28.9 C
Bhubaneswar
Thursday, June 18, 2026
Homeଓଡିଶାଉତ୍ପାଦନ ହେବ ବହୁଗୁଣିତ, ଜୀବିକା ହେବ ଅଧିକ ସୁରକ୍ଷିତ: ମନ୍ତ୍ରୀ

ଉତ୍ପାଦନ ହେବ ବହୁଗୁଣିତ, ଜୀବିକା ହେବ ଅଧିକ ସୁରକ୍ଷିତ: ମନ୍ତ୍ରୀ

ଭୁବନେଶ୍ୱର: “ଅତ୍ୟାଧୁନିକ ସମନ୍ଵିତ ମତ୍ସ୍ୟ ଚାଷୀ ତାଲିମ କେନ୍ଦ୍ର”ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଭୁବନେଶ୍ଵର କୌଶଲ୍ୟାଗଙ୍ଗ ସରକାରୀ ମାଛ ଯାଆଁଳ ଉତ୍ପାଦନ କେନ୍ଦ୍ରଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ କହିଛନ୍ତି, ମତ୍ସ୍ୟଚାଷୀ, ଉଦ୍ୟୋଗୀ ଏବଂ ମତ୍ସ୍ୟ ଅଧିକାରୀମାନଙ୍କୁ ଉନ୍ନତ ମତ୍ସ୍ୟ ପ୍ରଯୁକ୍ତିବିଦ୍ୟା ଓ ଆଧୁନିକ କୌଶଳ ବିଷୟରେ ଏହି କେନ୍ଦ୍ରରେ ପ୍ରଶିକ୍ଷଣ ଦିଆଯିବ । ଫଳରେ ମାଛ ଉତ୍ପାଦନ ବହୁଗୁଣିତ ହେବା ସହ ମତ୍ସ୍ୟଚାଷୀଙ୍କ ଜୀବନ-ଜୀବିକା ଅଧିକ ସୁରକ୍ଷିତ ହୋଇପାରିବ ।

ମାଛ ଚାଷରେ ଓଡିଶାକୁ ଏକ ନମ୍ବର ରାଜ୍ୟ ଭାବେ ପ୍ରତିପାଦିତ କରିବା ଲକ୍ଷ୍ୟ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ “ଅତ୍ୟାଧୁନିକ ସମନ୍ଵିତ ମତ୍ସ୍ୟ ଚାଷୀ ତାଲିମ କେନ୍ଦ୍ର”ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ଦୂରଦୃଷ୍ଟିକୁ ସାକାର କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରାୟ ୧୫ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି ।

ପ୍ରାୟ ୧୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରଶିକ୍ଷଣ କେନ୍ଦ୍ରର କାର୍ଯ୍ୟ ଆସନ୍ତା ୨ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରହିଛି । ତିନି ମହଲା ବିଶିଷ୍ଟ ଏହି ପ୍ରଶିକ୍ଷଣ ଭବନରେ ୧୨୦ କ୍ଷମତା ବିଶିଷ୍ଟ ସମ୍ମିଳନୀ କକ୍ଷ, ୪୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ, ପରୀକ୍ଷାଗାର, ପାଠାଗାର, କର୍ମଚାରୀ କକ୍ଷ, ଅତିଥି କକ୍ଷ, ଅଭ୍ୟର୍ଥନା କକ୍ଷ, ଭୋଜନାଳୟ, ଯାନ ରହଣି ସ୍ଥାନ ପାଇଁ ସୁବିଧା ରହିବ । ପ୍ରତି ବ୍ୟାଚ୍‌ରେ ୧୦୦ ଜଣ ପ୍ରଶିକ୍ଷାର୍ଥୀ ଏଠାରେ ପ୍ରଶିକ୍ଷଣ ନେଇ ପାରିବେ ।

ମତ୍ସ୍ୟ ଚାଷୀ, ଉଦ୍ୟୋଗୀ, ମତ୍ସ୍ୟ ଅଧିକାରୀମାନେ ଉନ୍ନତ ଆଧୁନିକ ମାଛ ଚାଷ ପଦ୍ଧତି ଏବଂ ଜ୍ଞାନ କୌଶଳ ଉପରେ ପ୍ରଶିକ୍ଷଣ ପାଇବା ଫଳରେ ଆମର ମାଛ ଉତ୍ପାଦନ ବୃଦ୍ଧି ପାଇବ ଏବଂ ଚାଷୀଙ୍କ ଆୟ ବହୁଗୁଣିତ ହୋଇପାରିବ । ଚାଷୀଙ୍କ ଦକ୍ଷତା ବିକାଶ ଏବଂ ଉନ୍ନତ ମାଛ ଚାଷ ମାଧ୍ୟମରେ ମତ୍ସ୍ୟଚାଷୀଙ୍କ ସଶକ୍ତୀକରଣ ଦିଗରେ ଏହା ସହାୟକ ହେବ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରକାଶ କରିଥିଲେ । ମାନ୍ୟବର ମନ୍ତ୍ରୀ ଉପସ୍ଥିତ ସାମ୍ବାଦିକ ବନ୍ଧୁମାନଙ୍କୁ କାର୍ଯ୍ୟକ୍ରମ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିବା ସହ ଭାବ ବିନିମୟ କରିଥିଲେ ।ଏହି କାର୍ଯ୍ୟକ୍ରମରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସାଦିକ୍ ଆଲମ୍, ବିଭାଗୀୟ ଅଧିକାରୀ, ମତ୍ସ୍ୟ ଚାଷୀ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking