ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କାନାଡା ଉପରେ ୩୫% ଉତ୍ପାଦ ଶୁଳ୍କ ଲାଗୁ ସମ୍ପର୍କରେ ଘୋଷଣା କରିଛନ୍ତି । ଟ୍ରମ୍ପ୍ଙ୍କ କହିବାନୁସାରେ ଆସନ୍ତା ମାସ ଅର୍ଥାତ୍ ଅଗଷ୍ଟ ୧ରୁ କାନାଡାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଆମେରିକା ୩୫% ଟାରିଫ୍ ଲଗାଇବ । ସେ କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନେଙ୍କୁ ଏନେଇ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍’ ମାଧ୍ୟମରେ ମଧ୍ୟ ଅବଗତ କରାଇଛନ୍ତି । ଟ୍ରମ୍ପ୍ ଏହି ଅବସରରେ ପରୋକ୍ଷରେ କାନାଡାକୁ ଚେତାବନୀ ମଧ୍ୟ ଦେଇଛନ୍ତି ।
ଟ୍ରମ୍ପ୍, କାର୍ଣ୍ଣିଙ୍କୁ କହିଛନ୍ତି ଯେ, ଯଦି କାନାଡା ଏହାର ପ୍ରତିଶୋଧ ନିଏ, ତେବେ ଟାରିଫ୍ ଆହୁରି ବୃଦ୍ଧି କରାଯିବ । ଟ୍ରମ୍ପ ନିକଟ ଦିନରେ ତାଙ୍କ ବାଣିଜ୍ୟ ଯୁଦ୍ଧକୁ ଆହୁରି ବିସ୍ତାର କରିଛନ୍ତି । ସେ ଜାପାନ ଏବଂ ଦକ୍ଷିଣକୋରିଆ ଭଳି ମିତ୍ର ରାଷ୍ଟ୍ରଗୁଡ଼ିକ ସମେତ ଅନେକ ଦେଶ ଉପରେ ନୂଆ ଟାରିଫ୍ ଲଗାଇଛନ୍ତି । ଏହା ସହିତ ସେ ତମ୍ବା ଉପରେ ୫୦% ଟାରିଫ୍ ଘୋଷଣା କରିଛନ୍ତି । ଟ୍ରମ୍ପ କହିଛନ୍ତି ଯେ, ଯେଉଁ ବାଣିଜ୍ୟ ଅଂଶୀଦାର ଦେଶମାନେ ଏପର୍ଯ୍ୟନ୍ତ ଏଭଳି ଚିଠି ପାଇ ନାହାଁନ୍ତି, ସେମାନଙ୍କ ଉପରେ ମଧ୍ୟ ସାଧାରଣତଃ ୧୫% କିମ୍ବା ୨୦% ଟାରିଫ ଲଗାଯିବ । ସେ କହିଛନ୍ତି, “ସମସ୍ତେ ଚିଠି ପାଇବା ଆବଶ୍ୟକ ନୁହେଁ । ବାକି ରହିଥିବା ଦେଶଗୁଡ଼ିକ ୧୫% କିମ୍ବା ୨୦% ଟାରିଫ୍ ଦେବେ । ତେବେ ଟ୍ରମ୍ପ୍ଙ୍କ ଏହି ନୂଆ ଟାରିଫ ନୀତି ବିଶ୍ୱ ବାଣିଜ୍ୟରେ ବଡ଼ ଧରଣର ପରିବର୍ତ୍ତନ ଆଣିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।










