ଉତ୍ତରପ୍ରଦେଶ: ବିବାହକୁ ୧୫ ବର୍ଷ, ୧୧ ବର୍ଷର ପୁଅ ଏବଂ ୭ ବର୍ଷର ଝିଅ, ତଥାପି ବି ମହିଳାଙ୍କୁ ହୋଇଗଲା ପ୍ରେମ। ପ୍ରେମିକକୁ ପାଇବା ପାଇଁ ସ୍ୱାମୀ ଏବଂ ପୁଅକୁ ଖାଦ୍ୟରେ ଦେଇଥିଲେ ବିଷ। ଭଗବାନଙ୍କ କୃପାରୁ ବଞ୍ଚିଗଲା ୨ ଜଣଙ୍କ ଜୀବନ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଗୋଣ୍ଡାରେ। ଦାନ ବାହାଦୁରଡିହ ଗାଁର ବାସିନ୍ଦା ହରିଶ୍ଚନ୍ଦ୍ର (୪୦) ୧୫ ବର୍ଷ ପୂର୍ବେ କରିଶ୍ମା (୩୫)ଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ସନ୍ତାନ ଥିଲେ। ପୁଅର ବୟସ ୧୧ ବର୍ଷ ହୋଇଥିବାବେଳେ ଝିଅର ବୟସ ଥିଲା ୭ ବର୍ଷ।
ହରିଶ୍ଚନ୍ଦ୍ର ପୂର୍ବରୁ ସୁରଟରେ କାମ କରୁଥିଲେ କିନ୍ତୁ ଅସୁସ୍ଥତା ଯୋଗୁଁ ବର୍ତ୍ତମାନ ସେ ଘରେ ରହୁଥିଲେ। ପ୍ରାୟ ଗୋଟିଏ ବର୍ଷ ପୂର୍ବେ କରିଶ୍ମାଙ୍କ ପ୍ରେମ ସମ୍ପର୍କ ମହାରାଜଗଞ୍ଜର ବାସିନ୍ଦା ଶିବରାଜ ଚୌହାନଙ୍କ ସହ ଆରମ୍ଭ ହୋଇଥିଲା। ଶିବରାଜ ସୁରଟରେ ମଧ୍ୟ କାମ କରନ୍ତି। ହରିଶ୍ଚନ୍ଦ୍ର ଯେତେବେଳେ ଔଷଧ କିଣିବାକୁ ବଜାର ଯାଇଥିଲେ, କିଛି ଲୋକ ତାଙ୍କୁ ତାଙ୍କ ସ୍ତ୍ରୀ ଏବଂ ତାଙ୍କ ପ୍ରେମିକ ସମ୍ପର୍କରେ ଜଣାଇଥିଲେ। ବଜାରରୁ ଯେତେବେଳେ ହରିଶ୍ଚନ୍ଦ୍ର ଘରକୁ ଫେରିଥିଲେ ସେ ତାଙ୍କ ସ୍ତ୍ରୀକୁ ତାଙ୍କ ପ୍ରେମିକଙ୍କ ସହ ଧରିଥିଲେ। ଯାହାଫଳରେ ସେ ସେହି ଦୁଇଜଣଙ୍କୁ ନେଇ ଘର ଠାରୁ ୫୦୦ ମିଟର ଦୂରରେ ଥିବା ଅଲ୍ଲୀପୁରର ବୁଧାଉ ବାବା ମନ୍ଦିରକୁ ନେଇ ସ୍ତ୍ରୀଙ୍କ ମଥାରୁ ସିନ୍ଦୁର ଧୋଇଦେଇ ତାଙ୍କ ପ୍ରେମିକଙ୍କ ସହ ବିବାହ କରାଇ ଦେଲେ। ରୀତିନୀତି ଅନୁସାରେ ବିବାହ ସମ୍ପୂର୍ଣ୍ଣ ହୋଇଥିଲା ଏବଂ ମହିଳା ଜଣକ ଝିଅକୁ ନିଜ ସାଙ୍ଗରେ ନେଇଗଲେ ଆଉ ପୁଅ ସ୍ୱାମୀଙ୍କ ପାଖରେ ରହିଲା।









