ଭୁବନେଶ୍ୱର: ରାଜଧାନୀବାସୀ ରବିବାର ପ୍ରବଳ ଖରାରେ ସିଝିଛନ୍ତି। ସକାଳ ୮ଟାରୁ ଅପରାହ୍ଣ ସାଢ଼େ ୪ଟା ପର୍ଯ୍ୟନ୍ତ ଅସହ୍ୟ ତାତି ଅନୁଭୁତ ହୋଇଥିଲା। ଭୁବନେଶ୍ୱରରେ ଏହା ଚଳିତବର୍ଷର ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଭୁବନେଶ୍ୱରରେ ଆଜି ତାପମାତ୍ରା ୪୦.୭ ଡିଗ୍ରୀ ରେକର୍ଡ ହୋଇଛି। ରାଜ୍ୟ ସାରା ଆଜି ପ୍ରବଳ ଖରା ଅନୁଭୂତ ହୋଇଛି। ସକାଳ ୮ଟାରୁ ସୂର୍ଯ୍ୟକିରଣର ପ୍ରଖର ପ୍ରଭାବ ଦେଖିବାକୁ ମିଳିଥିଲା। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୧୫ ତାରିଖ ଯାଏ ପ୍ରବଳ ଖରାରୁ ତ୍ରାହି ମିଳିବ ନାହିଁ ବୋଲି ସତର୍କ କରିଛି ପାଣିପାଗ ବିଭାଗ।
ସୂଚନା ମୁତାବକ ଶନିବାର ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୨.୭ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିବା ବେଳେ ହୀରାକୁଦରେ ୪୧.୭, ଝାରସୁଗୁଡ଼ା ୪୧.୬, ବାଲେଶ୍ୱର ୩୯.୭, ରାଉରକେଲା ୩୯.୬ ଓ ଚାନ୍ଦବାଲିରେ ୩୯.୪ ଡିଗ୍ରୀ ରହିଥିଲା। ତେବେ ଚଳିତବର୍ଷ ଦ୍ୱିତୀୟ ଥର ଲାଗି ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ରାଜଧାନୀରେ ପାରଦ ୪୦.୨ ଡିଗ୍ରୀ ଛୁଇଁଥିବା ବେଳେ ଗତବର୍ଷ ସହରରେ ତାପମାତ୍ରା ୧୦ରୁ ଅଧିକଥର ୪୦ଡିଗ୍ରୀ ଡେଇଁଥିଲା। ତେବେ ଚଳିତବର୍ଷ କାଳବୈଶାଖୀ ପ୍ରଭାବରୁ ତାପମାତ୍ରା କମ୍ ରହିଥିବା କୁହାଯାଉଛି। ଆହୁରି ୫ ଦିନ ତାପମାତ୍ରା ଏଭଳି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅସମ୍ଭାଳ ତାତି ଓ ଅସହ୍ୟ ଗୁଳୁଗୁଳିକୁ ନେଇ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି କରିଛି ପାଣିପାଗ ବିଭାଗ। ଆଗାମୀ ୩ ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢ଼ିବାର ସମ୍ଭାବନା ଥିବା ବେଳେ ୪୪ ଡିଗ୍ରୀ ଟପିପାରେ ତାପମାତ୍ରା। ୧୩ରୁ ୧୫ ତାରିଖ ୩ ଦିନ ପାଇଁ ହିଟ୍ ୱେଭ୍ ବା ଗ୍ରୀଷ୍ମ ପ୍ରବାହ ଜାରି କରାଯାଇଛି। ୧୩ ତାରିଖରେ ଉପକୂଳ ଓଡ଼ିଶା ଓ ଏହାର ପାଶ୍ୱବର୍ତ୍ତୀ ୯ ଜିଲ୍ଳାକୁ ହିଟ୍ ୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଅପରପକ୍ଷେ ଚଳିତବର୍ଷ ଶୀଘ୍ର ଆସିବ ମୌସୁମୀ। ଆସନ୍ତା ୨୭ ତାରିଖ ସୁଦ୍ଧା କେରଳ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ୨୭ ମେ’ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶର ମୁଖ୍ୟ ଭୂଖଣ୍ଡକୁ କେରଳ ନିକଟରେ ଛୁଇଁବା ସମ୍ଭାବନା ରହିଛି। ସ୍ୱାଭାବିକ୍ ରୂପରେ ପ୍ରତିବର୍ଷ ମେ’ ୨୦ରୁ ୨୨ ମଧ୍ୟରେ ଆଣ୍ଡାମାନ ଛୁଇଁଥାଏ ମୌସୁମୀ ବାୟୁ। ଏହା ପରେ ଆଗକୁ ବଢ଼ି ଭାରତର ମୁଖ୍ୟ ଭୂଖଣ୍ଡକୁ କେରଳ ନିକଟରେ ୧ ଜୁନ୍ ପାଖାପାଖି ଆସି ପହଞ୍ଚିଥାଏ ମୌସୁମୀ। କେରଳ ଛୁଇଁବାର ୧୦ରୁ ୧୨ ଦିନ ମଧ୍ୟରେ ଓଡ଼ିଶାକୁ ଅଗ୍ରସର ହୋଇଥାଏ। ତେବେ ଏହି ବର୍ଷ ଜୁନ୍ରୁ ସେପ୍ଟେମ୍ବର ମୌସୁମୀ ଋତୁରେ ସ୍ୱାଭାବିକ୍ ଠାରୁ ଅଧିକ ବର୍ଷାହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।
ଆସନ୍ତା ୨୪ ଘଣ୍ଟା ପାଇଁ ଉପକୂଳ ଓଡ଼ିଶାର ୧୧ ଜିଲ୍ଲା ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱରକୁ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ। ସେହିପରି ଆସନ୍ତାକାଲି ଉପକୂଳ ଓଡ଼ିଶାର ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା ,ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଏହି ୧୩ ଜିଲ୍ଲାକୁ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ୧୪ ତାରିଖରେ ୧୩ ଓ ୧୫ ତାରିଖରେ ୧୪ ଜିଲ୍ଲାକୁ ହିଟ୍ ୱେଭ୍ ସହ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜଣାପଡ଼ିଛି।










