-କୋଭିଡ୍ ସମୟରେ ପ୍ରଶଂସନୀୟ ଭୂମିକା ନିର୍ବାହ କରିଥିଲା: ରାଜ୍ୟପାଳ
-ସାମଗ୍ରୀକ ବିକାଶ ନିମନ୍ତେ ସମସ୍ତ ସୁବିଧା ସୁଯୋଗ ଯୋଗାଇଦିଆଯିବ: ମୁଖ୍ୟମନ୍ତ୍ରୀ
-୩୧ ମେଧାବୀ ଛାତ୍ରଛାତ୍ରୀଙ୍କୁ ୫୯ ସ୍ୱର୍ଣ୍ଣ ପଦକ ପ୍ରଦାନ
-ଚିତଲୁରୀ ନେହା ଏବଂ ମେଧା ମେନନ ଶ୍ରେଷ୍ଠ ଏମବିବିଏସ୍ ସ୍ନାତକ
-ମୃଣ୍ମୟୀ ମଣ୍ଡଳ ଏବଂ ପ୍ରିୟଙ୍କା ସିଂହ ଶ୍ରେଷ୍ଠ ନର୍ସିଂ ସ୍ନାତକ
ଭୁବନେଶ୍ୱର: ମହାନ ଦୂରଦୃଷ୍ଟିସମ୍ପନ୍ନ, ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ୨୦୦୩ ମସିହାରେ ପ୍ରତିଷ୍ଠିତ, ଏମ୍ସ୍ ଭୁବନେଶ୍ୱର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜନସାଧାରଣଙ୍କ ବିଶ୍ୱାସ ଜିତିବାରେ ସକ୍ଷମ ହୋଇଛି। ଓଡ଼ିଶା ସମେତ ପଡ଼ୋଶୀ ପରବର୍ତ୍ତୀ ରାଜ୍ୟଗୁଡ଼ିକରେ ମଧ୍ୟ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଛି ଏହି ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ। ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟର ଜନସାଧାରଣ ଏମ୍ସ ଭୁବନେଶ୍ୱରର ଏକ ଦଶନ୍ଧିର ସୁବର୍ଣ୍ଣ ଯାତ୍ରାର ସାକ୍ଷୀ ହୋଇଥିବା ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଏହି ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ୫ମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହା କହିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସ୍ୱାସ୍ଥ୍ୟସେବା, ରୋଗୀ ସେବା ଏବଂ ଚିକିତ୍ସା ଶିକ୍ଷାରେ ପ୍ରତିଷ୍ଠାନର ଉଲ୍ଲେଖନୀୟ ଅବଦାନକୁ ପ୍ରଶଂସା କରିଥିଲେ। ସେବା, ଗବେଷଣା ଏବଂ ତାଲିମରେ ଶ୍ରେଷ୍ଠତା ହାସଲ କରିବା ସହିତ ଏମ୍ସ ଭୁବନେଶ୍ୱର ଭାରତର ସ୍ୱାସ୍ଥ୍ୟସେବା ଇକୋସିଷ୍ଟମକୁ ମଜବୁତ କରିଚାଲିଥିବା ପ୍ରକାଶ କରିଥିଲେ ରାଷ୍ଟ୍ରପତି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ସଂଗଠନ ଦ୍ୱାରା ଏହି ପ୍ରତିଷ୍ଠାନ ସମ୍ମାନିତ ହେବା ସହିତ ଉତ୍କର୍ଷତା ହାସଲ ଦିଗରେ ଦ୍ରୁତ ବେଗରେ ଗତି କରିଚାଲିଛି। ଗତ ବର୍ଷଗୁଡ଼ିକରେ ଏମ୍ସ ଭୁବନେଶ୍ୱରରେ ଚିକିତ୍ସିତ ହୋଇଥିବା ଲକ୍ଷ ଲକ୍ଷ ରୋଗୀଙ୍କ ସଂଖ୍ୟା ହିଁ ଉଚ୍ଚମାନର ସ୍ୱାସ୍ଥ୍ୟସେବା ପ୍ରଦାନ କରିବାରେ ଏହାର ବର୍ଦ୍ଧିତ ପ୍ରଭାବର ଏକ ସ୍ପଷ୍ଟ ପ୍ରମାଣ ବୋଲି ରାଷ୍ଟ୍ରପତି ପ୍ରକାଶ କରିଥିଲେ। ଏହାଛଡ଼ା ରାଷ୍ଟ୍ରପତି କହିଥିଲେ ଯେ ଦେଶର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ଏମ୍ସଗୁଡ଼ିକ ଅତ୍ୟାଧୁନିକ ଚିକିତ୍ସା ବିଜ୍ଞାନ ଏବଂ ଅଭିଜ୍ଞ ଡାକ୍ତରଙ୍କ ମାଧ୍ୟମରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି। ଏହି ପ୍ରତିଷ୍ଠାନଗୁଡ଼ିକରେ ଲୋକମାନେ କମ ମୂଲ୍ୟରେ ଗୁଣାତ୍ମକ ଚିକିତ୍ସା ସୁବିଧା ପାଉଛନ୍ତି। ଏମ୍ସର ସଫଳତା ଯୋଗୁଁ ଭାରତ ବିଶ୍ୱରେ ଏକ ଅଗ୍ରଣୀ ସ୍ୱାସ୍ଥ୍ୟସେବା ଗନ୍ତବ୍ୟସ୍ଥଳ ହେବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ।
ରାଷ୍ଟ୍ରପତି କହିଥିଲେ ଯେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଗବେଷଣା ଉପଚାରକୁ ଅଧିକ ସହଜ କରିଛି। ଅନେକ ମହାମାରୀର ପ୍ରକୋପ ହ୍ରାସ ପାଇଛି। ବସନ୍ତ, କୁଷ୍ଠ, ପୋଲିଓ, ଯକ୍ଷ୍ମା ଆଦି ରୋଗର ବୋଝ ଆଉ ପୂର୍ବ ପରି ନାହିଁ। ଏଥିପାଇଁ ଡାକ୍ତର, ଗବେଷକ, ସ୍ୱାସ୍ଥ୍ୟ ଓ ସାମାଜିକ କର୍ମୀ ଏବଂ ସରକାର ପ୍ରଶଂସାର ପାତ୍ର ଅଟନ୍ତି। ମାନସିକ ଅବସାଦ ଆଜିର ସମାଜରେ ଏକ ବଡ଼ ସମସ୍ୟା ପାଲଟିଛି । ଅବସାଦର ଚିକିତ୍ସା ପାଇଁ ଔଷଧ ବ୍ୟତୀତ ସଚେତନତା ମଧ୍ୟ ଜରୁରୀ। ଜୀବନଶୈଳୀରେ ପରିବର୍ତ୍ତନ ଦ୍ୱାରା ମାନସିକ ଶାନ୍ତି ମିଳିପାରିବ। ସେ କହିଥିଲେ, ଯୋଗ ଏବଂ ପ୍ରାଣାୟାମ ମାନସିକ ସ୍ୱାସ୍ଥ୍ୟ ପାଇଁ ଲାଭପ୍ରଦ ହୋଇପାରିବ। ସୁସ୍ଥ ଜୀବନଶୈଳୀର ଲାଭ ବିଷୟରେ ଲୋକମାନଙ୍କୁ ସଚେତନ କରିବା ଲାଗି ସେ ଚିକିତ୍ସକମାନଙ୍କୁ ନିବେଦନ କରିଥିଲେ।
ଆଉ ଏକ ଜୀବନଶୈଳୀ ଜନିତ ରୋଗ ରୂପେ ମେଦବହୁଳତା ମଧ୍ୟ ଏକ ଚିନ୍ତାର କାରଣ ପାଲଟିଛି ବୋଲି ରାଷ୍ଟ୍ରପତି କହିଥିଲେ। ଶୃଙ୍ଖଳିତ ଜୀବନଯାପନ, ଖାଦ୍ୟାଭ୍ୟାସରେ ସୁଧାର ଏବଂ ନିୟମିତ ବ୍ୟାୟାମ ଜରିଆରେ ଏହି ରୋଗରୁ ମୁକ୍ତି ପାଇବା ସମ୍ଭବ। ଏ ପ୍ରସଙ୍ଗରେ ସମାଜରେ ସଚେତନତା ସୃଷ୍ଟି କରିବା ଲାଗି ସେ ଡାକ୍ତରମାନଙ୍କୁ ପରାମର୍ଶ ଦେଇଥିଲେ। ରାଷ୍ଟ୍ରପତି ସ୍ଥାନୀୟ ସମସ୍ୟା ସମାଧାନ ଲାଗି ଡାକ୍ତରମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ ଆଦିବାସୀ ସମାଜରେ ଦୁଇଟି ରୋଗର ଅଧିକ ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି। ସେଥିମଧ୍ୟରୁ ଗୋଟିଏ ହେଉଛି ଜାପାନିଜ୍ ଏନସେଫାଲାଇଟିସ୍ ଏବଂ ଅନ୍ୟଟି ହେଉଛି ସିକଲ୍ ସେଲ ଏନିମିଆ। ସରକାର ଏ ଦୁଇଟି ରୋଗ ନିରାକରଣ କ୍ଷେତ୍ରରେ ଅନେକ ପଦକ୍ଷେପ ନେଇଛନ୍ତି। ଏସବୁ ରୋଗର ଚିକିତ୍ସା ପାଇଁ ଡାକ୍ତରମାନେ ଯଥାସମ୍ଭବ ଅଧିକରୁ ଅଧିକ ଗବେଷଣା କରିବା ଉଚିତ୍ ବୋଲି ରାଷ୍ଟ୍ରପତି କହିଥିଲେ।
ଏହି ଅବସରରେ ସେ କୃତି ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ସହିତ ଡିଗ୍ରୀ ପ୍ରଦାନ କରିଥିଲେ। ଏହି ଅବସରରେ ଓଡ଼ିଶାର ରାଜ୍ୟପାଳ ହରି ବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଉପସ୍ଥିତ ସମ୍ମାନିତ ଅତିଥିମାନେ ଛାତ୍ରମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ପୂର୍ବ ଭାରତରେ ଏକ ସାମଗ୍ରିକ ସ୍ୱାସ୍ଥ୍ୟସେବା ସେବା ପାଇଁ ଏମ୍ସ ଭୁବନେଶ୍ୱରର ପ୍ରୟାସକୁ ପ୍ରଶଂସା କରିଥିଲେ। ତେବେ କୋଭିଡ୍ ସମୟରେ ଏମ୍ସ ଭୁବନେଶ୍ୱର ପ୍ରଶଂସନୀୟ ଭୂମିକା ନିର୍ବାହ କରିଥିଲା ବୋଲି ରାଜ୍ୟପାଳ ହରି ବାବୁ କମ୍ଭମପାଟୀ ନିଜ ବକ୍ତବ୍ୟରେ କହିଥିଲେ। ସେହିପରି ସାମଗ୍ରୀକ ବିକାଶ ନିମନ୍ତେ ଏମ୍ସ ଭୁବନେଶ୍ୱରକୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦିଆଯିବ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିବା ବେଳେ ରାଜ୍ୟରେ ଏମ୍ସ ଏବଂ ଅନ୍ୟାନ୍ୟ ଜାତୀୟ ପ୍ରତିଷ୍ଠାନ ସହିତ ମିଳିତ ଗବେଷଣାର ବିପୁଳ ସୁଯୋଗ ରହିଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ।
ଏହି ଅବସରରେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଭାରତର ରାଷ୍ଟ୍ରପତିଙ୍କ ସମେତ ଅନ୍ୟ ବିଶିଷ୍ଟ ଅତିଥିଙ୍କୁ ଅନୁଷ୍ଠାନର ୫ମ ସମାବର୍ତ୍ତନ ସମାରୋହକୁ ସ୍ୱାଗତ କରିଥିଲେ ଏବଂ ଏହି ଜାତୀୟ ପ୍ରତିଷ୍ଠାନର ସଫଳତା ଉପରେ ଆଲୋକପାତ କରିଥିଲେ। ଏମ୍ସ ଭୁବନେଶ୍ୱର ଅଧ୍ୟକ୍ଷ ଡ. ଶୈଳେଶ କୁମାର ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ଡିନ୍ ଡ. ପି ଆର୍ ମହାପାତ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ରାଷ୍ଟ୍ରପତି ଏମ୍ସ ଭୁବନେଶ୍ୱରର ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ୩୧ ଜଣ ଛାତ୍ରଛାତ୍ରୀଙ୍କୁ ୫୯ ଟି ସ୍ୱର୍ଣ୍ଣପଦକ ପ୍ରଦାନ କରିଥିଲେ। ଚିତଲୁରୀ ନେହା ଏବଂ ମେଧା ମେନନଙ୍କୁ ଶ୍ରେଷ୍ଠ ଏମବିବିଏସ୍ ସ୍ନାତକ ଭାବରେ ପୁରସ୍କୃତ କରାଯାଇଥିବା ବେଳେ, ମୃଣ୍ମୟୀ ମଣ୍ଡଳ ଏବଂ ପ୍ରିୟଙ୍କା ସିଂହଙ୍କୁ ଶ୍ରେଷ୍ଠ ବିଏସସି (ଅନର୍ସ) ନର୍ସିଂ ସ୍ନାତକ ଭାବରେ ସମ୍ମାନିତ କରାଯାଇଥିଲା।










