25.1 C
Bhubaneswar
Wednesday, March 25, 2026
Homeଓଡିଶାଯାଜପୁର ଜିଲ୍ଲାର ଡାଇରିଆ ସ୍ଥିତିରେ ସୁଧାର, ସ୍ଥିତି ନିୟନ୍ତ୍ରଣାଧିନ

ଯାଜପୁର ଜିଲ୍ଲାର ଡାଇରିଆ ସ୍ଥିତିରେ ସୁଧାର, ସ୍ଥିତି ନିୟନ୍ତ୍ରଣାଧିନ

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ଡାଇରିଆ ସ୍ଥିତିରେ ସୁଧାର ପରିଲକ୍ଷିତ ହୋଇଛି । ଆଜି ବିଭିନ୍ନ ହସ୍ପିଟାଲରେ ନୂଆ ରୋଗୀଙ୍କ ଆଡମିଶନ ସଂଖ୍ୟା ବହୁ ପରିମାଣରେ କମିଛି, ଏବଂ ନୂଆ ଅଂଚଳ କଲେରାରେ ପ୍ରଭାବିତ ହୋଇଥିବାର ସୂଚନା ମିଳିନାହିଁ । ଗତକାଲି ସୁଦ୍ଧା ଯେଉଁମାନେ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ କଟକ ବଡ଼ ମେଡିକାଲରେ ଆଡମିଶନ ହୋଇଥିଲେ ସେମାନେ ଧିରେ ଧିରେ ଆରୋଗ୍ୟ ଲାଭ କରି ଘରକୁ ଫେରୁଛନ୍ତି । ଭଦ୍ରକ ଓ କଟକ ଜିଲ୍ଲାରେ କାଁ ଭାଁ କେତେକ ଘଟଣା ଘଟିଥିଲେ ମଧ୍ୟ ତାହା ସାଧାରଣ ଏବଂ ଗୁରୁତର ଜନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିନାହିଁ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ହେଲଥ ଟିମ୍, ରାପିଡ୍ ଆକ୍ସନ ଟିମ୍ , ଜନସ୍ୱାସ୍ଥ୍ୟ ଟିମ୍ କୁ ନେଇ ଏକ କଣ୍ଟ୍ରୋଲ ରୁମ ୨୪ x ୭ କାର୍ଯ୍ୟ କରୁଛି । ତୃଣମୂଳସ୍ତରୀୟ କର୍ମଚାରୀମାନେ ପୂର୍ଣ୍ଣ ସଜାଗ ଏବଂ ତତ୍ପରତାର ସହ କ୍ଷେତ୍ରସ୍ତରରେ କାର୍ଯ୍ୟ କରୁଛନ୍ତି । ଚବିଶ ଘଣ୍ଟିଆ ଭିତ୍ତିରେ ଜିଲ୍ଲା କାର୍ଯ୍ୟାଳୟରେ ଏହି ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଛି । ଆଜି ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶକ ଡାକ୍ତର ବୃନ୍ଦା ଡି. ଏବଂ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ଡାକ୍ତର ବିଜୟ କୁମାର ମହାପାତ୍ର ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯକ୍ରମ ଏବଂ ହସ୍ପିଟାଲ ମାନଙ୍କରେ ସଂକ୍ରମିତ ଲୋକମାନଙ୍କର ଚିକିତ୍ସା ତଦାରଖ କରିଥିଲେ।

କ୍ଷେତ୍ରସ୍ତରୀୟ କାର୍ଯ୍ୟକୁ ଅଧିକ ଲକ୍ଷ୍ୟଭେଦୀ କରିବା ନିମନ୍ତେ ଇତି ମଧ୍ୟରେ କେନ୍ଦ୍ର ସରକାରଙ୍କ ତରଫରୁ ତିନୋଟି ଟିମ୍ ପଠାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ଏକ ୭ ଜଣିଆ ସ୍ୱାସ୍ଥ୍ୟ ଟିମ୍ ଏବଂ ୩ ଜଣିଆ ଖାଦ୍ୟ ନିରାପତ୍ତା ଟିମ୍ ଓଡ଼ିଶାକୁ ପଠାଯାଇଛି । ଠିକ୍ ସେହିପରି ଭାରତ ସରକାରଙ୍କ ଖାଦ୍ୟ ନିରାପତ୍ତା ଓ ଗୁଣବତ୍ତା କର୍ତ୍ତୃପକ୍ଷ (ଏଫ୍. ଏସ୍.ଏସ୍ . ଏ.ଆଇ) ଙ୍କ ତରଫରୁ ଏକ ୪ ଜଣିଆ ସ୍ୱତନ୍ତ୍ର ଖାଦ୍ୟ ଗୁଣବତ୍ତା ଟିମ୍ ପଠାଯାଇଛି । ଏହି ତିନୋଟି ଟିମ୍ ରେ ସମୁଦାୟ ୧୪ ଜଣ ଅଛନ୍ତି । ସ୍ୱାସ୍ଥ୍ୟ ଟିମ୍ ରେ ଆଂଚଳିକ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀ ଡାକ୍ତର ନିଲମ୍ ସୋମାଲକର , ଭାରତୀୟ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନର ପ୍ରଫେସର ଡାକ୍ତର ଶିବାନୀ ଲାହିରି , ଭୁବନେଶ୍ୱର ଏମ୍ସର ମାଇକ୍ରୋଲୋଜିଷ୍ଟ ପ୍ରଫେସର ଡାକ୍ତର ସୃଜନ ମହାନ୍ତି, ଶିଶୁରୋଗ ପ୍ରଫେସର ଡାକ୍ତର ଭାଗିରଥୀ ଦ୍ୱିବେଦୀ , କେନ୍ଦ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରର ଅଧିକାରୀ ଡାକ୍ତର ସତ୍ୟଜିତ ସୁବୁଦ୍ଧି, କୋଲକାତା ସ୍ଥିତ ଭାରତୀୟ ଭେଷଜ ଗବେଷଣା କେନ୍ଦ୍ରର ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ପ୍ରେମଜିତ୍ ଘୋଷ ଏବଂ ଡାକ୍ତର ଗୌତମ ଚୌଧୁରୀ ପ୍ରମୁଖ ଅଛନ୍ତି । ଖାଦ୍ୟ ନିରାପତ୍ତା ଟିମ୍ ରେ କୋଲକାତା ସ୍ଥିତ ଜାତୀୟ ଖାଦ୍ୟ ଗବେଷଣାଗାରର ଡାକ୍ତର ଗୀତାଞ୍ଜଳି ଶର୍ମା, ବୈଷୟିକ ଅଧିକାରୀ ମିସ ନୟନା, ଏଫ୍ ଏସ୍ ଏସ. ଏ.ଆଇ ର ପୂର୍ବାଂଚଳ ଉପ-ନିର୍ଦ୍ଦେଶକ ଡାକ୍ତର ଶଶିକାନ୍ତ ଭୂୟାଁ ପ୍ରମୁଖ ସଦସ୍ୟ ଅଛନ୍ତି।

ଏଫ୍. ଏସ. ଏସ. ଏ. ଆଇ ର ସ୍ଵତନ୍ତ୍ର ଟିମରେ ନିର୍ଦ୍ଦେଶକ ସ୍ୱୀଟି ବେହେରା, ସହ-ନିର୍ଦ୍ଦେଶକ ସୋନିକା ବର୍ମା, ସହ-ନିର୍ଦ୍ଦେଶକ ପ୍ରସନ୍ନ ସିଂହ ଏବଂ ଉତ୍ତରାଞ୍ଚଳ କେନ୍ଦ୍ରୀୟ ଖାଦ୍ୟ ନିରାପତ୍ତା ଅଧିକାରୀ ନନ୍ଦିତା ଦାସ ପ୍ରମୁଖ ସଦସ୍ୟ ଅଛନ୍ତି । ଏହି କମିଟିମାନେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଜନ ସ୍ୱାସ୍ଥ୍ୟ ସ୍ଥିତି ପରଖିବା ସହ ରୋଗର କାରଣ ଏବଂ ନିରାକରଣ ସମ୍ବନ୍ଧରେ କ୍ଷେତ୍ରସ୍ତରୀୟ ଅଧିକାରୀ, ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଆବଶ୍ୟକୀୟ ପରାମର୍ଶ ଦେବେ ବୋଲି ଜଣା ପଡ଼ିଛି। ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ଜଣାଇଛନ୍ତି ଯେ, ଯାଜପୁର ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୫୧୬ ଜଣ ଡାଇରିଆ ଆକ୍ରାନ୍ତ ଆଡ଼ମିଶନ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୦୬ ଜଣ ଆରୋଗ୍ୟ ଲାଭ କରିଛନ୍ତି ଏବଂ ୨୧୦ ଜଣଙ୍କର ଚିକିତ୍ସା ଚାଲିଛି । ସେମାନେ ଶୀଘ୍ର ଆରୋଗ୍ୟ ଲାଭ କରିବେ ବୋଲି ଚିକିତ୍ସକମାନେ ଆଶା ପ୍ରକଟ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking