15.1 C
Bhubaneswar
Monday, December 8, 2025
Homeଓଡିଶାନବସୃଜନ, ସଚ୍ଚୋଟତା ଏବଂ କରୁଣାର ସହ ଚିକିତ୍ସକମାନେ ମାନବ ସମାଜର ସେବା ପାଇଁ ପ୍ରତିବଦ୍ଧତା ଦୋହରାନ୍ତୁ:...

ନବସୃଜନ, ସଚ୍ଚୋଟତା ଏବଂ କରୁଣାର ସହ ଚିକିତ୍ସକମାନେ ମାନବ ସମାଜର ସେବା ପାଇଁ ପ୍ରତିବଦ୍ଧତା ଦୋହରାନ୍ତୁ: ରାଜ୍ୟପାଳ

ଭୁବନେଶ୍ୱର: ଚିକିତ୍ସକମାନେ ନବସୃଜନ, ସଚ୍ଚୋଟତା ଏବଂ କରୁଣାର ସହ ମାନବ ସମାଜର ସେବା ପାଇଁ ନିଜର ପ୍ରତିବଦ୍ଧତା ଦୋହରାଇବାକୁ ରାଜ୍ୟପାଳ ଡ଼ ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି। ଚଳିତ ଜୁନ ୨୩ ତାରିଖ ଦିନ ଭୁବନେଶ୍ୱର ଠାରେ ଟାଇମ୍ସ ହେଲଥ ଆଇକନ୍ସ- ୨୦୨୫ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି। ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଚିକିତ୍ସକମାନଙ୍କର ରୋଗୀଙ୍କ ଯତ୍ନ ପ୍ରତି ପ୍ରତିବଦ୍ଧତା, ଦକ୍ଷତା ଅଗଣିତ ଜୀବନକୁ ପ୍ରଭାବିତ କରେ ଏବଂ ଜନସାଧାରଣଙ୍କ ବିଶ୍ୱାସକୁ ପ୍ରେରଣା ଯୋଗାଏ।  ସ୍ୱାସ୍ଥ୍ୟ ସେବା ବୃତ୍ତିଧାରୀମାନେ ହେଉଛନ୍ତି ଦେଶର ପ୍ରକୃତ ନାୟକ ଯେଉଁମାନେ ଅନ୍ୟମାନଙ୍କୁ ସୁସ୍ଥ କରିବା ପାଇଁ ନିଜ ଜୀବନ ଉତ୍ସର୍ଗ କରନ୍ତିIନିଜ ଜୀବନକୁ ବିପଦରେ ପକାଇ ମଧ୍ୟ ଅନ୍ୟକୁ ସୁସ୍ଥ କରିବା ପାଇଁ ଦିନରାତି କାମ କରନ୍ତି ବୋଲି ରାଜ୍ୟପାଳ କହିଥିଲେ। ପୁଣି ରାଜ୍ୟପାଳ କହିଥିଲେ ଯେ କୋଭିଡ-୧୯ ମହାମାରୀ ସମୟରେ ଘଣ୍ଟା ଘଣ୍ଟା ଧରି ପିପିଇ କିଟ ପିନ୍ଧି, ବିଶ୍ରାମ ନ ନେଇ କାମ କରି ଅଗଣିତ ଜୀବନ ବଞ୍ଚାଇବା ପାଇଁ ସେମାନଙ୍କର ସାହସ ଆମେ ଦେଖିଛେ ।

ଚିକିତ୍ସା ବ୍ୟତୀତ ସେମାନେ ବିଭିନ୍ନ ରୋଗର ନିରାକରଣ, ଟୀକାକରଣ ଅଭିଯାନ, ଗଣ ଔଷଧ ସେବନ, ମାତୃ ଯତ୍ନ, ସ୍ୱାସ୍ଥ୍ୟ ଶିକ୍ଷା ଇତ୍ୟାଦି ସଚେତନତା ଅଭିଯାନରେ ମଧ୍ୟ ଚିକିତ୍ସକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ପୂର୍ବ ଭାରତରେ ଓଡିଶା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଦ୍ରୁତ ଗତିରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହେଉଛି। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ପଦକ୍ଷେପ ସହିତ ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ କରିବାକୁ ଗୁରୁତ୍ୱ ଦିଆଯାଉଛି। ପୂର୍ବ ବର୍ଷର ବଜେଟ ତୁଳନାରେ ରାଜ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ବଜେଟରେ ଉଲ୍ଲେଖନୀୟ ବୃଦ୍ଧି, ଯାଜପୁର, ଫୁଲବାଣୀ, ତାଳଚେର ରେ ନୂତନ ମେଡିକାଲ କଲେଜ ସ୍ଥାପନ, ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିବା ଇତ୍ୟାଦି ରାଜ୍ୟରେ ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ କରିବା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ବୋଲି ରାଜ୍ୟପାଳ କହିଥିଲେ।

ଏହି ସମାରୋହରେ ଓଡିଶା ସରକାରଙ୍କ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଏମ୍ସ ଭୁବନେଶ୍ୱରର ପୂର୍ବତନ ନିର୍ଦେଶକ ପଦ୍ମଶ୍ରୀ ଡ଼. ଅଶୋକ ମହାପାତ୍ର, ଏମ୍ସ ଭୁବନେଶ୍ୱରର ଡିନ ଡ଼. ପ୍ରଶାନ୍ତ ରାଘବ ମହାପାତ୍ର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପ୍ରାରମ୍ଭରେ ଓଡିଶା ବାଇଟ୍ସର ଗ୍ରୁପ ଏଡିଟର ସନ୍ଦୀପ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ପାରଦର୍ଶିତା ହାସଲ କରିଥିବା ଚିକିତ୍ସକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking