25.1 C
Bhubaneswar
Monday, December 8, 2025
Homeଦେଶ ବିଦେଶଫଡନଭୀସ୍‌-ଉଦ୍ଧବଙ୍କ ରୁଦ୍ଧଦ୍ୱାର ବୈଠକ: ଭାଷା ବିବାଦ ଓ ବିରୋଧୀ ଦଳ ନେତା ପଦ ପ୍ରସଙ୍ଗରେ ଆଲୋଚନା!

ଫଡନଭୀସ୍‌-ଉଦ୍ଧବଙ୍କ ରୁଦ୍ଧଦ୍ୱାର ବୈଠକ: ଭାଷା ବିବାଦ ଓ ବିରୋଧୀ ଦଳ ନେତା ପଦ ପ୍ରସଙ୍ଗରେ ଆଲୋଚନା!

ମୁମ୍ବାଇ: ଦିନକ ପୂର୍ବେ ମହାରାଷ୍ଟ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭୀସ ରାଜ୍ୟ ବିଧାନସଭାରେ ଏକ ମଜାଳିଆ ଅନ୍ଦାଜରେ ବିରୋଧୀ ପକ୍ଷ ଶିବସେନା (ୟୁବିଟି) ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଶାସକ ମେଣ୍ଟ ଗୋଷ୍ଠୀ (ଏନ୍‌ଡିଏ)ରେ ଯୋଗଦେବାକୁ ‘ଆମନ୍ତ୍ରଣ’ ଜଣାଇଥିଲେ । ତେବେ ଏସବୁ ଡ୍ରାମା ଭିତରେ ଆଜି ଅର୍ଥାତ୍ ଗୁରୁବାର ଉଦ୍ଧବ, ଫଡନଭୀସଙ୍କୁ ସାକ୍ଷାତ କରିଛନ୍ତି । ଉଭୟ ନେତା ବିଧାନ ଭବନର ପୂର୍ବତନ ବିଧାନ ପରିଷଦ ଅଧ୍ୟକ୍ଷ ରାମ ସିନ୍ଦେଙ୍କ ପ୍ରକୋଷ୍ଠରେ ୨୦ ମିନିଟ୍ ଧରି ଆଲୋଚନା କରିଥିଲେ । ଏହି ଆଲୋଚନା ସମ୍ପୂର୍ଣ୍ଣ ରୁଦ୍ଧଦ୍ୱାର ରହିଥିଲା । ଏହାକୁ ନେଇ ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚା ଜୋର ଧରିଛି । ଉଦ୍ଧବ ପୁଣିଥରେ ଏନ୍‌ଡିଏରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଉଭୟ ନେତାଙ୍କ ଏପ୍ରକାର ରୁଦ୍ଧଦ୍ୱାର ବୈଠକ ଯୋଗୁ ରାଜ୍ୟ ରାଜନୈତିକ ପାଣିପାଗ ହଠାତ୍ ସରଗରମ ହୋଇଉଠିଛି ।

ଅନ୍ୟପକ୍ଷେ ଉଭୟ ନେତାଙ୍କ ବୈଠକରେ ଆଲୋଚନାର ବିବରଣୀ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇନାହିଁ । ତେବେ ଉଦ୍ଧବଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଫଡନଭୀସଙ୍କୁ ଏକ ପୁସ୍ତକ ପ୍ରଦାନ କରାଯାଇଥିବା ଏବଂ ଏଥିରେ ମରାଠୀ ଓ ହିନ୍ଦୀଭାଷାର ଅନିର୍ବାର୍ଯ୍ୟତା ସଂପର୍କରେ ବିଭିନ୍ନ ଲେଖକଙ୍କ ଦ୍ୱାରା ପ୍ରକାଶିତ ପ୍ରବନ୍ଦ ସଂକଳିତ ହୋଇଥିବା ସୂଚନା ମିଳିଛି । ପ୍ରକାଶ, ଦୁଇ ନେତାଙ୍କ ମଧ୍ୟରେ ଏପ୍ରକାର ଅକସ୍ମାତ ବୈଠକ ଦୁଇଟି ମୁଖ୍ୟ କାରଣ ପାଇଁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ପ୍ରଥମତଃ ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳ ନେତା ପଦବୀ ଏପର୍ଯ୍ୟନ୍ତ ଖାଲି ରହିଛି । ଏହି ପରିପ୍ରେକ୍ଷୀରେ, ଉଦ୍ଧବ ଠାକରେ, ମୁଖ୍ୟମନ୍ତ୍ରୀ ଫଡନଭୀସଙ୍କ ସହ ଆଲୋଚନା କରିଥାଇପାରନ୍ତି । ଦ୍ୱିତୀୟତଃ ଭାଷା ବିବାଦକୁ ନେଇ କେନ୍ଦ୍ର ସହ ଜାରି ରହିଥିବା ତିକ୍ତତା ପ୍ରଙ୍ଗରେ ମଧ୍ୟ ଉଦ୍ଧବ, ଫଡନଭୀସଙ୍କ ସହ ଆଲୋଚନା କରିଥାଇପାରନ୍ତି । ଜଣେ ବିଜେପି ନେତା ଭାବେ ନୁହେଁ ବରଂ ଜଣେ ମରାଠୀ ଭାଷୀ ନାଗରିକ ଭାବେ ମରାଠା ଭାଷାର ସୁରକ୍ଷା ଦିଗରେ ଧ୍ୟାନ ଦେବାକୁ ଉଦ୍ଧବ ହୁଏତ ଫଡନଭୀସଙ୍କୁ ପ୍ରବର୍ତ୍ତାଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ଉଭୟ ନେତାଙ୍କ ରୁଦ୍ଧଦ୍ୱାର ବୈଠକ ପରେ ଆଦିତ୍ୟ ଠାକ୍‌ରେଙ୍କ ସମେତ ଶିବସେନାର ଅନ୍ୟ କିଛି ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking