25.1 C
Bhubaneswar
Saturday, March 21, 2026
Homeଓଡିଶାନିଜ ବିଫଳତା ଉପରୁ ନଜର ହଟାଇବାକୁ ଅଫିସ୍ ବିଲ୍ଡିଂ ଗେରୁଆକରଣ: ବିଜେଡି

ନିଜ ବିଫଳତା ଉପରୁ ନଜର ହଟାଇବାକୁ ଅଫିସ୍ ବିଲ୍ଡିଂ ଗେରୁଆକରଣ: ବିଜେଡି

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଅଫିସ, ଉଭୟ ନୂଆ ଓ ପୁରୁଣାକୁ ଗେରୁଆ ରଙ୍ଗ ଦିଆଯିବ ବୋଲି ରାଜ୍ୟ ବିଜେପି ସରକାରଙ୍କ ଦ୍ୱାରା ଏକ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜୁ ଜନତା ଦଳ ଦୃଢ଼ ସମାଲୋଚନା କରିଛି । ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ବିଜେପି ସରକାରଙ୍କ ୧୩ ମାସର ଶାସନ କାଳରେ, ସୁଶାସନ ପ୍ରଦାନ କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି ଓ ମହିଳା ମାନେ ଅସୁରକ୍ଷିତ ହୋଇ ପଡିଛନ୍ତି । ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ମହିଳାଙ୍କ ବିରୋଧରେ ଅପରାଧ ଉଦ୍ବେଗଜନକ ଭାବେ ବୃଦ୍ଧି ପାଇଛି । ବିକାଶ ଠପ୍ ହୋଇଛି, କୌଣସି ବିକାଶ ମୂଳକ କାର୍ଯ୍ୟ ଆଗକୁ ବଢ଼ି ପାରୁନାହିଁ । ୧୩ ମାସର ଶାସନରେ ୧୩ ଥର ପ୍ରଶ୍ନପତ୍ର ପ୍ରଘଟ ହୋଇଛି । ତ୍ରୁଟିଶୂନ୍ୟ ପରୀକ୍ଷା କରିବାରେ, ତ୍ରୁଟିଶୂନ୍ୟ ରଥଯାତ୍ରା ଆୟୋଜନ କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ।

ଗୋପାଳପୁର ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ବାଲେଶ୍ୱର ଏଫଏମ କଲେଜରେ ଛାତ୍ରୀ ଆତ୍ମାହୂତି ଘଟଣା, ବଳଙ୍ଗାରେ ନାବାଳିକାକୁ ଜିଅନ୍ତା ଜାଳିଦେବା ଘଟଣା ରାଜ୍ୟବାସୀଙ୍କୁ ବ୍ୟଥିତ କରିଥିବା ବେଳେ ଓଡିଶା ପାଇଁ ଲଜ୍ଜ୍ୟା ଓ ନିନ୍ଦା ଆଣିଛି ।
ଡ଼ ମହାନ୍ତି ଆହୁରି କହିଥିଲେ, ସରକାରଙ୍କ ବିଫଳତା ତାଲିକା ଦିନକୁ ଦିନ ଲମ୍ୱା ହୋଇ ଚାଲିଥିବା ବେଳେ, ନିଜ ବିଫଳତା ଉପରୁ ନଜର ହଟାଇବା ପାଇଁ ସରକାର ଅଫିସ ବିଲ୍ଡିଂ ଗୁଡିକୁ ଗେରୁଆ କରଣ କରି ଜନସାଧାରଣଙ୍କ ନଜର ତାଙ୍କ ବିଫଳତା ଉପରୁ ହଟାଇବାକୁ ଚାହୁଁଛନ୍ତି । ସରକାରଙ୍କ ବିଜ୍ଞପ୍ତିରେ ଉଭୟ ନୂଆ ଓ ପୁରୁଣା ବିଲ୍ଡିଂର ରଙ୍ଗ ପରିବର୍ତ୍ତନ ହେବ ବୋଲି କୁହାଯାଇଛି । କିନ୍ତୁ, ଓଡ଼ିଶାବାସୀ ରାଜ୍ୟ ସରକାରଙ୍କ ବିଫଳତାକୁ ଅଙ୍ଗେ ନିଭାଉଛନ୍ତି । ତେଣୁ, ରାଜ୍ୟ ସରକାରଙ୍କ ଏହି ନଜର ହଟାଅ କୌଶଳ କାମ ଦେବ ନାହିଁ । ରାଜ୍ୟ ରାଜକୋଷରୁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରି ଅଫିସ ବିଲ୍ଡିଂ ଗୁଡିକର ରଙ୍ଗ ଗେରୁଆ କରିବା ଉଦ୍ୟମକୁ ରାଜ୍ୟବାସୀ କେବେ ବି ଗ୍ରହଣ କରିବେ ନାହିଁ । ବିଭିନ୍ନ କ୍ଷେତ୍ରରେ ବିଫଳତା ଶିଖରରେ ପହଞ୍ଚି ଥିବାବେଳେ, ରାଜ୍ୟ ସରକାରଙ୍କ ରଙ୍ଗ ପରିବର୍ତ୍ତନ ଉଦ୍ୟମ, ସମଗ୍ର ରୋମ ସହର ଜଳୁଥିବା ବେଳେ ଏହାର ଶାସକ ନୁ୍ୟରୋ ବଂଶୀ ବାଦନ କରୁଥିବା ସଦୃଶ୍ୟ ବୋଲି ଡ଼ ମହାନ୍ତି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking