ୱାଶିଂଟନ୍: ନାଟୋ ସେକ୍ରେଟାରୀ ଜେନେରାଲ ମାର୍କ ରୁଟେ ଚୀନ୍ ଏବଂ ବ୍ରାଜିଲ ସହ ଭାରତକୁ ରୁଷ୍ ସହ ବାଣିଜ୍ୟ ପ୍ରସଙ୍ଗରେ ଚେତାବନୀ ଦେବାର ଠିକ୍ ଦିନକ ପରେ ଭାରତ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି । କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, ଭାରତ ନାଟୋ ମୁଖ୍ୟଙ୍କ ମନ୍ତବ୍ୟ ସମ୍ପର୍କିତ ରିପୋର୍ଟକୁ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରୁଛି । ତେବେ ଭାରତ ଏହା ଉପରେ ସ୍ପଷ୍ଟ କରିଦେବାକୁ ଚାହେଁ ଯେ, ଭାରତ ସରକାରଙ୍କ ପାଇଁ ନିଜ ଦେଶବାସୀଙ୍କ ଆବଶ୍ୟକତା ପୂରଣ କରିବା ଶ୍ରେଷ୍ଠ ପ୍ରାଥମିକତା ରହିଆସିଛି । ପ୍ରଚଳିତ ବୈଶ୍ୱିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ବଜାରରେ ଯାହା ସୁଯୋଗ ମିଳୁଛି ତାହା ଆଧାରରେ ଭାରତ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ପ୍ରସଙ୍ଗରେ କୌଣସି ପ୍ରକାର ଦୋମୁହାଁ ନୀତି ବିରୋଧରେ ଭାରତ ସରକାର ସତର୍କତା ପାଳନ କରୁଛନ୍ତି ।
ୱାଶିଂଟନରେ ଏକ ସାମ୍ବାଦିକ ସମ୍ମିଳନୀରେ ଆମେରିକୀୟ ସାଂସଦ ଟମ ଟିଲିସ, ଜିଏନି ଶାହିନଙ୍କ ଉପସ୍ଥିତିରେ ନାଟୋ ମୁଖ୍ୟ ରୁଟେ୍ ଗତକାଲି କହିଥିଲେ, ଭାରତ, ଚୀନ ଏବଂ ବ୍ରାଜିଲ ରୁଷ୍ ସହିତ ଅର୍ଥନୈତିକ ସମ୍ପର୍କ ଉପରେ ପୁନର୍ବିଚାର କରନ୍ତୁ, ନଚେତ ୧୦୦% ସାଙ୍କସନର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରୁହନ୍ତୁ । ଏହାସହିତ ସେ ଭାରତ ସମେତ ୩ ଦେଶକୁ ରୁଷ୍ ଉପରେ ଚାପ ପକାଇ ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ କରିବାକୁ ମଧ୍ୟ ଅନୁରୋଧ କରିଥିଲେ । ପ୍ରକାଶ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍, ନିକଟରେ ଯୁଦ୍ଧ ବନ୍ଦ ପ୍ରସଙ୍ଗରେ ଆଗାମୀ ୫୦ ଦିନ ମଧ୍ୟରେ ଏକ ଚୁକ୍ତି କରିବାକୁ ରୁଷ୍କୁ ଆହ୍ୱାନ କରିଥିବା ବେଳେ ଏଥିରେ ଖିଲାପି ହେଲେ ରୁଷ୍ ଉପରେ ୫୦୦% ଶୁଳ୍କ ଲାଗୁ କରାଯିବା ନେଇ ଚେତାବନୀ ଦେଇଛନ୍ତି । ଏହାକୁ ନେଇ ରୁଟେ କହିଥିଲେ ଯେ, ରୁଷ୍ ପାଇଁ ଆମେରିକା ସରକାରଙ୍କ ଏହି ନୀତି ଭାରତ, ଚୀନ୍ ଏବଂ ବ୍ରାଜିଲ୍ ପାଇଁ ମଧ୍ୟ ଲାଗୁ ହୋଇପାରେ ଯଦି ଏହି ୩ ରାଷ୍ଟ୍ର ଆମେରିକାର ବିରୋଧ ସତ୍ତ୍ୱେ ରୁଷ୍ ସହ ବାଣିଜ୍ୟିକ କାରବାରରେ ନିୟୋଜିତ ରୁହନ୍ତି ।










