ଛତିଶଗଡ଼: ଛତିଶଗଡ଼ ପୁଲିସକୁ ମାଓ ଦମନରେ ମିଳିଛି ବଡ଼ ସଫଳତା। ଆତ୍ମସମର୍ପଣ କରିଛନ୍ତି ୬୬ ମାଓବାଦୀ। ମାଲକାନଗିରି ସୀମାନ୍ତ ଛତିଶଗଡର ପାଞ୍ଚଟି ଜିଲ୍ଲାରେ ମୋଟ ୬୬ ଜଣ ମାଓବାଦୀ ଏକାଥରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ନାଁରେ ୨.୫୪ କୋଟି ଟଙ୍କା ପୁରସ୍କାର ରାଶି ଥିଲା। ବୀଜାପୁର ଏସପିଙ୍କ ନିକଟରେ ୨୫ ମାଓବାଦୀ, କାଙ୍କେର ଏସପିଙ୍କ ନିକଟରେ ୧୩ ମାଓବାଦୀ, ଦନ୍ତେୱାଡା ଏସପିଙ୍କ ନିକଟରେ ୧୫ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସୁକମା ଏସପିଙ୍କ ନିକଟରେ ୫ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ନାରାୟଣପୁର ଜିଲ୍ଲାରେ ମଧ୍ୟ ୮ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।
ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ସୁକୁମା ଜିଲ୍ଲାର ଜାଗରକୋଣ୍ଡା ଓ ଚିନ୍ତଲନାଡ ଅଞ୍ଚଳରେ ସକ୍ରିୟ ଥିଲେ । ଛତିଶଗଡ଼ ସରକାରଙ୍କ ପୁନର୍ବାସ ନୀତି ଦ୍ୱାରା ପ୍ରଭାବିତ ହୋଇ ଏହି ମାଓବାଦୀ ମାନେ ଛତିଶଗଡ଼ର ପାଞ୍ଚଟି ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିବା ପରେ ସମସ୍ତଙ୍କୁ ପ୍ରୋତ୍ସାହନ ରାଶି ଦିଆଯାଇଛି । ପ୍ରତ୍ୟେକଙ୍କୁ ପ୍ରାରମ୍ଭିକ ପ୍ରୋତ୍ସାହନ ସ୍ୱରୂପ ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା। ଏହା ସହ ସେମାନଙ୍କୁ ପୁନର୍ବାସ ନୀତିର ଲାଭ ଦିଆଯିବ ବୋଲି ତିନି ଜିଲ୍ଲା ଏସପିଙ୍କ ପକ୍ଷରୁ କୁହାଯାଇଛି । ବସ୍ତର ରେଞ୍ଜ ପୋଲିସ୍ ଆଇଜି ପି ସୁନ୍ଦରରାଜ କହିଛନ୍ତି ଯେ ହିଂସାମାର୍ଗକୁ ପରିତ୍ୟାଗ କରି ମୁଖ୍ୟସ୍ରୋତକୁ ଫେରିବା ପାଇଁ ମାଓବାଦୀ କ୍ୟାଡରମାନଙ୍କୁ କରାଯାଇଥିବା ଆହ୍ବାନରେ ସେମାନେ ମାଓ ହିଂସା ଛାଡୁଛନ୍ତି।










