18.1 C
Bhubaneswar
Saturday, December 6, 2025
Homeଓଡିଶାଡବଲ ଇଂଜିନ ଡବଲ ଵିକାଶ ନୁହେଁ, ଡବଲ ଧୋକା: ବିଜେଡି

ଡବଲ ଇଂଜିନ ଡବଲ ଵିକାଶ ନୁହେଁ, ଡବଲ ଧୋକା: ବିଜେଡି

ଭୁବନେଶ୍ୱର: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ ଓ ତାଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ଓଡ଼ିଶାର ଭିଜନ ଡକ୍ୟୁମେଣ୍ଟ ଉପରେ ପ୍ରତିକ୍ରିୟା ରଖି ଆଜି ବିଜୁ ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କ ଏକ ବର୍ଷର ବିଫଳତାକୁ ରାଜ୍ୟବାସୀଙ୍କ ସମ୍ମୁଖରେ ରଖିବା ସହିତ, ଡବଲ ଇଂଜିନ ସରକାର ରାଜ୍ୟବାସୀଙ୍କ ପାଇଁ ଡବଲ ଧୋକା ଓ ନିର୍ବାଚନ ସମୟର ପ୍ରତିଶ୍ରୁତି ବାସ୍ତବରେ ପ୍ରତାରଣାରେ ପରିଣତ ହୋଇଛି ବୋଲି କହିଛନ୍ତି। ଶଙ୍ଖଭଵନ ଠାରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ରାଜନୈତିକ ବ୍ୟାପାର କମିଟି ସଦସ୍ୟ ଶ୍ରୀ ସଞ୍ଜୟ କୁମାର ଦାସବର୍ମା, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଓ ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି।

ଶ୍ରୀ ସଞ୍ଜୟ କୁମାର ଦାସବର୍ମା କହିଥିଲେ, ଶ୍ରୀମନ୍ଦିର ତଥା ତୀର୍ଥକ୍ଷେତ୍ର ପୁରୀର ଵିକାଶ ପାଇଁ ନବୀନ ସରକାରଙ୍କ ଦ୍ୱାରା ବ୍ୟାପକ କାର୍ୟ୍ୟକ୍ରମ କରାଯାଇଥିଲା ବେଳେ ଗତ ଏକ ବର୍ଷରେ ଏହି ଵିକାଶ କାର୍ୟ୍ୟ ଠପ ହୋଇ ଯାଇଛି। ଗତ ନିର୍ବାଚନ ସମୟରେ ବିଜେପି ତରଫରୁ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି ଚୋରି ହୋଇଛି ବୋଲି କୁହାଯାଇଥିଲା ଓ ଏହା ପାତାଳରେ ବି ରହିଥିଲେ ମଧ୍ୟ ଆମେ ତାକୁ ଖୋଜି ଆଣିବୁ। କିନ୍ତୁ ସରକାରକୁ ଆସିବା ପରେ ଚାବି ସମ୍ପର୍କରେ ଉଚ୍ଚ ନ୍ୟାୟାଳୟରେ ସରକାରଙ୍କ ତରଫରୁ ଦାଖଲ କରାଯାଇଥିବା ଏକ ସତ୍ୟପାଠରେ ଚାବି କଥାକୁ ସାର୍ବଜନୀନ କରି ପାରିବୁ ନାହିଁ ବୋଲି କହିଥିଲେ। ଏଥିରୁ ବିଜେପିର ଦୋମୁହାଁ ଚରିତ୍ର ଜଳ ଜଳ ହୋଇ ଦିଶୁଛି। ସେହିପରି, ରତ୍ନଭଣ୍ଡାରର ଗଣତି ମଣତି ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏହା ଏ ପର୍ୟ୍ୟନ୍ତ କରାଯାଇନାହିଁ। ଗତ ଏକ ବର୍ଷରେ ଶ୍ରୀମନ୍ଦିରର କୌଣସି ଵିକାଶମୂଳକ କାର୍ୟ୍ୟ ହୋଇ ପାରିନାହିଁ। ଅପରପକ୍ଷରେ, ଶ୍ରୀମନ୍ଦିର ପରିଚାଳନା କମିଟିର ଅବଧି ଶେଷ ହେବାର ୯ ମାସ ବିତି ଯାଇଥିଲେ ସୁଦ୍ଧା, ଏ ପର୍ୟ୍ୟନ୍ତ ନୂତନ କମିଟି ଗଠନ ହୋଇପାରି ନାହିଁ। ଗତ ଏକବର୍ଷ ଭିତରେ ଶ୍ରୀମନ୍ଦିରରେ ରାଜ୍ୟ ସରକାରଙ୍କ ଦ୍ୱାରା କୌଣସି ଉନ୍ନତିମୂଳକ କାର୍ୟ୍ୟ ହୋଇ ପାରିନାହିଁ ଓ ଦର୍ଶନ ବ୍ୟବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ଅବ୍ୟବସ୍ଥିତ ହୋଇ ପଡିଛି ବୋଲି ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି।

ଶ୍ରୀ ଦାସବର୍ମା କହିଥିଲେ, ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶାକୁ ପୂର୍ବ ବର୍ଷ ତୁଳନାରେ ୧୮.୧୯% ଅନୁଦାନ କମିବା ବିଜେପିର ଡବଲ ଇଂଜିନ ଡବଲ ଵିକାଶ ନାରା ମଧ୍ୟ ଏକ ମହାମିଛ ବୋଲି ପର୍ଦାଫାସ ହୋଇଛି। ଗତ ବଜେଟରେ ଦେଶର ୧୨ଟି ସହରକୁ ଶିଳ୍ପ ସହର ଭାବେ ଗଢି ତୋଳିବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ, ଯେଉଁଥିରେ ଓଡ଼ିଶାର କୌଣସି ସହର ସ୍ଥାନ ପାଇ ନାହିଁ। ଉଲ୍ଲେଖଯୋଗ୍ୟ, ଦେଶରେ ଗଚ୍ଛିତ ଥିବା ସମସ୍ତ ଖଣିଜ ସମ୍ପଦ ମଧ୍ୟରୁ ଓଡ଼ିଶାରେ ପ୍ରାୟ ୪୦ ପ୍ରତିଶତ ଖଣିଜ ସମ୍ପଦ ରହିଛି। ଏହା ସତ୍ତ୍ବେ, ଦୁଃଖ ଓ ପରିତାପର ବିଷୟ, ଓଡିଶାର କୌଣସି ସହର ଶିଳ୍ପ ସହର ହେବା ତାଲିକାରେ ସ୍ଥାନ ମିଳିଲା ନାହିଁ।

ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ, ଗତ ଏକ ବର୍ଷରେ, ରାଜ୍ୟର ଆଇନ ଶୃଙ୍ଖଳା ବିପର୍ୟ୍ୟସ୍ତ ହୋଇ ପଡିଛି। ରାଜ୍ୟରେ, ଦୁଷ୍କର୍ମ, ଅପହରଣ, ହତ୍ୟା ମହିଳାମାନଙ୍କ ଉପରେ ନିର୍ୟ୍ୟାତନା ଘଟଣାରେ ଅହେତୁକ ବୃଦ୍ଧି ପାଇଛି, ଯାହାଯୋଗୁ, ମହିଳା ମାନେ ଅସୁରକ୍ଷିତ ହୋଇ ପଡିଛନ୍ତି। ରାଜ୍ୟରେ ପ୍ରତିଦିନ ୧୫ଟି ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି। ସରକାରଙ୍କ ଦିଆଯାଇଥିବା ଶ୍ୱେତପତ୍ର ଅନୁଯାୟୀ ରାଜ୍ୟରେ ଦୁଷ୍କର୍ମ ପ୍ରାୟ ୮ ପ୍ରତିଶତ ବୃଦ୍ଧି ପାଇଛି। ନିକଟରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଦେଶର ଅପରାଧ ପ୍ରବଣ ରାଜ୍ୟର ତାଲିକାରେ, ଓଡିଶା ଅଷ୍ଟମ ସ୍ଥାନ ହାସଲ କରିଛି ଓ ପ୍ରଥମ ୧୦ଟି ରାଜ୍ୟ ମଧ୍ୟରୁ ୮ଟି ରାଜ୍ୟ ହେଉଛନ୍ତି ବିଜେପି ଶାସିତ ରାଜ୍ୟ।

ଶ୍ରୀମତୀ ଛୁରିଆ କହିଥିଲେ, ସୁଭଦ୍ରା ଯୋଜନାରେ ବିଜେପି ତରଫରୁ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ଦୁଇ ବର୍ଷରେ ୫୦ ହଜାର ଟଙ୍କା ଦିଆଯିବ ବୋଲି କୁହା ଯାଇଥିଲା। କିନ୍ତୁ, ଏହାକୁ, ପାଞ୍ଚ ବର୍ଷରେ, ବର୍ଷକୁ ପାଞ୍ଚ ପାଞ୍ଚ ହଜାର ଦୁଇ କିସ୍ତିରେ ଦିଆ ଯାଉଛି, ତାହା ପୁଣି ସମସ୍ତ ମହିଳା ମାନଙ୍କୁ ନୁହେଁ। ସୁଭଦ୍ରା ଯୋଜନା ମାଧ୍ୟମରେ, ଦିନକୁ ୨୭ ଟଙ୍କା ପ୍ରଦାନ କରାଯାଉଛି, ଯାହା ମହିଳାଙ୍କ ସ୍ୱାଭିମାନ ପ୍ରତି ଉପହାସ। ସେହିପରି, ମହିଳା ମାନଙ୍କୁ ପାଞ୍ଚ ହଜାର ଲେଖାଏ ଦୁଇ କିସ୍ତିରେ ବର୍ଷକୁ ଦଶ ହଜାର ଦେଇ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ରାଜ୍ୟ ସରକାରଙ୍କ ଦାବୀ ହାସ୍ୟାସ୍ପଦ। ଏହା ବିଜେପି ସରକାରଙ୍କ ଆଉ ଏକ ମିଛ ବୋଲି ଶ୍ରୀମତୀ ଛୁରିଆ କହିଥିଲେ।
ସେହିପରି, ନବୀନ ସରକାରଙ୍କ ସମୟରେ, ରାଜ୍ୟର ଆଦିବାସୀ ମାନଙ୍କ ଵିକାଶ ପାଇଁ ବିଭିନ୍ନ କାର୍ୟ୍ୟକ୍ରମ ଆରମ୍ଭ କରିଥିବା ବେଳେ ଏହାକୁ ବର୍ତ୍ତମାନର ସରକାର ବନ୍ଦ କରି ଦେଇଛନ୍ତି। ଆଦିବାସୀ ମାନଙ୍କ ସଂସ୍କୃତିର ସୁରକ୍ଷା ଓ ଏହାର ପ୍ରଚାର ପ୍ରସାର ଲକ୍ଷ୍ୟରେ, ଏସଡିସି ଗଠନ କରାଯାଇଥିଲା, ଯାହାକୁ ଏବେ ଭାଙ୍ଗି ଦିଆଯାଇଛି।

ଶ୍ରୀ ଭୃଗୁ ବକ୍ସିପାତ୍ର କହିଥିଲେ, ପ୍ରଧାନମନ୍ତ୍ରୀ ଗତକାଲି ଓଡିଶାକୁ ଆସିଥିଲେ ଓ ତାଙ୍କ ବକ୍ତବ୍ୟରେ ଓଡିଶା ସରକାରଙ୍କୁ ପ୍ରଶଂସା କଲେ। କିନ୍ତୁ, ଆମର ଧାରଣା, ରାଜ୍ୟ ସରକାର ଓଡ଼ିଶାର ବାସ୍ତବ ଚିତ୍ର ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିନାହାନ୍ତି। ପ୍ରଧାନମନ୍ତ୍ରୀ ଓଡିଶା ପୂର୍ବୋଦୟ ରାଜ୍ୟ ଗୁଡିକର ବିକାଶର ମୁଖଶାଳା ହେବ ବୋଲି କହିଥିଲେ। କିନ୍ତୁ, ବିକାଶର ମୁଖଶାଳା ହେବାକୁ ଯାଉଥିବା ଓଡିଶା ଦୀର୍ଘ ଚାଳିଶ ବର୍ଷର ବ୍ୟବଧାନ ପରେ ଆଜି ମହାମାରୀ କଲେରାରେ ଆକ୍ରାନ୍ତ। ରାଜ୍ୟର, ଏଗାରଟି ଜିଲ୍ଲାର ବାସିନ୍ଦା ମାନେ ଆଜି କଲେରା ଓ ଡ଼ାଇରିଆ ରୋଗରେ କଲବଲ ହେଉଛନ୍ତି। ଏପଟେ ରାଜ୍ୟ ସରକାର ଉତ୍ସବରେ ମାତିଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ାଇରିଆ ଡ୍ୟାନ୍ସ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି, ଯାହା କଲେରା ଓ ଡ଼ାଇରିଆ ରୋଗରେ ପୀଡିତ ରୋଗୀ ମାନଙ୍କ ପାଇଁ କଟା ଘାଆରେ ଚୂନ ସଦୃଶ୍ୟ ହୋଇଛି।

ଶ୍ରୀ ବକ୍ସିପାତ୍ର କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ଓଡ଼ିଶାର ଭିଜନ ଡକ୍ୟୁମେଣ୍ଟରେ ରାଜ୍ୟର ଵିକାଶ ହାର ୯% ଲକ୍ଷ୍ୟ ରଖାଯାଇଛି। କିନ୍ତୁ, ଅନ୍ୟ ରାଜ୍ୟ ମାନଙ୍କ ଵିକାଶ ହାର ୧୫% ପର୍ୟ୍ୟନ୍ତ ରହିଥିବା ବେଳେ, ରାଜ୍ୟ ସରକାର ଏପରି କ୍ଷୁଦ୍ର ଭିଜନ ରଖିବା ବୁଦ୍ଧିଜୀବୀ ମହଲରେ ଭୃକୁଞ୍ଚନ ସୃଷ୍ଟି କରିଛି। ନବୀନ ସରକାରଙ୍କ ସମୟରେ, ଓଡ଼ିଶାର ଵିକାଶ ହାର ସର୍ବାଧିକ ୧୬% ହୋଇଥିଲା। ଏହି ପରିପ୍ରେକ୍ଷୀରେ, ସରକାରଙ୍କ ଭିଜନ ଏତେ ସଂକୁଚିତ କାହିଁକି ବୋଲି ଶ୍ରୀ ବକ୍ସିପାତ୍ର ପ୍ରଶ୍ନ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking