13.1 C
Bhubaneswar
Sunday, December 7, 2025
Homeଓଡିଶାଅଖିଳ ଭାରତୀୟ ବ୍ୟବସାୟୀ ମହାସଂଘର ବଡ଼ ଘୋଷଣା; ବନ୍ଦ କରିବ ପାକିସ୍ତାନ ସହ ସମସ୍ତ ବାଣିଜ୍ୟ...

ଅଖିଳ ଭାରତୀୟ ବ୍ୟବସାୟୀ ମହାସଂଘର ବଡ଼ ଘୋଷଣା; ବନ୍ଦ କରିବ ପାକିସ୍ତାନ ସହ ସମସ୍ତ ବାଣିଜ୍ୟ ସମ୍ପର୍କ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ, କନ୍‌ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ବା ଅଖିଳ ଭାରତୀୟ ବ୍ୟବସାୟୀ ମହାସଂଘ, ପାକିସ୍ତାନ ସହ ସମସ୍ତ ବାଣିଜ୍ୟ ସମ୍ପର୍କ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଭୁବନେଶ୍ୱରରେ ଆୟୋଜିତ ସିଏଆଇଟିର ଦୁଇଦିନିଆ ଜାତୀୟ ପରିଚାଳନା ପରିଷଦ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ବୈଠକରେ ଦେଶର ୨୬ ରାଜ୍ୟରୁ ୨୦୦ରୁ ଅଧିକ ବ୍ୟବସାୟୀ ଲିଡରମାନେ ଯୋଗଦେଇଥିଲେ । ରିପୋର୍ଟ ଅନୁସାରେ ପହଲଗାମ୍ ଘଟଣାର ପ୍ରତିବାଦରେ ସିଏଆଇଟି ଏକ ସଂକଳ୍ପ ଗ୍ରହଣ କରିବା ପୂର୍ବକ ପାକିସ୍ତାନ ସହ ସମସ୍ତ ଆମଦାନୀ ଓ ରପ୍ତାନୀ ବନ୍ଦ କରିବାକୁ ଘୋଷଣା କରିଛି ।

ମହାସଂଘର ମହାସଚିବ ତଥା ଚାନ୍ଦନୀଚୌକର ଏମ୍‌ପି ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି, ଏକ ଶତ୍ରୁତାପୂର୍ଣ୍ଣ ଦେଶ ସହ ବାଣିଜ୍ୟ ବଜାୟ ରଖିବା ସମ୍ପୂର୍ଣ୍ଣ ଅଗ୍ରହଣୀୟ । ବ୍ୟାପାରୀ ସମୁଦାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶର ସାର୍ବଭୌମତ୍ୱ ଓ ବାଣିଜ୍ୟିକ ସ୍ୱାଧୀନତା ରକ୍ଷା ପାଇଁ ଯେକୌଣସି ପଦକ୍ଷେପ ନେବାକୁ ପ୍ରସ୍ତୁତ । ସିଏଆଇଟି ରିପୋର୍ଟ ଅନୁସାରେ, ୨୦୧୯ର ପୁଲୱାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବାଣିଜ୍ୟ ସମ୍ପର୍କ ନାଟକୀୟ ଭାବେ ହ୍ରାସ ପାଇଥିଲା । ୨୦୧୮ରେ ପ୍ରାୟ ୩ ବିଲିୟନ ଡଲାରର ବାଣିଜ୍ୟ ୨୦୨୪ ସୁଦ୍ଧା ୧.୨ ବିଲିୟନ ଡଲାରକୁ ଖସିଆସିଥିଲା । ଏପ୍ରିଲ ୨୦୨୪ରୁ ଜାନୁଆରୀ ୨୦୨୫ ମଧ୍ୟରେ ଭାରତ ପାକିସ୍ତାନକୁ ପ୍ରାୟ ୫୦୦ ମିଲିୟନ ଡଲାରର ଔଷଧ, ରାସାୟନିକ, ଚିନି ଓ ଅଟୋ ପାର୍ଟସ ରପ୍ତାନୀ କରିଥିବାବେଳେ ମାତ୍ର ୦.୪୨ ମିଲିୟନ ଡଲାରର ସାମଗ୍ରୀ ଆମଦାନୀ କରିଥିଲା । ଏବେ ଏହି ବାଣିଜ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ମହାସଂଘ ଘୋଷଣା କରିଛି ।

ସେହିପରି ଅନ୍ୟ ଏକ ରିପୋର୍ଟ ଅନୁସାରେ ସିଏଆଇଟି ଇ-କମର୍ସ କମ୍ପାନୀଗୁଡ଼ିକ ବିରୋଧରେ ଅନିୟମିତ କାର୍ଯ୍ୟକଳାପ, ବାରମ୍ବାର ନିୟମ ଉଲ୍ଲଂଘନ, ନକଲି ସାମଗ୍ରୀ ବିକ୍ରି ଭଳି ଅଭିଯୋଗ ଆଣିବା ସହ ଏଗୁଡ଼ିକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସରକାରଙ୍କୁ ଅନୁରୋଧ କରିଛି । ଏସବୁ ଇ-କମର୍ସ କମ୍ପାନୀଗୁଡ଼ିକ ଛୋଟ ବେପାରୀଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥିବା ଭଳି ଅଭିଯୋଗ ଉଠାଇଛି ମହାସଂଘ । ମହାସଂଘ ସରକାରଙ୍କୁ ଇ-କମର୍ସ ନୀତି ଏବଂ ଗ୍ରାହକ ସୁରକ୍ଷା ଆଇନ ଓ ବୈଦେଶିକ ପ୍ରତ୍ୟକ୍ଷ ନିବେଶ (ଏଫ୍‌ଡିଆଇ) ନୀତି ଅଧୀନରେ ନିୟମଗୁଡ଼ିକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିଛି । ଏହାସହ, ଇ-କମର୍ସ ପ୍ଲାଟଫର୍ମଗୁଡ଼ିକର ପ୍ରଯୁକ୍ତି, ମୂଲ୍ୟ ନିର୍ଦ୍ଧାରଣ ଓ ବିକ୍ରେତା ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଜବାବଦାୟୀ ହେବାକୁ ନିଶ୍ଚିତ କରିବାକୁ ଦାବି କରାଯାଇଛି । ସିଏଆଇଟି ସରକାରଙ୍କୁ ଦେଇଥିବା ପ୍ରସ୍ତାବ ମଧ୍ୟରେ କ୍ୱିକ କମର୍ସ ଓ ଇ-କମର୍ସ କାରବାର ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ କରାଯିବା ଭଳି ପ୍ରସ୍ତାବ ରହିଛି । ଏହି ପ୍ଲାଟଫର୍ମଗୁଡ଼ିକରୁ ସୁବିଧାଜନକ କ୍ରୟକୁ ଏକ ବିଳାସପୂର୍ଣ୍ଣ ସେବା ଭାବେ ଗଣ୍ୟ କରାଯାଇପାରେ ବୋଲି ମହାସଂଘ କହିଛନ୍ତି । ଏପରି କରାଯିବା ଦ୍ୱାରା ଛୋଟ ବେପାରୀଙ୍କୁ ଅନୈତିକ ପ୍ରତିଯୋଗିତାରୁ ରକ୍ଷା ମିଳିପାରିବ ବୋଲି ମହାସଂଘ ମତ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking