25.1 C
Bhubaneswar
Saturday, March 21, 2026
Homeଦେଶ ବିଦେଶ୨୦୦୬ ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ମାମଲା: ବମ୍ବେ ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

୨୦୦୬ ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ମାମଲା: ବମ୍ବେ ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ: ୨୦୦୬ ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ମାମଲାରେ ୧୨ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରାଯିବାଜନିତ ବମ୍ବେ ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି । ବମ୍ବେ ହାଇକୋର୍ଟଙ୍କ ରାୟ ବିରୋଧରେ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଦାୟର ଆବେଦନ ଉପରେ ଗୁରୁବାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ବିଚାରପତି ଏମ୍‌.ଏମ୍‌. ସୁନ୍ଦରେଶ ଏବଂ ବିଚାରପତି ଏନ୍‌. କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମହାରାଷ୍ଟ୍ର କଣ୍ଟ୍ରୋଲ୍ ଅଫ୍ ଅର୍ଗାନାଇଜଡ୍ କ୍ରାଇମ ଆକ୍ଟ (ଏମ୍‌ସିଓସିଏ) ଅଧୀରେ ଚାଲିଥିବା ମାମଲାଗୁଡ଼ିକୁ ହାଇକୋର୍ଟଙ୍କ ରାୟ ପ୍ରଭାବିତ କରିପାରେ ବୋଲି ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିବା ବେଳେ ଏହାର ପ୍ରଭାବ ଅନ୍ୟ କୌଣସି ମାମଲା ଉପରେ ପଡ଼ିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ଏହି ମାମଲାରେ ସୁପ୍ରିମକୋର୍ଟ ୧୨ ଜଣଙ୍କୁ ନୋଟିସ୍ ଜାରି କରିଛନ୍ତି । ସୁପ୍ରିମକୋର୍ଟ ଏହି ମାମଲାରେ ସ୍ପଷ୍ଟ କରିଛନ୍ତି ଯେ ବମ୍ବେ ହାଇକୋର୍ଟର ନିଷ୍ପତ୍ତି ପରେ ନିର୍ଦ୍ଦୋଷ ପାଇଥିବା ସମସ୍ତ ୧୨ ଅଭିଯୁକ୍ତଙ୍କୁ ଆଉ ଗିରଫ କରାଯିବ ନାହିଁ ।

ପ୍ରକାଶ, ୨୦୦୬, ଜୁଲାଇ ୧୧ରେ ମୁମ୍ବାଇର ସୁବରବାନ୍ ରେଲ୍ ନେଟୱାର୍କରେ ସିରିଅଲ୍ ବୋମା ବିସ୍ଫୋରଣ ଘଟଣାରେ ୧୮୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ୮୦୦ ରୁ ଅଧିକ ଆହତ ହୋଇଥିଲେ । ତେବେ ଏହି ମାମଲାରେ ଏମ୍‌ସିଓସିଏ କୋର୍ଟ ଦୀର୍ଘଦିନର ବିଚାର ପରେ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଦେଇଥିବା ବେଳେ ଅନ୍ୟ ୭ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । କମଲ ଅନସାରୀ, ମହମ୍ମଦ ଫୈଜଲ ଆତୁର ରେହମାନ ଶେଖ୍‌, ଏହତେଶାମ କୁତୁବୁଦ୍ଦିନ ସିଦ୍ଦିକି, ନାଭିଦ ହୁସେନ୍ ଖାନ୍ ଏବଂ ଆସିଫ ଖାନ୍‌ଙ୍କୁ ବୋମା ଖଞ୍ଜିବା ପାଇଁ ମୃତ୍ୟୁଦଣ୍ଡ ପ୍ରଦାନ କରାଯାଇଥିଲା । ସେହିପରି ଆଜୀବନ କାରାଦଣ୍ଡ ପାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ତନବୀର ଅହମ୍ମଦ ଅନସାରୀ, ମହମ୍ମଦ ମାଜିଦ ଶଫି, ଶେଖ ମହମ୍ମଦ ଅଲ୍ଲୀ ଆଲମ, ମହମ୍ମଦ ସାଜିଦ ମାର୍ଗୁବ ଅନସାରୀ, ମୁଜାମ୍ମିଲ ଆତାଉର ରହମାନ ଶେଖ, ସୁହେଲ ମେହମୁଦ ଶେଖ ଏବଂ ଜମିର ଅହମ୍ମଦ ଲତିଫୁର ରହମାନ ଶେଖ୍ ପ୍ରମୁଖ ସାମିଲ ଥିଲେ । ତେବେ ୨୦୨୧ରେ ନାଗପୁର ଜେଲ୍‌ରେ ଥିବା ବେଳେ କମଲ ଅନ୍‌ସାରୀଙ୍କର କରୋନାରେ ମୃତ୍ୟୁ ହେବାପରେ ବାକି ୧୧ଜଣ ଅଭିଯୁକ୍ତଙ୍କ ବିରୋଧରେ ଦଣ୍ଡାଦେଶ କାଏମ ରହିଥିଲା । କିନ୍ତୁ ବମ୍ବେ ହାଇକୋର୍ଟ ଜୁଲାଇ ୨୧ରେ ଏହି ମାମଲାରେ ସମସ୍ତ ୧୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ଏବଂ କହିଥିଲେ ଯେ, ସରକାରୀ ଓକିଲ ଅପରାଧ ପ୍ରମାଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ହାଇକୋର୍ଟର ବିଚାରପତି ଜଷ୍ଟିସ ଅନିଲ କିଲୋର ଏବଂ ଜଷ୍ଟିସ ଶ୍ୟାମ ଚଣ୍ଡକ କହିଥିଲେ ଯେ, ଅପରାଧରେ ବ୍ୟବହୃତ ବୋମାଗୁଡ଼ିକର ପ୍ରକାରକୁ ମଧ୍ୟ ରେକର୍ଡରେ ଆଣିବାରେ ବିଫଳ ହୋଇଛନ୍ତି ଏବଂ ସେମାନଙ୍କ ଦ୍ୱାରା ନିର୍ଭର କରାଯାଇଥିବା ପ୍ରମାଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଚୂଡ଼ାନ୍ତ ନୁହେଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking