ଜେରୁଜେଲମ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ୧୨ ଦିନିଆ ଭୟଙ୍କର ଯୁଦ୍ଧ ଏବେ ସାମାନ୍ୟ ଥମିଛି । ଉଭୟ ଦେଶ ମଧ୍ୟରେ ଅସ୍ତ୍ରବିରତି ହୋଇଛି । ଏହା ବିଶ୍ୱାସ କରାଯାଉଥିଲା ଯେ, ଏବେ ମଧ୍ୟପ୍ରାଚ୍ୟର ପରିସ୍ଥିତି କିଛିଟା ସ୍ୱାଭାବିକ ହେବ । କିନ୍ତୁ ଏସବୁ ପରିସ୍ଥିତି ମଧ୍ୟରେ ଇସ୍ରାଏଲ ଏବେ ପୁଣିଥରେ ହଠାତ୍ ଲେବାନନ ଉପରେ ଆକ୍ରମଣ କରିଛି । ରିପୋର୍ଟ ଅନୁସାରେ ଶୁକ୍ରବାର ଇସ୍ରାଏଲ ଦକ୍ଷିଣ ଲେବାନନରେ ବଡ଼ ଧରଣର ବିମାନ ଆକ୍ରମଣ କରିଛି, ଯାହାଦ୍ୱାରା ସମଗ୍ର ଅଞ୍ଚଳରେ ଭୟଙ୍କର ବାତାବରଣ ସୃଷ୍ଟି କରିଛି । ଲେବାନନ୍ ପକ୍ଷରୁ ମଧ୍ୟ ଇସ୍ରାଏଲ ପଟୁ ହୋଇଥିବା ଆକ୍ରମଣ ସମ୍ପର୍କରେ ସ୍ପଷ୍ଟ କରାଯାଇଛି । ଇସ୍ରାଏଲୀ ଯୁଦ୍ଧ ବିମାନର ଗର୍ଜନ ସହିତ ଏହି ଅଞ୍ଚଳରେ ଅନେକ ଜୋରଦାର ବିସ୍ଫୋରଣ ଶୁଣାଯାଇଥିଲା । ଏହା ବ୍ୟତୀତ ଦକ୍ଷିଣ ଲେବାନନର ଅନେକ ସ୍ଥାନରେ ଡ୍ରୋନ ମଧ୍ୟ ଉଡ଼ୁଥିବା ଦେଖାଯାଇଥିଲା ।
ଇସ୍ରାଏଲୀ ସେନା କହିଛି, ଏହା ହିଜବୁଲ୍ଲା ଉଗ୍ରବାଦୀ ସଂଗଠନର କାର୍ଯ୍ୟକଳାପକୁ ବନ୍ଦ କରିବା ପାଇଁ ଏହି ଆକ୍ରମଣ କରିଛି । ଦକ୍ଷିଣ ଲେବାନନର ନାବାଟିଆହ ଅଲ-ଫୌକା ଏବଂ ଇକଲିମ ଅଲ-ତୁଫା ପାହାଡ଼ ଉପରେ ଅନେକ ସ୍ଥାନକୁ ଟାର୍ଗେଟ କରାଯାଇଥିଲା । ଇସ୍ରାଏଲୀ ସେନା ଅନୁସାରେ ଇସ୍ରାଏଲୀ ଯୁଦ୍ଧ ବିମାନ ଦକ୍ଷିଣ ଲେବାନନର ମାଉଣ୍ଟ ଶୁକେଫ ଅଞ୍ଚଳରେ (ସ୍ଥାନୀୟ ଭାବରେ ଅଲି ଅଲ-ତାହେର କୁହାଯାଉଥିବା) ଏକ ଗୁପ୍ତସ୍ଥାନକୁ ଟାର୍ଗେଟ୍ କରିଥିଲା । ଏହି ଆଡ୍ଡାକୁ ହିଜବୁଲାର ଅଗ୍ନି ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ପରିଚାଳନା ପାଇଁ ବ୍ୟବହାର କରାଯାଉଥିଲା । ଏହା ଏକ ଭୂତଳ ପ୍ରକଳ୍ପର ଅଂଶ, ଯାହା ପୂର୍ବରୁ ଇସ୍ରାଏଲୀ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିଲା, କିନ୍ତୁ ଏବେ ପୁନଃନିର୍ମାଣ କରାଯାଉଛି । ଇସ୍ରାଏଲ ଆଜି ଆକ୍ରମଣ କରିବାର ଠିକ ଦିନକ ପୂର୍ବରୁ, ହିଜବୁଲାର ଉପମୁଖ୍ୟ ଶେଖ ନଇମ କାସିମ ସ୍ପଷ୍ଟ ଭାବରେ କହିଥିଲେ, ଲେବାନନ କାହାର ଚାପରେ ଆସିବ ନାହିଁ କିମ୍ବା ଦଖଲ ଗ୍ରହଣ କରିବ ନାହିଁ । ଏହା ଆମର ଦେଶ, ଆମେ ଏହାକୁ ସମ୍ମାନର ସହିତ ଚାହୁଁଛୁ ଏବଂ ଆମେ ଏଥିପାଇଁ ଲଢ଼ିବୁ । ସୂଚନାଯୋଗ୍ୟ ଯେ, ନଭେମ୍ବର ୨୭ ତାରିଖରେ ଯୁଦ୍ଧବିରତି ଚୁକ୍ତି ପରେ ମଧ୍ୟ ଇସ୍ରାଏଲ ଲେବାନନରେ ନିୟମିତ ଆକ୍ରମଣ କରୁଛି ।










