କଟକ: ଆଜି ଏଠାରେ ଉପସ୍ଥିତ ଥିବା କେବଳ ବିଦ୍ୟାର୍ଥୀ ନୁହେଁ, ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଗୌରବର ଦିନ। ଦେଶର ପ୍ରଥମ ନାଗରିକ, ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସ୍ଵୟଂ ଏହି ମହାନ ଅନୁଷ୍ଠାନକୁ ନିଜର ସାନ୍ନିଧ୍ୟ ପ୍ରଦାନ କରିଛନ୍ତି। ତାଙ୍କର ଏହି ସଦୟ ଉପସ୍ଥିତି ଆଜିର ଏହି ସମାବର୍ତ୍ତନ ଉତ୍ସବକୁ ଆହୁରି ଅଧିକ ଗରିମାମୟ କରି ତୋଳିଛି । ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବିଦ୍ୟାର୍ଥୀମାନେ ସ୍ୱୟଂ ରାଷ୍ଟ୍ରପତିଙ୍କ ଠାରୁ ସେମାନଙ୍କର ପ୍ରମାଣପତ୍ର ଗ୍ରହଣ କରିବେ। କୌଣସି ବିଦ୍ୟାର୍ଥୀ ପାଇଁ ଏହାଠାରୁ ଅଧିକ ଗୌରବମୟ ବିଷୟ ଆଉ କିଛିନାହିଁ। ଏହି କ୍ଷଣ ଆପଣମାନେ କେବେ ଭୁଲିପାରିବେ ନାହିଁ। ଏହି ସମୟ ଆପଣମାନଙ୍କ ସାରା ଜୀବନ ପାଇଁ ଏକ ସୁଖଦ ସ୍ମୃତି ହୋଇରହିବ। ମୁଁ ମହାମହିମ ରାଷ୍ଟ୍ରପତିଙ୍କୁ ଆଜିର ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ମାନ୍ୟବର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଏବଂ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ସ୍ୱାଗତ କରୁଛି।
ରେଭେନ୍ସା ବିଶ୍ୱବିଦ୍ୟାଳୟ କେବଳ ଏକ ଅନୁଷ୍ଠାନ ନୁହେଁ, ଏହା ଏକ ବ୍ରାଣ୍ଡ। ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ରେଭେନ୍ସାର ଯାତ୍ରା ଗୌରବମୟ। ଆମେ ଯେତେବେଳେ ରେଭେନ୍ସା କଲେଜରେ ପଢ଼ୁଥିବା ଆମ ସାଙ୍ଗସାଥୀଙ୍କୁ ପଚାରୁଥିଲୁ, ସେମାନେ ସଗର୍ବେ କହୁଥିଲେ ସେମାନେ ରେଭେନ୍ସାରେ ପଢୁଛନ୍ତି, ରେଭେନ୍ସା ଆଗରେ କଲେଜ ବି ଲଗଉ ନ ଥିଲେ। ଆଜି ବି ଯେତେବେଳେ କେହି ଆପଣଙ୍କୁ ପଚାରୁଥିବେ କେଉଁଠି ପଢୁଛନ୍ତି, ମୁଁ ନିଶ୍ଚିତ ଯେ ଆପଣମାନେ ବି କହୁଥିବେ, ‘ରେଭେନ୍ସା’। ପ୍ରାୟ କେହି କହୁ ନ ଥିବେ ‘ରେଭେନ୍ସା ବିଶ୍ୱବିଦ୍ୟାଳୟ’। ଏହି ସୁନାମ କେବଳ ଶିକ୍ଷା ଅନୁଷ୍ଠାନର ଭିତ୍ତିଭୂମି କିମ୍ବା ଏହି ଐତିହାସିକ ନାଲି ରଙ୍ଗର କୋଠାରୁ ଆସିନାହିଁ। ଏହା ସମ୍ଭବ ହୋଇଛି କେବଳ ଏହି ଅନୁଷ୍ଠାନର ମଣିଷ ଗଢ଼ା ମହନୀୟ କାର୍ଯ୍ୟ ପାଇଁ। ପ୍ରାୟ ୧୫୭ ବର୍ଷ ହେବ ଅନବରତ ଭାବେ ଏହି ଅନୁଷ୍ଠାନ କେବଳ ଓଡ଼ିଶା ନୁହେଁ ଦେଶକୁ ଦେଇଛି ଅନେକ ରାଜନେତା, ପ୍ରଶାସକ, ବୈଜ୍ଞାନିକ, ଲେଖକ, କବି, ଖେଳାଳି। ଏମିତି କିଛି କ୍ଷେତ୍ର ନାହିଁ, ଯେଉଁଥିରେ ରେଭେନ୍ସାର ଅବଦାନ ନାହିଁ।
୧୮୬୮ ମସିହାରେ ପ୍ରତିଷ୍ଠା ହୋଇଥିବା ରେଭେନ୍ସା ହେଉଛି ଓଡ଼ିଶାର ସର୍ବପୁରାତନ ଶିକ୍ଷାନୁଷ୍ଠାନ। ଏହା ମଧ୍ୟ ଭାରତ ବର୍ଷର ସର୍ବପୁରାତନ ଉତ୍କର୍ଷ ପ୍ରତିଷ୍ଠାନ ମଧ୍ୟରୁ ଗୋଟିଏ। ଚେନ୍ନାଇର ମାଡ୍ରାସ ଖ୍ରୀଷ୍ଟିଆନ କଲେଜ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ କୋଲକାତାର ପ୍ରେସିଡେନ୍ସି କଲେଜ ଭଳି ଦେଶର ପ୍ରତିଷ୍ଠିତ ପୁରାତନ ଶିକ୍ଷାନୁଷ୍ଠାନର ସମସାମୟିକ ହେଉଛି ରେଭେନ୍ସା କଲେଜ। ଆଜି ବି ଓଡ଼ିଶାର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ସ୍ଵପ୍ନ ହେଉଛି ଏହି ଅନୁଷ୍ଠାନରେ ଶିକ୍ଷା ଗ୍ରହଣ କରିବା ପାଇଁ। ଖୁସିର କଥା ରେଭେନ୍ସାର ଶିକ୍ଷାଦାନ ମାନରେ ତିଳେମାତ୍ର କମ୍ ହୋଇନାହିଁ। ଏଇ କିଛିଦିନ ତଳେ ମୁଁ ରେଭେନ୍ସା ବିଶ୍ୱବିଦ୍ୟାଳୟର ବିଭିନ୍ନ ସ୍ନାତକ କୋର୍ସ ପାଇଁ କଟ୍-ଅଫ ମାର୍କ ଦେଖୁଥିଲି, ଯାହା ସାରା ରାଜ୍ୟରେ ସବୁଠାରୁ ଅଧିକ। ଏଥିରୁ ଜଣାପଡ଼େ ଯେ କେବଳ ବେଷ୍ଟ ଓଫ ଦି ବେଷ୍ଟ ହିଁ ରେଭେନ୍ସାରେ ପଢ଼ିବା ପାଇଁ ସୁଯୋଗ ପାଇବେ। ରେଭେନ୍ସା କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ, ବରଂ ବିଭିନ୍ନ ସମୟରେ ଦେଶର ସାମାଜିକ-ରାଜନୈତିକ ଓ ସାଂସ୍କୃତିକ ଜାଗରଣ ସମୟରେ ମଧ୍ୟ ଅବିସ୍ମରଣୀୟ ଅବଦାନ ଦେଇଆସିଛି। ସ୍ୱାଧୀନତା ପୂର୍ବରୁ ବ୍ରିଟିଶ ଶାସନ ବିରୁଦ୍ଧରେ ସଂଗ୍ରାମ ହେଉ କିମ୍ବା ସତୁରୀ ଦଶକର ଜରୁରୀ କାଳୀନ ପରିସ୍ଥିତି ହେଉ। ସବୁଥିରେ ରେଭେନ୍ସାର ଛାତ୍ରମାନେ ସକ୍ରିୟ ଭାବେ ଜଡିତ ଥିଲେ।
ଏହି ଅନୁଷ୍ଠାନ ଯଦିଓ ବ୍ରିଟିଶ ଶାସନ କାଳରେ ପ୍ରତିଷ୍ଠିତ ହୋଇଥିଲା, ବ୍ରିଟିଶ ଶାସନରୁ ଦେଶକୁ ମୁକ୍ତ କରିବା ପାଇଁ ବି ଏଠାରେ ଆନ୍ଦୋଳନ ହୋଇଥିଲା। ଏହି ରେଭେନ୍ସା ଗ୍ରାଉଣ୍ଡରେ ୧୯୪୨ ମସିହାରେ ଭାରତ ଛାଡ ଆନ୍ଦୋଳନ ସମୟରେ ୟୁନିଅନ୍ ଜ୍ୟାକ୍ ପୋଡାଯାଇଥିଲା, ଯାହା ସେତେବେଳେ ସମଗ୍ର ଓଡ଼ିଶାରେ ଆଲୋଡନ ସୃଷ୍ଟି କରିଥିଲା। ସ୍ଵତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ଆନ୍ଦୋଳନ ସମୟରେ ଏହି ଅନୁଷ୍ଠାନର ଛାତ୍ର ଛାତ୍ରୀ ଏବଂ ଅଧ୍ୟାପକମାନେ ଆନ୍ଦୋଳନକୁ ବୌଦ୍ଧିକ ସହଯୋଗ ଦେଇଥିଲେ। ଅନେକ ହୁଏତ ଜାଣି ନଥିବେ ଯେ ଜରୁରୀକାଳୀନ ପରିସ୍ଥିତି ସମୟରେ, ରେଭେନ୍ସା ଅନେକ ଗଣତନ୍ତ୍ରର ସୁରକ୍ଷା ପାଇଁ ଲଢୁଥିବା ଜରୁରୀକାଳୀନ ବିରୋଧୀ କର୍ମୀଙ୍କ ଗୁପ୍ତ ସ୍ଥାନ ପାଲଟିଥିଲା । ସେତେବେଳେ ସମସ୍ତ ଅନୁଷ୍ଠାନ, ଏପରିକି ଗଣମାଧ୍ୟମ ଏବଂ ନ୍ୟାୟପାଳିକାର ସ୍ଵରକୁ ଦବାଇ ଦିଆ ଯାଇଥିଲା, ରେଭେନ୍ସାର ନିର୍ଭୀକ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନେ emergency ବିରୋଧରେ ଏକ ନୂତନ ମୋର୍ଚ୍ଚା ଖୋଲି ଦେଇଥିଲେ। ପରବର୍ତ୍ତୀ କାଳରେ ଏହି ଛାତ୍ରନେତାମାନେ ରାଜ୍ୟର ନେତୃତ୍ଵ ମଧ୍ୟ ନେଇଥିଲେ।
ରେଭେନ୍ସାର ଏହି ବେଞ୍ଚରେ ବସି ଅଧ୍ୟୟନ କରି ବିଭିନ୍ନ କ୍ଷେତ୍ରରେ ଚରମ ସଫଳତା ହାସଲ କରି ସମାଜକୁ ଅବଦାନ ଦେଇଥିବା ବ୍ୟକ୍ତିତ୍ବଙ୍କ ଲିଷ୍ଟ ବହୁତ ଲମ୍ବା। ତଥାପି କିଛି ମହାନ ବ୍ୟକ୍ତିତ୍ବଙ୍କ ନାମ ନ ନେଲେ କୌଣସି ଅଭିଭାଷଣ ସମ୍ପୂର୍ଣ୍ଣ ହେବ ନାହିଁ। ସ୍ୱାଧୀନତା ସଂଗ୍ରାମୀ ଏବଂ ସମାଜସେବୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ମହାନ ସ୍ୱାଧୀନତା ସଂଗ୍ରାମୀ ଓ ଜନନେତା ବିଜୁ ପଟ୍ଟନାୟକ, ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ, ଭାରତର ପୂର୍ବତନ ମାନ୍ୟବର ମୁଖ୍ୟ ବିଚାରପତି ରଙ୍ଗନାଥ ମିଶ୍ର, ଗୋପାଳ ବଲ୍ଲଭ ପଟ୍ଟନାୟକ, ଶ୍ରୀ ଦୀପକ ମିଶ୍ର, ଜ୍ଞାନପୀଠ ପୁରସ୍କାର ବିଜେତା ସଚ୍ଚି ରାଉତରାୟ, ଗୋପୀନାଥ ମହାନ୍ତି, ସୀତାକାନ୍ତ ମହାପାତ୍ର, ଶ୍ରୀମତୀ ପ୍ରତିଭା ରାୟ ସମସ୍ତେ ରେଭେନ୍ସାଭିଆନ ଥିଲେ। କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ରେଭେନ୍ସାର ଏକ ଅନନ୍ୟ ଖ୍ୟାତି ରହିଛି। ସେଥିପାଇଁ ଏହି ଅନୁଷ୍ଠାନରେ ପଢିଥିବା ସମସ୍ତ ଛାତ୍ରଛାତ୍ରୀ ସଗର୍ବେ ନିଜକୁ ଜଣେ ଜଣେ ରେଭେନ୍ସାଭିଆନ କହିଥାନ୍ତି। ସମୟ ଚକ୍ରରେ ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟର ଅନେକ ପରିବର୍ତ୍ତନ ଘଟିଛି। ହୁଏତ ନବେ ଦଶକର ରେଭେନ୍ସା ଓ ଆଜିର ରେଭେନ୍ସା ଭିତରେ ଆକାଶ ପାତାଳ ଫରକ। ସମ୍ମାନ ଜନକ UGC NAAC A++ ହାସଲ କରିବା ବିଷୟରେ ଏଠାରେ ଉଲ୍ଲେଖ କରିବାକୁ ମୁଁ ଭୁଲିବି ନାହିଁ। ବିଶ୍ୱବିଦ୍ୟାଳୟ ପ୍ରଶାସନ, ଅଧ୍ୟାପକ, ଛାତ୍ରଛାତ୍ରୀ ଏବଂ ବିଶ୍ୱବିଦ୍ୟାଳୟର ସହିତ ସମ୍ପୃକ୍ତ ସମସ୍ତଙ୍କୁ ଏହି ମାଇଲଖୁଣ୍ଟ ହାସଲ କରିବା ପାଇଁ ମୁଁ ଅଭିନନ୍ଦନ ଜଣାଉଛି। ମୁଁ ଉଲ୍ଲେଖ କରିବାକୁ ଚାହୁଁଛି ଯେ ରେଭେନ୍ସା ଏହି ଅନନ୍ୟ ପାର୍ଥକ୍ୟ ହାସଲ କରିବାରେ ଓଡ଼ିଶାର ଏକମାତ୍ର ସରକାରୀ ବିଶ୍ୱବିଦ୍ୟାଳୟ । ଏବଂ ଆହୁରି ମଧ୍ୟ ଖୁସିର କଥା ଯେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଜାତୀୟ ଶିକ୍ଷାନୀତି-୨୦୨୦ ତୁରନ୍ତ କାର୍ଯ୍ୟକାରୀ ହୋଇଛି।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଏକ ବିଂଶ ଶତାବ୍ଦୀର ଆବଶ୍ୟକତାକୁ ଅନୁଭବ କରି ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣି, ଛାତ୍ର ଓ ଯୁବଶକ୍ତିର ଦକ୍ଷତା ବୃଦ୍ଧି ପାଇଁ ନୂଆ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରିଛନ୍ତି । ଆମ ସରକାର ଆସିବା ପରେ ରାଜ୍ୟରେ ଉଚ୍ଚ ଶିକ୍ଷାର ପ୍ରଗତି ଓ ଏହାକୁ ବିକାଶର ଉଚ୍ଚତମ ସୋପାନକୁ ନେବା ପାଇଁ ପ୍ରତିବଦ୍ଧତାର ସହ କାମ କରୁଛି। ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ୍-ଉଷା) ଲାଗୁ କରାଯାଇଛି। ପିଏମ୍-ଉଷା କାର୍ଯ୍ୟକ୍ରମ ମାଧ୍ୟମରେ ଜାତୀୟ ଶିକ୍ଷାନୀତିର ୫ଟି ସ୍ତମ୍ଭ ସୁଗମ୍ୟ, ଗୁଣାତ୍ମକ ମାନ, ସମାନତା, ଉତ୍ତରଦାୟିତ୍ୱ ଓ ସାମର୍ଥ୍ୟ ସୁଦୃଢ କରାଯିବ। ଏହା ସହିତ ଦକ୍ଷତା ଓ ବୈଷୟିକ ଶିକ୍ଷା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବବର୍ଗଙ୍କ ଦକ୍ଷତା ବିକାଶ କରି ସେମାନଙ୍କୁ ରୋଜଗାରକ୍ଷମ କରିବାର ପ୍ରାବଧାନ ଏଥିରେ ରହିଛି। ଉଚ୍ଚ ଶିକ୍ଷା କ୍ଷେତ୍ରରେ ଆମ ସରକାରଙ୍କ ଏହି ସବୁ କାର୍ଯ୍ୟକ୍ରମ ୨୦୩୬ ମସିହା ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ ଓଡ଼ିଶା ଭାବେ ଗଠନ କରିବାରେ ସହାୟକ ହେବ ।
ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ-୨୦୨୪ ଆମେ ଲାଗୁ କରିଛୁ। ଏହା ମାଧ୍ୟମରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡିକର ପରିଚାଳନା କ୍ଷେତ୍ରରେ ଅଧିକ ସ୍ୱାଧୀନତା ଦିଆଯାଇଛି। ଆପଣମାନେ ଜାଣି ଖୁସି ହେବେ ଯେ ଶିକ୍ଷା କ୍ଷେତ୍ରକୁ ଆମ ସରକାର ପ୍ରାଥମିକତା ଦେଇଛନ୍ତି। ଚଳିତ ବର୍ଷ ବଜେଟରେ ଶିକ୍ଷା ପାଇଁ ୪୧ ହଜାର ୨୭୩ କୋଟି ଟଙ୍କାର ପ୍ରାବଧାନ କରିଛନ୍ତି ଯାହା ସବୁ ବିଭାଗ ଅପେକ୍ଷା ସବୁଠାରୁ ଅଧିକ। ମୋଟ ବଜେଟ ଆକଳନର ଏହା ୧୪.୨ ପ୍ରତିଶତ ଏବଂ ରାଜ୍ୟ ଜିଡିପିର ୩.୯ ପ୍ରତିଶତ। ଏହି ପ୍ରତିଶତ ଦେଶର କେବଳ କିଛି ହାତ ଗଣତି ରାଜ୍ୟ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ କରିବାକୁ ସମର୍ଥ ହୋଇଛନ୍ତି। ଚଳିତ ବର୍ଷ ଉଚ୍ଚ ଶିକ୍ଷା ପାଇଁ ୩ ହଜାର ୬୫୫ କୋଟି ଟଙ୍କାର ପ୍ରାବଧାନ କରିଛନ୍ତି। ଏଥିରୁ ଆପଣମାନେ ଜାଣିପାରୁଥିବେ ସରକାରଙ୍କ ଶିକ୍ଷା ପ୍ରତି ପ୍ରତିବଦ୍ଧତା। ଡିଅର ରେଭେନ୍ସାଭିଆନ୍ସ, ମୁଁ ପୁନର୍ବାର ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଆଗାମୀ ଦିନରେ ସମସ୍ତଙ୍କ ଉତ୍ତୋରତ୍ତର ମଙ୍ଗଳ କାମନା କରୁଛି।









