କାନପୁର: ଉତ୍ତରପ୍ରଦେଶର କାନପୁର କମିଶନରେଟ୍ ପୁଲିସ୍ ବଡ଼ ଚିନ୍ତାରେ ପଡ଼ିଯାଇଛି । ରିପୋର୍ଟ ଅନୁସାରେ କାନପୁର କମିଶନରେଟ୍ ପୁଲିସ୍ ବିଭାଗ ଅଧୀନରେ କାର୍ଯ୍ୟରତ ପ୍ରାୟ ୨୨୪ ପୁଲିସ୍ କର୍ମଚାରୀ ଗତ ୬ ମାସ ଧରି ନିଖୋଜ ହୋଇଯାଇଛନ୍ତି । କାନପୁର କମିଶନରେଟର ୧୦୯ ଜଣ କନଷ୍ଟେବଳ, ୫୭ ଜଣ ମହିଳା କନଷ୍ଟେବଳ, ୩୪ ଜଣ ଇନ୍ସପେକ୍ଟର ଓ ୨୪ ଜଣ ମହିଳା ଇନ୍ସପେକ୍ଟର ନିଖୋଜ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧୬୭ ଜଣ ପୁଲିସ ଓ ୫୭ ଜଣ ଟ୍ରାଫିକ୍ ବିଭାଗ ସହିତ ଜଡିତ ଅଛନ୍ତି । ତେବେ କୁହାଯାଉଛି ଯେ, କିଛି ପୁଲିସ କର୍ମଚାରୀଙ୍କ କୁମ୍ଭମେଳାରେ ଡ୍ୟୁଟି ପଡ଼ିଥିଲା । କିନ୍ତୁ କୁମ୍ଭମେଳା ଶେଷ ହେବାପରେ ଏମାନେ ଆଉ ଡ୍ୟୁଟିକୁ ଫେରିନାହାନ୍ତି । ଆଉ କିଛି କର୍ମଚାରୀ ସ୍ୱାସ୍ଥ୍ୟାବସ୍ଥାଜନିତ ଏବଂ ପାରିବାରିକ ସମସ୍ୟା ତଥା ବିବାହ ଭଳି କାରଣ ଦର୍ଶାଇ ଛୁଟି ନେଇଥିବା ବେଳେ ଏମାନେ ମଧ୍ୟ କାର୍ଯ୍ୟରେ ଯୋଗଦେଇନାହାନ୍ତି କିମ୍ବା ପୁଲିସ୍ ବିଭାଗ ସହିତ କୌଣସି ପ୍ରକାର ଯୋଗାଯୋଗ ରଖିନାହାନ୍ତି ।
ଅନ୍ୟପକ୍ଷେ ସମାନ ସମୟରେ ଏତେ ସଂଖ୍ୟକ ପୁଲିସ୍ କର୍ମଚାରୀ ନିଖୋଜ ହୋଇଯିବା ଭଳି ପ୍ରଶ୍ନ ପ୍ରଦେଶ ପୁଲିସ୍ ଅଧିକାରୀଙ୍କୁ ମଧ୍ୟ ବ୍ୟତିବ୍ୟସ୍ତ କରିପକାଉଛି । ସବୁଠୁ ବଡ଼କଥା ହେଉଛି ନିଖୋଜ ପୁଲିସ୍ କର୍ମଚାରୀମାନଙ୍କ ମୋବାଇଲ୍ ସ୍ୱିଚ୍ ଅଫ୍ ରହିଥିବା ବେଳେ ସେମାନେ ଗତ ୬ ମାସ ଧରି କାର୍ଯ୍ୟକୁ ଆସୁନଥିବା, ପରିବାର ସହ ସମ୍ପର୍କ ରଖିନଥିବା ଜଣାପଡ଼ିଛି । ଏତେ ସଂଖ୍ୟକ କର୍ମଚାରୀ ଏବେ କାନପୁରରେ ହିଁ ଅଛନ୍ତି କିମ୍ବା ଅନ୍ୟ କେଉଁଠି ଅଛନ୍ତି ସେନେଇ ମଧ୍ୟ କମିଶନରେଟ୍ ପାଖରେ କୌଣସି ସ୍ପଷ୍ଟ ସୂଚନା ନାହିଁ । କମିଶନରେଟ୍ ଦର୍ଶାଇଛି ଯେ, ନିଖୋଜ କର୍ମଚାରୀମାନଙ୍କ ପରିବାର ପକ୍ଷରୁ କିନ୍ତୁ ଏମାନଙ୍କ ନିଖୋଜ ଥିବା ସମ୍ପର୍କରେ ରିପୋର୍ଟ ଦାଖଲ କରାଯାଉନାହିଁ । କିନ୍ତୁ ସେମାନେ ଘରକୁ ଫେରୁନଥିବା କିମ୍ବା ସେମାନଙ୍କ ଫୋନ୍ କଲ୍ ଆସୁନଥିବା ସ୍ପଷ୍ଟ କରିଛନ୍ତି । ଫଳରେ ସାମାନ୍ୟ ସନ୍ଦେହ ରହିଛି । ପୁଲିସ୍ ପ୍ରଶାସନ ପକ୍ଷରୁ ୨ଥର ନୋଟିସ୍ ମଧ୍ୟ ଏହି ନିଖୋଜ କର୍ମଚାରୀଙ୍କୁ ଜାରି କରାଯାଇସାରିଛି । କିନ୍ତୁ ଏସବୁ ନୋଟିସ୍ର ଉତ୍ତର ମଧ୍ୟ ଆସିନାହିଁ ।










