15.1 C
Bhubaneswar
Saturday, December 20, 2025
Homeଓଡିଶାବିକଶିତ ଓଡିଶା ଓ ବିକଶିତ ଭାରତ ଗଠନରେ ବୈଷୟିକ ଶିକ୍ଷାନୁଷ୍ଠାନର ଭୂମିକା ଗୁରୁତ୍ୱପୂର୍ଣର୍ :ରାଜ୍ୟପାଳ

ବିକଶିତ ଓଡିଶା ଓ ବିକଶିତ ଭାରତ ଗଠନରେ ବୈଷୟିକ ଶିକ୍ଷାନୁଷ୍ଠାନର ଭୂମିକା ଗୁରୁତ୍ୱପୂର୍ଣର୍ :ରାଜ୍ୟପାଳ

ଭୁବନେଶ୍ୱର: ବିକଶିତ ଓଡ଼ିଶା ଓ ବିକଶିତ ଭାରତର ଗଠନରେ ବୈଷୟିକ ଶିକ୍ଷାନୁଷ୍ଠାନମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି। ଆଜି ଭୁବନେଶ୍ୱରସ୍ଥିତ ରେଳବାଇ ଅଡିଟୋରିୟମଠାରେ ଅନୁଷ୍ଠିତ ଓଡିଶା ବୈଷୟିକ ଓ ଗବେଷଣା ବିଶ୍ୱ ବିଦ୍ୟାଳୟ (ଓୟୁଟିଆର)ର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ ଏହା କହିଛନ୍ତି । ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ସମାବର୍ତ୍ତନ ଉତ୍ସବ କେବଳ ଅନୁଷ୍ଠାନ ପାଇଁ ଗୁରୁତ୍ୱପୂର୍ଣ୍ଣ ମାଇଲ୍‌ଖୁଂଟ ନୁହେଁ ବରଂ ଏହି ମର୍ଯ୍ୟାଦା ସମ୍ପନ୍ନ ବିଶ୍ୱ ବିଦ୍ୟାଳୟର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ। କଲେଜ ଅଫ୍ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରୁ ଓୟୁଟିଆର ପରି ପୂର୍ଣ୍ଣାଙ୍ଗ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ ହେବା ଅନୁଷ୍ଠାନ ଏବଂ ଓଡିଶାର ବୃହତ୍ତର ଶିକ୍ଷା ପରିମଣ୍ଡଳ ପାଇଁ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ । ଏହି ପରିବର୍ତନ କେବଳ ଶିକ୍ଷାଗତ ଉତ୍କର୍ଷତା ନୁହେଁ, ବରଂ ବିକଶିତ ବିଶ୍ୱ ଦୃଶ୍ୟ ପଟ୍ଟରେ ଚାହିଦା ପୂରଣ କରିବା ଦିଗରେ ଶିକ୍ଷାଗତ ମାନଦଣ୍ଡକୁ ଉନ୍ନତ କରିବାର ଆକାଂକ୍ଷାର ପ୍ରତୀକ । ଓୟୁଟିଆର ନିରନ୍ତର ଭାବେ ପ୍ରଯୁକ୍ତି ବିଦ୍ୟା, ନବସୃଜନ, ଗବେଷଣା ଏବଂ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଦ୍ଧତା ପ୍ରଦର୍ଶନ କରୁଛି। ଏଆଇ ପାଠ୍ୟକ୍ରମକୁ ଅନ୍ତର୍ଭୂକ୍ତ କରି ବିଶ୍ୱବିଦ୍ୟାଳୟ କେବଳ ନବୀନତମ ପ୍ରଯୁକ୍ତିବିଦ୍ୟା ଧାରା ସହିତ ନିଜକୁ ସମନ୍ୱିତ କରିନାହିଁ, ବରଂ ଡିଜିଟାଲ ଯୁଗରେ ଛାତ୍ରଛାତ୍ରୀମାନଙ୍କୁ ଦକ୍ଷ କରିବା ପାଇଁ ଶିକ୍ଷା ମଡେଲକୁ ଗ୍ରହଣ କରିଛି। ନବସୃଜନ ଏବଂ ବ୍ୟବହାରିକ ଶିଳ୍ପ ସହଯୋଗ ଉପରେ ଗୁରୁତ୍ୱ ଆରୋପ କରି ଏହାର ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତାମୂଳକ ବିଶ୍ୱ ପରିବେଶରେ ସଫଳ ହେବା ପାଇଁ ଏକ ଦୃଢ଼ ଭିତ୍ତି ଭୂମି ସୃଷ୍ଟି କରିଛି ବୋଲି ରାଜ୍ୟପାଳ କହିଥିଲେ।

ରାଜ୍ୟପାଳ ପୁଣି କହିଥିଲେ ଯେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ଉଜ୍ଜଳ ଶିଳ୍ପ ଭିତ୍ତିଭୂମି ସହିତ ଓୟୁଟିଆର ପ୍ରଯୁକ୍ତି ବିଦ୍ୟା ଏବଂ ଗବେଷଣା ପାଇଁ ହବ୍ ଭାବେ ପ୍ରସ୍ତୁତ ହୋଇଛି। ଭାରତ ଯେତେବେଳେ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବା ଦ୍ୱାରା ଦେଶର ଉପନୀତ, ଦେଶର ଭବିଷ୍ୟତ ଏହାର ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାକୁ ଉପଯୋଗ କରିବା, ନବସୃଜନକୁ ପ୍ରୋତ୍ସାହିତ କରିବା ଏବଂ ଏକ ଦକ୍ଷ କର୍ମଶକ୍ତି ସୃଷ୍ଟି କରିବାର କ୍ଷମତା ଉପରେ ନିର୍ଭରଶୀଳ ବୋଲି ରାଜ୍ୟପାଳ କହିଥିଲେ। ଜାତୀୟ ଶିକ୍ଷାନୀତି – ୨୦୨୦ ଭାରତୀୟ ଶିକ୍ଷାର ଦିଗକୁ ପୁନଃ ପରିଭାଷିତ କରିଛି। ଓୟୁଟିଆର ନୂଆ ଜାତୀୟ ଶିକ୍ଷାନୀତିର ମାନଦଣ୍ଡକୁ ପ୍ରତିଫଳିତ କରିବା ପାଇଁ ପ୍ରତିବଦ୍ଧତା ଦେଖାଇଛି ଯାହାକି ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ଯେକୌଣସି ଆହ୍ୱାନର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ କରିବ। ବର୍ତ୍ତମାନ ଆମେ ଅନେକ ସୁଯୋଗ ସହ ବିଭିନ୍ନ ଆହ୍ୱାନର ସହ ଗତି କରୁଛେ। ଜଳବାୟୁ ପରିବର୍ତନ ଏବଂ ପରିବେଶଗତ ଅବକ୍ଷୟଠାରୁ ଆରମ୍ଭ କରି ସାମାଜିକ ଅସମାନତା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ଆହ୍ୱାନ ଦେଖାଦେଇଛି। ଏହି ସବୁ ଆହ୍ୱାନଗୁଡ଼ିକର ସମାଧାନର ସୂତ୍ର ହେବାକୁ ରାଜ୍ୟପାଳ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଜଣାଇଥିଲେ।

ଏହି ସମାରୋହରେ ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷାମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ରାଜ୍ୟରେ ବୈଷୟିକ ଶିକ୍ଷାର ବିକାଶ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ଯାହା ଫଳରେ ଓଡ଼ିଶା ଜାତୀୟସ୍ତରରେ ବହୁ ଆଗକୁ ଯାଉଛି। ଯୁବ ବର୍ଗକୁ ସାମାଜିକ ଓ ଆର୍ଥିକଭାବେ ସୁଦୃଢ଼ କରି କୁଶଳୀ ଓ ଦକ୍ଷ କରିବାକୁ ସରକାର ବହୁବଧ ପଦକ୍ଷେପ ନେଉଛନ୍ତି ବୋଲି କହିଥିଲେ। ଏଆଇସିଟିଇର ଚେୟାରମ୍ୟାନ ପ୍ରଫେସର ଟି.ଜି ସିତାରାମ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଓୟୁଟିଆରର ଭାଇସ୍ ଚାନ୍‌ସେଲର ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ବିବରଣୀ ଉପସ୍ଥାପନ କରିଥିଲେ। ବିଶ୍ୱବିଦ୍ୟାଳୟର ଡିନ୍ ଏ.ଏନ୍ ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରେଜିଷ୍ଟ୍ରର ଆଶିଷ କୁମାର ଜେନା, ପିଜିଏମ୍ ଆଣ୍ଡ୍ ଆର୍ ଡିନ୍ ପ୍ରଫେସର ଅରୁଣା ତ୍ରିପାଠୀ ମଂଚାସୀନ ଥିଲେ। ଏହି ଅବସରରେ ଚାନ୍‌ସେଲର ଗୋଲଡ ମେଡାଲ ସମେତ ବିଭିନ୍ନ ବର୍ଗର ମୋଟ ୩୦ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣର୍ / ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking