଜୁ ଜନତା ଦଳ କହିଛି। ରାଜ୍ୟରେ ନାରୀ ମାନଙ୍କୁ ସୁରକ୍ଷା ପ୍ରଦାନ କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ଓ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଉଦବେଗଜନକ ହୋଇ ପଡିଛି ବୋଲି ବିଜେଡି କହିଛି।ଶଙ୍ଖଭଵନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ବରିଷ୍ଠ ବିଜେଡି ନେତା ତଥା ବିଧାୟକ ଶ୍ରୀ ପ୍ରତାପ ଦେବ କହିଥିଲେ, ପୀଡିତା ଛାତ୍ରୀ ଜଣକ ଜଣେ ଯୁବକ ଦ୍ୱାରା ଲଗାତାର ଭାବେ ବ୍ଲାକମେଲର ଶିକାର ହେଉଥିଲେ। ତାଙ୍କ ବାପାଙ୍କ କହିବା ଅନୁଯାୟୀ ସ୍ଥାନୀୟ ପୁଲିସ ତାଙ୍କ ଅଭିଯୋଗ ଗ୍ରହଣ କରି ନଥିଲା, ଯେଉଁଥି ପାଇଁ ସେ ବାଧ୍ୟହୋଇ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ। ପୋଲିସର ସ୍ଥାଣୁତା ପାଇଁ ଗୋଟିଏ ମୂଲ୍ୟବାନ ଜୀବନ ଚାଲିଗଲା। ପୀଡ଼ିତାଙ୍କ ବାପାଙ୍କ ମନ୍ତବ୍ୟ ଅନୁଯାୟୀ, ଗତ କାଲି ଏହି ଘଟଣା ଘଟିବା ପରେ, ସେ ସ୍ଥାନୀୟ ପୋଲିସ ଥାନାକୁ ସୂଚନା ଦେଇଥିଲେ। କିନ୍ତୁ, ସେ ସୂଚନା ଦେବାର ଚାରି ଘଣ୍ଟା ପରେ ପୋଲିସ ତାଙ୍କ ଘରେ ପହଞ୍ଚି ଥିଲା। ଏହି ଘଟଣାରୁ ସ୍ପଷ୍ଟ ଅନୁମେୟ ହୁଏ ଯେ, କେନ୍ଦ୍ରାପଡା ଜିଲ୍ଲାରେ ଓ ସମଗ୍ର ଓଡ଼ିଶାରେ ପୋଲିସ ପ୍ରଶାସନ ସ୍ଥାଣୁ ପାଲଟି ଯାଇଛି, ଯେଉଁଥିପାଇଁ ମହିଳାମାନଙ୍କ ବିରୋଧରେ ନିର୍ୟାତନା ଅହେତୁକ ବୃଦ୍ଧି ପାଇଛି।

ଶ୍ରୀ ଦେବ ଆହୁରି କହିଥିଲେ, କେବଳ ଜଣେ ପୋଲିସ ଅଧିକାରୀକୁ ବଦଳି କରିଦେଲେ ବା ନିଳମ୍ବନ କରିଦେଲେ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରାଯାଇ ପାରିବ ନାହିଁ। ରାଜ୍ୟରେ ଗତ ତିନି ମାସର ଅପରାଧ ରେକର୍ଡ ଦେଖିଲେ, ମହିଳାଙ୍କ ବିରୋଧରେ ଅପରାଧ ଓ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ୟ୍ୟସ୍ତ ହୋଇ ପଡ଼ିଥିବା ସ୍ପଷ୍ଟ ହେଉଛି। ବିଜୁ ଜନତା ଦଳ ତରଫରୁ, ଏହା ବିରୋଧରେ ବାରମ୍ବାର ସ୍ୱର ଉତ୍ତୋଳନ କରାଯାଇ ଆସୁଥିଲେ ମଧ୍ୟ ସରକାର ଦୋଷୀମାନଙ୍କ ବିରୋଧରେ ସେପରି କୌଣସି ଆଖି ଦୃଶିଆ ପଦକ୍ଷେପ ନେଉନାହାନ୍ତି।ବିଧାୟକ ଧ୍ରୁବ ଚରଣ ସାହୁ କହିଥିଲେ, ଘଟଣାଟି ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଠିଆପଡା ଗ୍ରାମରେ ଘଟିଥିବାରୁ ସେ ଗତ କାଲି ଘଟଣାସ୍ଥଳକୁ ଯାଇଥିଲେ। ପୀଡିତାଙ୍କ ବାପାଙ୍କ ଅନୁଯାୟୀ, ପ୍ରାୟ ଛଅ ମାସ ତଳେ ସେ ଝିଅକୁ ବ୍ଲାକମେଲ କରୁଥିବା ଯୁବକ ବିଷୟରେ ଅଭିଯୋଗ କରିବା ପାଇଁ ସ୍ଥାନୀୟ ଥାନାକୁ ଯାଇଥିଲେ। ପୋଲିସ ଅଧିକାରୀ ତାଙ୍କୁ ଯୁବକ ଜଣଙ୍କର ନମ୍ବରକୁ ବ୍ଲକ କରିବା ସହିତ ସେ ପଠାଇଥିବା ନ୍ୟୁଡ଼ ଫଟୋକୁ ଡିଲିଟ କରିବାକୁ ଉପଦେଶ ଦେଇ ଥାନାରୁ ବିଦା କରି ଦେଇଥିଲେ। ପରବର୍ତ୍ତୀ ସମୟରେ, ସେହି ଯୁବକର ଦୌରାତ୍ମ୍ୟ ଆହୁରି ବୃଦ୍ଧି ପାଇଥିଲା, ଯାହା ଯୋଗୁ ଝିଅ ଏଭଳି ଚରମ ନିଷ୍ପତ୍ତି ନେଇଥିଲା। ଏଭଳି ସମ୍ବେଦନଶୀଳ ଘଟଣାରେ ପୋଲିସ କାର୍ୟ୍ୟାନୁଷ୍ଠାନ ନନେବା ରାଜ୍ୟର ବିପର୍ୟ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତିକୁ ଦର୍ଶାଉଛି। ତେଣୁ ଏହି ଘଟଣାର ତଦନ୍ତ ଭାର ରାଜ୍ୟ ସରକାର ତୁରନ୍ତ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରନ୍ତୁ ବୋଲି ବିଜୁ ଜନତା ଦଳ ଦାବୀ କରୁଛି ବୋଲି ଶ୍ରୀ ସାହୁ କହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking