32.1 C
Bhubaneswar
Thursday, March 26, 2026
Homeଓଡିଶାପ୍ରଦେଶ ଯୁବ କଂଗ୍ରେସ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ

ପ୍ରଦେଶ ଯୁବ କଂଗ୍ରେସ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ

ଭୁବନେଶ୍ୱର:  ଆଜି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ସ୍ଥାନୀୟ ଭୁବନେଶ୍ୱର କ୍ଲବ ଠାରୁ ପ୍ରଦେଶ ଯୁବ କଂଗ୍ରେସର ଏକ ରାଲି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଯୁବ କଂଗ୍ରେସର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ। ୧ ଘଣ୍ଟାର ଧାରଣା ପରେ ଯୁବ କଂଗ୍ରେସ କର୍ମୀମାନେ ପୁଲିସ ବାରିକେଟ ଭାଙ୍ଗିବା ପାଇଁ ଉଦ୍ୟମ କରୁଥିବାବେଳେ ପୁଲିସ ସେମାନଙ୍କୁ ଗିରଫ କରିଥିଲା। ଏହି ଅବସରରେ ଶ୍ରୀ ପାତ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ସମଗ୍ର ସରକାର, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ବିଶେଷ କରି ବାଲେଶ୍ୱର ସାଂସଦ ଏବେ ଯେଭଳି ତତ୍‌ପରତା ଦେଖାଉଛନ୍ତି ତାହା ଯଦି ପୂର୍ବରୁ ଦେଖାଇଥାନ୍ତେ ତେବେ ବାଲେଶ୍ୱର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇନଥାନ୍ତା। ଛାତ୍ରୀ ଜଣକ ୬ ମାସ ଧରି କ୍ରମାଗତ ଗୁହାରି କଲେ ବି ଏ ସରକାର ଏବଂ ବିଜେପି ନେତୃବୃନ୍ଦ ତାଙ୍କ କଥା ଶୁଣିଲେ ନାହିଁ। ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଅସହ୍ୟ ହେବାରୁ ଛାତ୍ରୀ ଜଣକ ଚମର ନିଷ୍ପତ୍ତି ନେଲା। ଏଣୁ ଛାତ୍ରୀ ଜଣକୁ ସୁରକ୍ଷା ଦେବାର ଅକ୍ଷମ ଏବଂ ତା’ର ଅଭିଯୋଗ ଶୁଣିବାରେ ଉପେକ୍ଷା କରିଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତୁରନ୍ତ ଇସ୍ତଫା ଦେବାକୁ ଶ୍ରୀ ପାତ୍ର ଦାବି କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟର ଶିକ୍ଷାମନ୍ତ୍ରୀ କରୁଛନ୍ତି କ’ଣ? ବିଭିନ୍ନ ଜିଲ୍ଲାରେ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ରୀମାନେ ଅସୁରକ୍ଷିତ ରହିଥିବାବେଳେ ଶିକ୍ଷାମନ୍ତ୍ରୀ କ’ଣ ପଦକ୍ଷେପ ନେଉଛନ୍ତି। ଶିକ୍ଷାନୁଷ୍ଠାନର ଆଭ୍ୟନ୍ତରଣୀୟ ଅଭିଯୋଗ କମିଟି (ଆସି.ସି.ସି.) ଏକ ପ୍ରହସନରେ ପରିଣତ ହୋଇଛି।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର କଂଗ୍ରେସ ଲୋକସଭା ପ୍ରାର୍ଥୀ ୟାସିର ନୱାଜ କହିଛନ୍ତି ଯେ ନିଜର ଦୋଷ ଲୁଚାଇବା ପାଇଁ ଏବେ ଏବିଭିପି, ବିଜେପି ଓ ମୋହନ ସରକାର ଉଦ୍ୟମ କରୁଛନ୍ତି। ମହାବିଦ୍ୟାଳୟର ସମ୍ମୁଖରେ ଏବିଭିପି ପକ୍ଷରୁ ଯେଉଁ ହେଲ୍ପ ଡେକ୍ସ ଖୋଲା ଯାଇଥିଲା ସେଠାରେ ଶିକ୍ଷାନୁଷ୍ଠାନର ଅପରାଧି ଅଧ୍ୟାପକ ଓ ଅଧ୍ୟକ୍ଷଙ୍କୁ ସମ୍ମାନୀତ କରାଯାଇଛି। ଅର୍ଥାତ ଏହି ଦୁଇଜଣଙ୍କର ଏବିଭିପି ସଂଗଠନ ପ୍ରତି ଦୁର୍ବଳତା ରହିଛି। ତେଣୁ ଦିବାଙ୍ଗତ ଛାତ୍ରୀ ପାଇଁ ଏବିଭିପି ଲଢ଼େଇ କରୁଥିଲା ନା ଡ୍ରାମା କରୁଥିଲା? ଏବିଭିପି ବିଜେପିର ଏକ ସାମୁଖ୍ୟ ସଂଗଠନ। ଓଡ଼ିଶାରେ ବିଜେପି ସରକାର ରହିଛି। ଦିବଙ୍ଗତା ଛାତ୍ରୀମଧ୍ୟ ଏବିଭିପିର ନେତ୍ରୀ ଥିଲେ। ତେଣୁ ଅପରାଧି ତାଙ୍କର, ପୀଡିତା ତାଙ୍କରି ସଂଗଠନ ଏବଂ ସରକାର ମଧ୍ୟ ତାଙ୍କର। ତେବେ ଛାତ୍ରୀଙ୍କୁ ନ୍ୟାୟ ଦେବାରେ ଅସୁବିଧା କେଉଁଠି ରହିଲା। ଏଠାରେ ପ୍ରଶ୍ନ ଉଠୁଛୁ ଛାତ୍ରୀ ଜଣଙ୍କ ହଠାତ୍ ପେଟ୍ରୋଲ ପାଇଲେ କେଉଁଠୁ? ଦିଆସିଲି ପାଇଲେ କେଉଁଠୁ? ଏହାର ତଦନ୍ତ ହେବା ଦରକାର। ଯଦି ସମଗ୍ର ଘଟଣାକୁ ତର୍ଜମା କରାଯାଏ ଏଥିରୁ ସ୍ପଷ୍ଟ ହେଉଛି ଯେ, ସେହି ଛାତ୍ରୀ ଆତ୍ମହତ୍ୟା କରିନି ବରଂ ତାଙ୍କୁ ହତ୍ୟା କରାଯାଇଛି ଏବଂ ଏହି ହତ୍ୟାରେ ବିଜେପି, ଏବିଭିପି ଓ ମୋହନ ସରକାର ସାମିଲ୍‌। କାରଣ ମୋହନ ସରକାର ବିଶେଷ କରି ଓଡ଼ିଶାର ମହିଳା ଓ ଛାତ୍ରଛାତ୍ରୀମାନଙ୍କର ସ୍ୱାର୍ଥ ପ୍ରତି ଦୃଷ୍ଟି ଦେଉନାହାନ୍ତି। ବର୍ଷକ ଭିତରେ ମହିଳା ଅତ୍ୟାଚର ଓ ଅନିୟନ୍ତ୍ରିତ ହୋଇପଡ଼ିଛି। ଅନ୍ୟପକ୍ଷରେ ସାଂସଦ ପ୍ରତାପ ଷଡଙ୍ଗୀ ଏହି ଘଟଣାରେ କେତେବେଳେ କ’ଣ କହୁଛନ୍ତି ତା’ର ତାଳମେଳ ରହୁନାହ । ସୁତରାଂ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶକ୍ଷି ।ମନ୍ତ୍ରୀଙ୍କୁ ଦାବି କରାଯାଇଛି। ଏହି କାର୍ଯ୍ୟକ୍ରମରେ ମହମ୍ମଦ ଇମ୍‌ଜାଦ୍‌, ମନୋଜ ବିଶ୍ୱାଳ, ନିହାର ବେହେରା, ମହମ୍ମଦ ଗୁଲଫାମ୍‌, କେଦାର ଦଳେଇ, ମହମ୍ମଦ ପରଭେଜ, ଲିପିକା ପାତ୍ର, ଲିପ୍‌ସା ନାୟକ, ଆସୁତୋଷ ମହାନ୍ତି, ବାବୁ ଜେନା, ବଟକୃଷ୍ଣ ରାଉତରାୟ, ଶ୍ରୀୟା ମହାନ୍ତି, ସୁରୋଜ ରାଉତ, ସାଗର ପଟ୍ଟନାୟକ, ସୌମ୍ୟରଞ୍ଜନ ବରାଳ, ରାଜେଶ ଦାସ, ସ୍ୱସ୍ତିକ ପ୍ରିୟଦର୍ଶନୀ ଓ ଜୟକୃଷ୍ଣ ସୁବୁଧି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking