25.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଇରାନ-ଇସ୍ରାଏଲ ସଙ୍କଟ; ୧୨୦ ଡଲାର ଛୁଇଁପାରେ ଅଶୋଧିତ ତୈଳ

ଇରାନ-ଇସ୍ରାଏଲ ସଙ୍କଟ; ୧୨୦ ଡଲାର ଛୁଇଁପାରେ ଅଶୋଧିତ ତୈଳ

ନୂଆଦିଲ୍ଲୀ: ଇସ୍ରାଏଲ ଗୁରୁବାର ଇରାନର ପରମାଣୁ ଠିକଣା ଉପରେ ଆକାଶ ମାର୍ଗରୁ ଆକ୍ରମଣ କରିଛି । ଏଥିଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଚାନକ ଅଶୋଧିତ ତୈଳ ଦର ଉଦ୍ଧ୍ୱର୍ଗାମୀ ହୋଇଛି । ବ୍ୟାରେଲ ପିଛା ଦର ୧୦% ବଢ଼ିଛି । ଏଭଳି ସ୍ଥିତିରେ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିବା ନେଇ ଆଶଙ୍କା ଦେଖାଦେଲାଣି । ସେହିଭଳି ଦେଶର ପୁଞ୍ଜି ବଜାର ଉପରେ ଏହାର ପ୍ରଭାବ କ’ଣ ରହିବ ସେ ନେଇ ସମସ୍ତଙ୍କ ନଜର ରହିଛି । ଆଜି ଏହା ପ୍ରଭାବରେ ଦେଶରେ ସୁନା ଦରରେ ବଡ଼ ବୃଦ୍ଧି ଘଟିଥିବାବେଳେ ଇକ୍ୱିଟି ବଜାରରେ ହ୍ରାସ ଦେଖିବାକୁ ମିଳିଛି । ଇରାନ ବିଶ୍ୱର ତୃତୀୟ ବୃହତ୍‌ ତେଲ ଉତ୍ପାଦନକାରୀ ଦେଶ ହୋଇଥିବା ବେଳେ ଏହା ଉପରେ ବାଲିଷ୍ଟିକ ମିଶାଇଲ ମାଡ଼ କରିଛି ଇସ୍ରାଏଲ ।

ଭୌଗୋଳିକ ଦୃଷ୍ଟିକୋଣରୁ ମଧ୍ୟ ଇରାନର ଅବସ୍ଥିତି ବେଶ ଗୁରୁତ୍ୱ ବହନ କରିଥାଏ । ଇରାନର ଷ୍ଟ୍ରେଟ ଅଫ୍‌ ହୋର୍ମୁଜ ରାସ୍ତା ଦେଇ ସାଉଦି ଆରବ, କୁଏତ, ଇରାକ ଭଳି ଦେଶ ଗୁଡ଼ିକ ତେଲ ଯୋଗାଣ କରିଥାନ୍ତି । ଇରାନ ଯଦି ଏଭଳି ଆକ୍ରମଣରେ ପ୍ରତିକ୍ରିୟାଶୀଳ ହୋଇ ଏହି ରାସ୍ତା ବନ୍ଦ କରିଦିଏ, ତେବେ ବିଶ୍ୱର ୨୦% ତେଲ ଯୋଗାଣ ବାଧାପ୍ରାପ୍ତ ହେବାର ଢ଼େର ଆଶଙ୍କା ରହିଛି । ଭାରତ ଭଳି ପ୍ରମୁଖ ଆମଦାନିକାରୀ ଦେଶ ପାଇଁ ଏହା ଚିନ୍ତାର ବିଷୟ । ଭାରତ ଏହାର ତୈଳ ଆବଶ୍ୟକତାର ୮୦%ରୁ ଊଦ୍ଧ୍ୱର୍କୁ ଆମଦାନି ଜରିଆରେ ପୂରଣ କରିଥାଏ । ସୂଚନା ମୁତାବକ ଏଭଳି ଆକ୍ରମଣ ଯୋଗୁ ବ୍ରେଣ୍ଟ କ୍ରୁଡ୍‌ ଦର ୧୦% ବଢ଼ି ବ୍ୟାରେଲ ପିଛା ୭୮ ଡଲାର ଛୁଇଁଛି । ଆମେରିକାର ୱେଷ୍ଟ ଟେକ୍ସାସ ଇଣ୍ଟର୍‌ମିଡିଏଟ ମଧ୍ୟ ୧୦% ବୃଦ୍ଧି ହୋଇ ବ୍ୟାରେଲ ପିଛା ୭୪ ଡଲାର ଛୁଇଁଛି । ଆଗକୁ ବି ତେଲ ଦର ଊଦ୍ଧ୍ୱର୍ଗାମୀ ହେବ ବୋଲି ବିଶେଷଜ୍ଞ ଅନୁମାନ କରୁଛନ୍ତି ।

ଇରାନ ବିରୋଧରେ ଇସ୍ରାଏଲର ମିଲିଟାରି ଅପରେସନକୁ ନେଇ ଚିନ୍ତା ପ୍ରକଟ କରିଛି ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କ ଜେପି ମୋର୍ଗାନ । ମଧ୍ୟପ୍ରାଚ୍ୟରେ ଏହି ସଙ୍କଟ ଜାରି ରହିଲେ ଅଶୋଧିତ ତେଳ ଦର ବ୍ୟାରେଲ ପିଛା ୧୨୦ ଡଲାର ଯାଏ ବୃଦ୍ଧି ହେବ ବୋଲି ଅନୁମାନ କରିଛି ଏହି ଏଜେନ୍ସି । ୨୦୨୫ରେ ଭାରତୀୟ ଅର୍ଥନୀତି ଆହ୍ୱାନ ଦେଇ ଗତି କରୁଛି । ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବର୍ତ୍ତମାନର ସଙ୍କଟ ଘରୋଇ ବଜାର ଲାଗି କ୍ଷତିକାରକ ପାଲଟିବ ବୋଲି ଆଶଙ୍କା ରହିଛି । ଉଭୟ ଦରଦାମ ବୃଦ୍ଧି ଏବଂ ଟଙ୍କାକୁ ଏହାର ଚାପଗ୍ରସ୍ତ କରିପାରେ । ଭାରତ ଏହାର ତେଲ ଚାହିଦାର ସିଂହଭାଗ ଆମଦାନିରୁ ପୂରଣ କରୁଥିବାରୁ ଦର ବଢ଼ିଲେ ଘରୋଇ ବଜାର ଉପରେ ବଡ଼ ଚାପ ପଡ଼ିବ । ବିଶେଷ କରି କରେଣ୍ଟ ଆକାଉଣ୍ଟ ଡେଫିସିଟ ବା ଚଳନ୍ତି ଖାତା ନିଅଣ୍ଟ ବଢ଼ିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ରେପୋ ରେଟ୍‌ ହ୍ରାସ ଧାରାରେ ବ୍ରେକ୍‌ ଲଗାଇପାରେ । ସେହିଭଳି କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଟିକସ ହ୍ରାସ କରିବାକୁ ବାଧ୍ୟ ହୋଇପାରନ୍ତି । ଯଦି ଅଧିକ ଦିନ ଯାଏ ଅଶୋଧିତ ତେଲ ଦର ଉପର ମୁହାଁ ହୁଏ ତେବେ ତୈଳ ବିପଣନ କମ୍ପାନିଗୁଡ଼ିକ ପେଟ୍ରୋଲ ଡିଜେଲର ଦର ବଢ଼ାଇ ପାରନ୍ତି । ଏହା ହେଲେ ପରିବହନ, ଖାଦ୍ୟ ସାମଗ୍ରୀ ସହ ଅନ୍ୟ ବର୍ଗ ସାମଗ୍ରୀଗୁଡ଼ିକ ମଧ୍ୟ ମହଙ୍ଗା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking