ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ବିଶ୍ୱସ୍ତରରେ ଭାରତ ପ୍ରତି ସମର୍ଥନ ବଢ଼ିବାରେ ଲାଗିଛି । ଚୀନ୍, ତୁର୍କୀକୁ ବାଦ୍ ଦେଲେ ପ୍ରାୟ ଅନ୍ୟ ସମସ୍ତ ଦେଶ ଭାରତକୁ ସମର୍ଥନ ବ୍ୟକ୍ତ କରିଛନ୍ତି । ତେବେ ଏସବୁ ମଧ୍ୟରେ ଯେତେବେଳେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସ୍ତରରେ ପହଞ୍ôଚଛି ସେତେବେଳେ ମିଳିତ ଜାତିସଂଘ, ୟୁରୋପୀୟ ପରିଷଦ ଏବଂ ଆମେରିକା ଭଳି କିଛି ଦେଶ ଉଭୟ ଭାରତ ଏବଂ ପାକିସ୍ତାନକୁ ଯୁଦ୍ଧରୁ ବିରତ ରହିବାକୁ ପରାମର୍ଶ ଦେବାକୁ ଆଗେଇ ଆସିଛନ୍ତି । କିନ୍ତୁ ଜାପାନ୍ ଏବଂ ରୁଷ୍ ମିଳିତ ଭାବେ ଭାରତକୁ ନିଜ ଆତ୍ମସୁରକ୍ଷା ନୀତି ଆଧାରରେ ଯେକୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିପ୍ରେକ୍ଷୀରେ ଦୃଢ଼ ସମର୍ଥନ ଜଣାଇଛନ୍ତି । ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହେବା ପରିପ୍ରେକ୍ଷୀରେ ସମର୍ଥନ ବ୍ୟକ୍ତ କରିଛନ୍ତି । ସେହିପରି ଜାପାନ୍ ପ୍ରଧାନମନ୍ତ୍ରୀ ମଧ୍ୟ ଭାରତ ପ୍ରତି ନିଜ ନିସର୍ତ୍ତ ସମର୍ଥନକୁ ଦୋହରାଇଛନ୍ତି ।
ଅନ୍ୟ ଏକ ରିପୋର୍ଟ ଅନୁସାରେ ପହଲଗାମ ଘଟଣାକୁ ଆଜି ୧୪ ତମ ଦିନ ବିତିଥିବା ବେଳେ ଗତ ୧୧ ଦିନ ଧରି ପାକିସ୍ତାନୀ ସୈନିକମାନେ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଚାଲିଛନ୍ତି । ସେହିପରି ପାକିସ୍ତାନ ହ୍ୟାକରମାନେ ଏବେ ଭାରତୀୟ ପ୍ରତିରକ୍ଷା ୱେବସାଇଟଗୁଡିକୁ ଟାର୍ଗେଟ କରୁଛନ୍ତି। ପ୍ରତିରକ୍ଷା ବିଭାଗର ସୂତ୍ର ଅନୁସାରେ, ଏକାଧିକ ପ୍ରତିରକ୍ଷା ୱେବସାଇଟ୍ଗୁଡ଼ିକୁ ସାମୟିକ ଭାବେ ହ୍ୟାକ୍ କରାଯାଇଥିବା ଜଣାପଡିଛି । ପାକିସ୍ତାନ ସାଇବର ଫୋର୍ସ ବା ପାକ୍ ହ୍ୟାକରମାନେ ଭାରତୀୟ ମିଲିଟାରୀ ଇଂଜିନିୟର ସର୍ଭିସେସ ଏବଂ ମନୋହର ପାରିକର ଇନଷ୍ଟିଚ୍ୟୁଟ ଅଫ୍ ଡିଫେନ୍ସ ଷ୍ଟଡିଜ ଆଣ୍ଡ ଆନାଲିସିସର ସମ୍ବେଦନଶୀଳ ତଥ୍ୟରେ ପ୍ରବେଶ କରିଥିବା ଆଶଙ୍କା ସୃଷ୍ଟି ହୋଇଛି ।










