13.1 C
Bhubaneswar
Sunday, December 7, 2025
Homeଓଡିଶାଓଡ଼ିଆ ଚଳଚ୍ଚିତ୍ର ଜଗତର ବିକାଶ ନିମନ୍ତେ ସଂସ୍କୃତି ବିଭାଗର ବୈଠକ

ଓଡ଼ିଆ ଚଳଚ୍ଚିତ୍ର ଜଗତର ବିକାଶ ନିମନ୍ତେ ସଂସ୍କୃତି ବିଭାଗର ବୈଠକ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତର ସର୍ବାଙ୍ଗୀନ ବିକାଶ, ଓଡ଼ିଆ ଚଳଚ୍ଚିତ୍ରର ବହୁଳ ପ୍ରଚାର ଓ ପ୍ରସାର, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଏବଂ ଚଳଚ୍ଚିତ୍ର ଜଗତ ସହିତ ସଂଶ୍ଳିଷ୍ଟ ବିଭିନ୍ନ ପ୍ରସଙ୍ଗକୁ ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଆଜି ଏକ ବୈଠକର ଆୟୋଜନ କରାଯାଇଥିଲା। ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଅଭିନେତା ତଥା ଦିଗପହଣ୍ଡି ବିଧାୟକ ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ର ବୈଠକରେ ଅଧ୍ୟକ୍ଷତା କରିଥିଲେ। ଓଡ଼ିଆ ଚଳଚ୍ଚିତ୍ର ଜଗତର ନିର୍ମାତା, ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ, ଲେଖକ, ସଂଗୀତଜ୍ଞ ପ୍ରମୁଖ ବୈଠକରେ ଯୋଗଦେଇ ଚଳଚ୍ଚିତ୍ର ଜଗତର ବିକାଶ ଦିଗରେ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

ବୈଠକରେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରକୁ ପ୍ରତିବର୍ଷ ନିୟମିତ ଭାବରେ ପ୍ରଦାନ କରାଯିବାକୁ ନେଇ ଆଲୋଚନା କରାଯାଇଥିଲା। ଏଥିସହିତ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ନିମନ୍ତେ ବିଚାରମଣ୍ଡଳୀର ସଦସ୍ୟ ଏବଂ ଅଧ୍ୟକ୍ଷଙ୍କ ଚୟନ, କଳା ଏବଂ ଚଳଚ୍ଚିତ୍ର ଜଗତ ସହିତ ସମ୍ପୃକ୍ତ ଥିବା ବ୍ୟକ୍ତି ଓ ବିଶେଷ ଭାବରେ ଯୁବବର୍ଗରୁ ଆସୁଥିବା କଳାପ୍ରେମୀମାନଙ୍କୁ ବିଚାରମଣ୍ଡଳୀରେ ସାମିଲ କରିବା, ପୁରସ୍କାର ରାଶିକୁ ବୃଦ୍ଧି କରିବା, ବର୍ତ୍ତମାନ ୩୩ ଟି ବର୍ଗରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଉଥିବା ବେଳେ ଆଗକୁ ଆହୁରି ଅଧିକ ବର୍ଗ ପାଇଁ ପୁରସ୍କାର ପ୍ରଦାନ କରିବାର ବ୍ୟବସ୍ଥା କରିବା, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ନିମନ୍ତେ ଏକ ସ୍ୱତନ୍ତ୍ର ୱେବସାଇଟ୍ ନିର୍ମାଣ କରି ପୁରସ୍କାର ସମ୍ବନ୍ଧୀୟ ସମସ୍ତ ତଥ୍ୟ, ମନୋନୀତ ହୋଇଥିବା ଏବଂ ପୁରସ୍କାର ପାଇଥିବା ସମସ୍ତ ଚଳଚ୍ଚିତ୍ର ଏବଂ କଳାକାରମାନଙ୍କର ବିବରଣୀକୁ ୱେବସାଇଟରେ ସ୍ଥାନିତ କରିବା ଆଦିକୁ ନେଇ ଆଲୋଚନା କରାଯାଇଥିଲା।ଏହିସହିତ ଏକ ନୂତନ ଚଳଚ୍ଚିତ୍ର ନୀତିର (ଫିଲ୍ମ ପଲିସି) ପ୍ରଣୟନ କରିବା, ଚଳଚ୍ଚିତ୍ର ନିର୍ମାଣ ପାଇଁ ସରକାରୀ ପ୍ରୋତ୍ସାହନ ରାଶି ପ୍ରଦାନ କରିବା, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଲିମିଟେଡ଼ (ଓଡ଼ିଶା ଫିଲ୍ମ ଡେଭେଲପ୍‌ମେଣ୍ଟ କର୍ପୋରେସନ୍‌ ଲିମିଟେଡ଼)କୁ ସଶକ୍ତ କରିବା ସହ ଏହାର କାର୍ଯ୍ୟ ପ୍ରଣାଳୀକୁ ସରଳୀକରଣ କରିବା, କଳିଙ୍ଗ ଷ୍ଟୁଡ଼ିଓର ବିକାଶ କରିବା ଆଦି ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇଥିଲା।

ରାଜ୍ୟରେ ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମିକୁ ସୁଦୃଢ଼ କରିବା, ଚଳଚ୍ଚିତ୍ର ପ୍ରେକ୍ଷାଳୟ ସଂଖ୍ୟାକୁ ବୃଦ୍ଧି କରିବା, ଚଳଚ୍ଚିତ୍ର ପାଇଁ ରହିଥିବା ଟିକେଟ୍‌କୁ ଦର୍ଶକମାନଙ୍କୁ ସୁଲଭ ମୂଲ୍ୟରେ ପ୍ରଦାନ କରିବା ପାଇଁ ବ୍ୟବସ୍ଥା ରହିବା, ଏକ ସ୍ୱତନ୍ତ୍ର ଚଳଚ୍ଚିତ୍ର ଅଭିଲେଖାଗାର ରଖିବା, ଓଟିଟି ଏବଂ ଡିଜିଟାଲ୍ କଣ୍ଟେଣ୍ଟକୁ ପ୍ରୋତ୍ସାହନ ଦେବା ସହ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଆଦି ସମ୍ବନ୍ଧରେ ଚଳଚ୍ଚିତ୍ର ଜଗତର ବ୍ୟକ୍ତିବିଶେଷମାନେ ପ୍ରସ୍ତାବ ରଖିଥିଲେ। ରାଜ୍ୟରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବିକାଶ ସହିତ ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ଓଡ଼ିଆ ନିଚ୍ଛକ କାହାଣୀକୁ ଆଧାର କରି ଚଳଚ୍ଚିତ୍ର ନିର୍ମାଣ କରିବା ଏବଂ ଚଳଚ୍ଚିତ୍ର ସମାଜ ସହିତ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ସଶକ୍ତ କରିବା ନିମନ୍ତେ ସରକାରଙ୍କ ତରଫରୁ ପଦକ୍ଷେପ ନିଆଯିବାକୁ ନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା।

ଆଜିର ବୈଠକରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଅଭିନେତା ଶ୍ରୀଯୁକ୍ତ ଅରିନ୍ଦମ ରାୟ, ଶ୍ରୀଯୁକ୍ତ ଶ୍ରୀତମ ଦାସ, ଶ୍ରୀଯୁକ୍ତ ସବ୍ୟସାଚୀ ମିଶ୍ର, ଶ୍ରୀଯୁକ୍ତ ହରିହର ମହାପାତ୍ର, ବିଶିଷ୍ଟ ଅଭିନେତ୍ରୀ ଶ୍ରୀମତୀ ଅର୍ଚ୍ଚିତା ସାହୁ, ଶ୍ରୀମତୀ ପିଙ୍କି ପ୍ରଧାନ, ଅନୁ ଚୌଧୁରୀ, ସଂଗୀତଜ୍ଞ ଶ୍ରୀଯୁକ୍ତ ଦେବାଶିଷ ମହାପାତ୍ର, ଶ୍ରୀଯୁକ୍ତ ପଞ୍ଚାନନ ନାୟକ, ଦୂରଦର୍ଶନର ପୂର୍ବତନ ନିର୍ଦ୍ଦେଶକ ଶ୍ରୀମତୀ ଦୀପ୍ତି ମିଶ୍ର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଜୟ କେତନ ଉପାଧ୍ୟାୟ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ଦେବ ପ୍ରସାଦ ଦାଶ, ଉପନିର୍ଦ୍ଦେଶକ ସୁଶ୍ରୀ ଦେବଯାନୀ ଭୂୟାଁ, ଓଡ଼ିଶା ସାହିତ୍ୟ ଏକଡେମୀ ସଚିବ ଡ଼. ଚନ୍ଦ୍ରଶେଖର ହୋତା ପ୍ରମୁଖ ଉପସ୍ଥିତ ଥିଲେ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking