ୱାଶିଂଟନ୍: ପାକିସ୍ତାନର ପୃଷ୍ଠପୋଷକତା ପାଇ ବଳିଆନ୍ ସାଜିଥିବା ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆର୍ଏଫ୍) ନାମକ ଏକ ପାକ୍ ଉଗ୍ରବାଦୀ ସଂଗଠନକୁ ଶେଷରେ ଆମେରିକା ମଧ୍ୟ ଏକ ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଆଖ୍ୟାୟିତ କରିଛି । ଆମେରିକାର ଏପ୍ରକାର ଘୋଷଣା ପାକିସ୍ତାନ ପାଇଁ ଚଡ଼କ ସଦୃଶ ହୋଇଛି । ରିପୋର୍ଟ ଅନୁସାରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି । ରୁବିଓ ଟିଆରଏଫ୍କୁ ଲସ୍କର-ଏ-ତୋଇବା ଆତଙ୍କବାଦୀ ସଂଗଠନର ଏକ ଛାୟା ସଂଗଠନ ଭାବେ ବର୍ଣ୍ଣନା କରିଛନ୍ତି ।
ରୁବିଓ କହିଛନ୍ତି ଯେ, ଆମେରିକାକୁ ଅନେକ ପ୍ରମାଣ ମିଳିଛି ଯାହାକି ଟିଆରଏଫ୍ ଏବଂ ଲସ୍କର ମଧ୍ୟରେ ଥିବା ସମ୍ପର୍କକୁ ଉଜାଗର କରିଛି । ଏତଦ୍ବ୍ୟତୀତ ଟିଆର୍ଏଫ୍ର ମୁଖ୍ୟାଳୟ ପାକିସ୍ତାନରେ ଥିବା ଏବଂ ଏହା ସେହିଠାରୁ ଆତଙ୍କବାଦ କାର୍ଯ୍ୟକୁ ରୂପ ଦେଉଥିବା ମଧ୍ୟ ସ୍ପଷ୍ଟ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଆମେରିକା, ଟିଆରଏଫ୍କୁ ଏକ ବିଶ୍ୱସ୍ତରୀୟ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରୁଛି । ରୁବିଓଙ୍କ କହିବାନୁସାରେ ଟିଆରଏଫ୍କୁ ଏକ ଆତଙ୍କବାଦୀ ସଂଗଠନ ଘୋଷଣା କରିବା ଆମର ଜାତୀୟ ସୁରକ୍ଷା ସ୍ୱାର୍ଥକୁ ରକ୍ଷା କରିବାର ଚିନ୍ତାଧାରା ପ୍ରତିଫଳିତ କରେ । ଏହା ମଧ୍ୟ ଦର୍ଶାଉଛି ଆତଙ୍କବାଦ ବିରୋଧରେ ଲଢ଼ିବା ଏବଂ ପହଲଗାମ ଆକ୍ରମଣ ପାଇଁ ନ୍ୟାୟ ପାଇବା ପାଇଁ ଆମେ କେତେ ପ୍ରତିବଦ୍ଧ । ପ୍ରକାଶ, ରୁବିଓଙ୍କ ଏପ୍ରକାର ଘୋଷଣା ଏପରି ଏକ ସମୟରେ ଆସିଛି ଯେତେବେଳେ କି ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣା (ଯେଉଁଥିରେ ପ୍ରାୟ ୨୬ ନୀରିହ ଲୋକ ପ୍ରାଣ ହରାଇଥିଲେ) ପାଇଁ ଟିଆର୍ଏଫ୍ ନିଜକୁ ଦାୟୀ କରିସାରିଛି । ସୂଚନାଯୋଗ୍ୟ, ପହଲଗାମ ଆକ୍ରମଣ ପରେ ଆମେରିକା ତୁରନ୍ତ କହିଥିଲା ଯେ ଆତଙ୍କବାଦ ବିରୋଧରେ ଲଢ଼େଇରେ ଭାରତ ସହିତ ଛିଡ଼ା ହୋଇଛି । ଆମେରିକା ଏହା ମଧ୍ୟ ସ୍ୱୀକାର କରିଛି ଯେ, ଟିଆରଏଫ୍ ଭାରତୀୟ ସୁରକ୍ଷା ବାହିନୀ ଉପରେ ଆକ୍ରମଣଜନିତ ଅନେକ ଘଟଣାରେ ସମ୍ପୃକ୍ତ ରହିଛି । ଲସ୍କର ନିର୍ଦ୍ଦେଶରେ ଟିଆରଏଫ୍ ପରିଚାଳିତ ହେଉଛି ।
ଆମେରିକାର ଘୋଷଣା ପରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଆମେରିକା ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଏହି ନିଷ୍ପତ୍ତି ପ୍ରମାଣ କରିଛି ଯେ ଭାରତ ଏବଂ ଆମେରିକା ଆତଙ୍କବାଦ ବିରୋଧରେ ଏକାଠି ଠିଆ ହୋଇଛନ୍ତି । ଜୟଶଙ୍କର ଶୁକ୍ରବାର ଏକ୍ସରେ ଏକ ପୋଷ୍ଟ ଶେୟାର କରି ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । ତେବେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଏବେ ଟିଆରଏଫ୍ର ନାଁ ବଦଳାଇବ ବୋଲି ଭାରତୀୟ ଗୁଇନ୍ଦା ସଂସ୍ଥା ସୂଚନା ପାଇଥିବା କୁହାଯାଉଛି । ପାକିସ୍ତାନ ଏହା ପୂର୍ବରୁ ମଧ୍ୟ ଏହି ପ୍ରକାରେ ଆତଙ୍କବାଦୀ ସଂଗଠନ ଘୋଷଣା ହେବା ପରେ ପରେ ଅନେକ ଆତଙ୍କୀ ସଂଗଠନଙ୍କ ନାମକୁ ପରିବର୍ତ୍ତନ କରିଦେଇଥାଏ । ବିଶ୍ୱକୁ ଠକିବା ଉଦ୍ଦେଶ୍ୟରେ ପାକିସ୍ତାନ ଏପ୍ରକାର ନୀତି ଚଳାଇଆସିଛି । ଏବେ ମଧ୍ୟ ଟିଆରଏଫ୍ ପ୍ରସଙ୍ଗରେ ସେପରି କିଛି କରିବ ବୋଲି ଅନୁମାନ କରାଯାଉଛି । ପ୍ରକାଶ, ୨୦୧୯ରେ ଭାରତ ସରକାର ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଇବା ପରେ ପାକିସ୍ତାନ ପକ୍ଷରୁ ଦି ରେଜିଷ୍ଟାନ୍ସ ଫୋର୍ସ (ଟିଆରଏଫ) ସ୍ଥାପନ କରିଥିଲା । ଏହା ଲସ୍କରର ଏକ ସଂଗଠନ ହୋଇଥିଲେ ବି ଏହାକୁ କାଶ୍ମୀରବାସୀଙ୍କ ଆନ୍ଦୋଳନର ଏକ ରୂପ ବୋଲି ପାକିସ୍ତାନ ଦର୍ଶାଇଆସୁଥିଲା ।










