14.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଆମେରିକୀୟ କମ୍ପାନୀଙ୍କୁ ଟ୍ରମ୍ପଙ୍କ ତାଗିଦ୍‌; ଭାରତୀୟଙ୍କୁ ନିଯୁକ୍ତି ଦେବା ବନ୍ଦ କର

ଆମେରିକୀୟ କମ୍ପାନୀଙ୍କୁ ଟ୍ରମ୍ପଙ୍କ ତାଗିଦ୍‌; ଭାରତୀୟଙ୍କୁ ନିଯୁକ୍ତି ଦେବା ବନ୍ଦ କର

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଗୁଗଲ୍ ଓ ମାଇକ୍ରୋସଫ୍ଟ ଭଳି ବଡ଼ ଟେକ୍ କମ୍ପାନୀମାନଙ୍କୁ ଭାରତ ଏବଂ ଅନ୍ୟ ଦେଶର ନାଗରିକଙ୍କୁ ନିଯୁକ୍ତି ଦେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଟ୍ରମ୍ପ୍ ଏସବୁ କମ୍ପାନୀଙ୍କୁ ବିଦେଶର ନାଗରିକଙ୍କୁ ନିଯୁକ୍ତି ବା ଚାକିରି ଦେବା ବଦଳରେ ଆମେରିକାରେ ଚାକିରି ସୃଷ୍ଟି ଉପରେ ଧ୍ୟାନ ଦେବାକୁ କହିଛନ୍ତି । ୱାଶିଂଟନ ଡିସି ଠାରେ ଆୟୋଜିତ ଏକ ଏଆଇ ସମ୍ମିଳନୀରେ ଟ୍ରମ୍ପ୍ କହିଛନ୍ତି, ଆମେରିକୀୟ କମ୍ପାନୀମାନେ ଚୀନ୍‌ରେ କାରଖାନା ନିର୍ମାଣ କରିବା କିମ୍ବା ଭାରତୀୟ ଟେକ୍ କର୍ମୀମାନଙ୍କୁ ଚାକିରି ଦେବା ବଦଳରେ ନିଜ ଦେଶରେ ଚାକିରି ସୁଯୋଗ ସୃଷ୍ଟି କରିବା ଉଚିତ୍ । ଟ୍ରମ୍ପ୍‌ଙ୍କ କହିବାନୁସାରେ ‘ଆମେରିକୀୟ ଟେକ୍ କମ୍ପାନୀଗୁଡ଼ିକ ନିଜ ଦେଶର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସ୍ୱାଧୀନତାର ବଡ଼ ଲାଭ ଉଠାଉଛନ୍ତି । ଏମାନେ ଚୀନ୍‌ରେ ପ୍ଲାଣ୍ଟ ଲଗାଉଛନ୍ତି ଏବଂ ଭାରତୀୟଙ୍କୁ ନିଯୁକ୍ତି ଦେଉଛନ୍ତି । ଏହାଦ୍ୱାରା ଆମେରିକା ଏବଂ ଆମେରିକୀୟ ନାଗରିକଙ୍କ ଲାଭ ହେଉନାହିଁ । ବିଦେଶରେ ନିବେଶ କରିବା ବଦଳରେ ନିଜ ଦେଶରେ ନିବେଶ କରିବା ନିଜ ଦେଶ ଓ ଦେଶବାସୀଙ୍କ ପାଇଁ ଲାଭଦାୟକ ହୋଇପାରିବ । ଆମେରିକୀୟ ଟେକ୍ କମ୍ପାନୀମାନେ ଆମେରିକାକୁ ପ୍ରାଥମିକତା ଦିଅନ୍ତୁ ବୋଲି ଟ୍ରମ୍ପ୍ କହିଛନ୍ତି ।

ଟ୍ରମ୍ପ୍ ନିଜ ଆହ୍ୱାନରେ କହିଛନ୍ତି, ‘ଗୁଗଲ୍‌, ମାଇକ୍ରୋସଫ୍ଟ ଭଳି କମ୍ପାନୀମାନେ କମ୍ ଦରମା ଦେବା ଆଳରେ ବିଦେଶୀ ନାଗରିକଙ୍କୁ ନିଯୁକ୍ତି ଦେବାକୁ ଶ୍ରେୟ ମଣୁଛନ୍ତି । କିନ୍ତୁ ଏଣିକି ଏସବୁ କମ୍ପାନୀ ନିଜ ଦେଶର କର୍ମଚାରୀଙ୍କୁ ଅଧିକ ଗୁରୁତ୍ୱ ଦିଅନ୍ତୁ । ଏହା ଦ୍ୱାରା ଦେଶର ହିତ ହେବ । ନିଯୁକ୍ତି ପାଇଁ ସର୍ବପ୍ରଥମେ ଆମେରିକାବାସୀ ପ୍ରଥମ ବିକଳ୍ପ ହେବା ଉଚିତ୍ ଏବଂ ସେମାନଙ୍କୁ ପ୍ରଥମେ ନିଯୁକ୍ତି ମିଳିବା ଉଚିତ୍ । ବିଦେଶରେ ଫ୍ୟାକ୍ଟ୍ରି ଏବଂ ଅନ୍ୟ ଦେଶର କର୍ମଚାରୀଙ୍କ ଉପରେ ପଇସା ଲଗାଇ ଆମେରିକାର କମ୍ପାନୀମାନେ ଆମେରିକୀୟଙ୍କ ଅଧିକାରର ହତ୍ୟା କରୁଛନ୍ତି ।

ଅନ୍ୟପକ୍ଷେ ଟ୍ରମ୍ପ୍‌ଙ୍କ ଏପ୍ରକାର ଆହ୍ୱାନ ପରେ ଭାରତର ଆଇଟି ସେକ୍ଟର ଗୁରୁତର ଭାବେ ପ୍ରଭାବିତ ହୋଇପାରେ । ଭାରତରେ ଗୁଗଲ, ମାଇକ୍ରୋସଫ୍ଟ ଏବଂ ଅନ୍ୟ ଟେକ୍ କମ୍ପାନୀମାନଙ୍କରେ ଲକ୍ଷ ଲକ୍ଷ କର୍ମଚାରୀ ଅଛନ୍ତି । ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ପୁଣେ ଭଳି ସହରରେ ବଡ ବଡ ଅଫିସ୍ ଚାଲିଛି । ସେହିପରି ଭାରତୀୟ ଟେକ୍ ପ୍ରଫେସନାଲ୍ସଙ୍କୁ ଆମେରିକୀୟ କମ୍ପାନୀଗୁଡ଼ିକରେ ଚାକିରି ମିଳିବା କଷ୍ଟସାଧ୍ୟ ହୋଇପାରେ । ଏହା ସହିତ ଭାରତରେ ନୂଆ ନିଯୁକ୍ତି କମ୍ ହେବା ଫଳରେ ଆଇଟି କମ୍ପାନୀ ଏବଂ ଷ୍ଟାର୍ଟଅପ୍ସ ଉପରେ ଚାପ ବଢିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।

ପ୍ରକାଶ, ଏହି ସମ୍ମିଳନୀ ଅବସରରେ ଟ୍ରମ୍ପ୍ କୃତ୍ରିମ ବୁଦ୍ଧିମତା (ଏଆଇ) ସମ୍ପର୍କିତ ତିନୋଟି ନୂଆ କାର୍ଯ୍ୟକାରୀ ଆଦେଶରେ ହସ୍ତାକ୍ଷର କରିଛନ୍ତି । ପ୍ରଥମ ଆଦେଶ “ଉଇନିଂ ଦି ରେସ” ନାମରେ ଏକ ଜାତୀୟ ରଣନୀତି ପ୍ରସ୍ତୁତ କରିଛି, ଯାହା ଆମେରିକାକୁ ଏଆଇରେ ବିଶ୍ୱ ନେତା କରିବା ପାଇଁ ଡାଟାସେଣ୍ଟର ନିର୍ମାଣ ତ୍ୱରାନ୍ୱିତ କରିବ ଏବଂ ଏଆଇ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣରେ କମ୍ପାନୀମାନଙ୍କୁ ସହଜତା ପ୍ରଦାନ କରିବ । ସେହିପରି ଦ୍ୱିତୀୟ ଆଦେଶ ସରକାରୀ ଅର୍ଥ ପାଉଥିବା ଏଆଇ ବିକାଶକାରୀ କମ୍ପାନୀମାନଙ୍କୁ ରାଜନୈତିକ ଦୃଷ୍ଟିରୁ ନିରପେକ୍ଷ ଏଆଇ ଟୁଲ୍ସ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛି । ତୃତୀୟ ଆଦେଶ ଆମେରିକୀୟ ଏଆଇ ଟୁଲ୍ସକୁ ବିଶ୍ୱ ବଜାରରେ ପ୍ରତିଯୋଗିତା କରିବାରେ ସହାୟତା କରିବା ଏବଂ ଆମେରିକା ଭିତରେ ଏଆଇର ପୂର୍ଣ୍ଣ ବିକାଶକୁ ସମର୍ଥନ କରିବା ଉପରେ କେନ୍ଦ୍ରୀଭୂତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking