27.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଆତଙ୍କବାଦୀଙ୍କ ପଛରେ ପାକିସ୍ତାନ ସେନା

ଆତଙ୍କବାଦୀଙ୍କ ପଛରେ ପାକିସ୍ତାନ ସେନା

ନୂଆଦିଲ୍ଲୀ : ଆତଙ୍କବାଦୀଙ୍କ ପାଇଁ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନ ବିଳମ୍ବରେ ହେଉ ପଛକେ ଆତଙ୍କବାଦୀ ଗୋଷ୍ଠୀଙ୍କ ସହ ଏହାର ସମ୍ପର୍କ ଥିବା ସ୍ୱୀକାର କରିଆସୁଛି। ନିକଟରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଶରିଫ୍ ସ୍ୱୀକାର କରିଥିଲେ ଯେ, ପାକିସ୍ତାନ, ଆମେରିକାର ସ୍ୱାର୍ଥ ପାଇଁ ଆତଙ୍କବାଦକୁ ନିୟୋଜିତ କରିଥିଲା। ଆତଙ୍କବାଦୀ ଗୋଷ୍ଠୀଙ୍କୁ ପାକିସ୍ତାନ ଆର୍ଥିକ ସ୍ତରରେ, ସାମରିକ ସ୍ତରରେ ସବୁକ୍ଷେତ୍ରରେ ପୃଷ୍ଠପୋଷକତା ଯୋଗାଇ ଦେଇଆସିଛି। ଖ୍ୱାଜା ଶରିଫ୍‌ଙ୍କ ଏପ୍ରକାର ବୟାନରୁ ପାକିସ୍ତାନ ଆତଙ୍କବାଦକୁ କୌଣସି ଦେଶ ସପକ୍ଷରେ କିମ୍ବା ବିପକ୍ଷରେ ନିୟୋଜିତ କରୁଥିବା କଥାର ବଡ଼ ପ୍ରମାଣ ମିଳିଥିଲା। ଏବେ ପାକିସ୍ତାନୀ ସେନା ମଧ୍ୟ ଏପରି କିଛି ସ୍ୱୀକାର କରିଛି। ଭାରତ ସହ ଉତ୍ତେଜନା ମଧ୍ୟରେ ପାକିସ୍ତାନ ଡିଜିଏମ୍‌ଓସ୍ତରୀୟ ବୈଠକରେ ବାୟୁସେନା ଅଧିକାରୀ ଏୟାର ଭାଇସ ମାର୍ଶାଲ ଔରଙ୍ଗଜେବ ଅହମ୍ମଦ କହିଛନ୍ତି ଯେ, ୨୦୧୯ ମସିହା ଫେବୃଆରୀରେ ଜମ୍ମୁ କାଶ୍ମୀରର ପୁଲୱାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ଭୂମିକା ରହିଥିଲା।

ସେ ଏହି ଆତଙ୍କବାଦୀ ଆକ୍ରମଣକୁ ଗର୍ବ ତଥା ଚତୁରତା’ (ଟାକ୍ଟିକାଲ ବ୍ରିଲିଆନ୍ସ)ର ନାମ ଦେଇଥିଲେ। ପ୍ରକାଶ ପୁଲୱାମା ଘାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ଭାରତୀୟ ସିଆରପିଏଫ ଯବାନ ସହିଦ ହୋଇଥିଲେ। ପାକିସ୍ତାନ ବାୟୁସେନାର ଡିରେକ୍ଟର ଜେନେରାଲ ପବ୍ଲିକ ରିଲେସନ୍ସ ଔରଙ୍ଗଜେବ୍‌ଙ୍କ ଏହି ବୟାନ ଶୁକ୍ରବାର ଦିନ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରୁ ଆସିଥିଲା। ଔରଙ୍ଗଜେବ କହିଥିଲେ“ପାକିସ୍ତାନର ଭୂମି, ଆକାଶ କିମ୍ବା ଜଳସୀମା ଉପରେ ଯଦି କୌଣସି ବିପଦ ଆସେ, ତାହାକୁ ଆମେ କେବେ ବି ସହ୍ୟ କରିବୁ ନାହିଁ। ଆମେ ପୁଲୱାମାରେ ଆମର କୌଶଳଗତ ଚତୁରତା ଦେଖାଇଥିଲୁ, ଏବଂ ଏବେ ଆମେ ଆମର ଅପରେଶନାଲ ପ୍ରଗତି ଓ ରଣନୀତିକ ଦକ୍ଷତା ପ୍ରମାଣ କରିଛୁ।”

ଏହି ବୟାନ ପାକିସ୍ତାନରେ ଚହଳ ପକାଇଛି। କାରଣ ପୁଲୱାମା ଆକ୍ରମଣରେ ପାକ୍ ନିଜର ସମ୍ପୃକ୍ତିକୁ ବାରମ୍ବାର ଅସ୍ୱୀକାର କରିଆସୁଥିଲା। ଔରଙ୍ଗଜେବଙ୍କ ଏହି ବୟାନ ପାକିସ୍ତାନର ଦୀର୍ଘ ଦିନର ଅସ୍ୱ୍ୱୀକାରକୁ ଖଣ୍ଡନ କରିଛି। ଭାରତ ବାରମ୍ବାର ଅଭିଯୋଗ କରିଆସୁଛି ଯେ ପାକିସ୍ତାନ ଜୈଶ-ଏ-ମହମ୍ମଦ ଓ ଲସ୍କର-ଏ-ତୋଇବା ପରି ଆତଙ୍କବାଦୀ ସଂଗଠନମାନଙ୍କୁ ସମର୍ଥନ ଓ ଆଶ୍ରୟ ଦେଉଛି। ଏହି ସ୍ୱୀକାରୋକ୍ତି ପାକିସ୍ତାନର ଦ୍ୱିମୁଖୀ ନୀତିକୁ ଆହୁରି ସ୍ପଷ୍ଟ କରିଛି ଏବଂ ଆନ୍ତର୍ଜାତୀୟ ସମୁଦାୟରେ ଏହା ନୂଆ ବିତର୍କ ସୃଷ୍ଟି କରିପାରେ। ପ୍ରକାଶ, ପାକିସ୍ତାନ ସେନା ଅଧିକାରୀଙ୍କ ଏପ୍ରକାର ବୟାନ ଏପରି ଏକ ସମୟରେ ସାମ୍ନାକୁ ଆସିଛି ଯେତେବେଳେ ଭାରତ, ପହଲଗାମ୍ ସମେତ ଅନ୍ୟସବୁ ଆତଙ୍କବାଦୀ ଘଟଣାରେ ପାକିସ୍ତାନ ବିରୋଧରେ ପ୍ରମାଣ ଠୁଳ କରିବାରେ ଲାଗିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking