23.1 C
Bhubaneswar
Monday, February 2, 2026
Homeଓଡିଶାହସ୍ତଶିଳ୍ପ ଓ ହସ୍ତତନ୍ତର ସୁରକ୍ଷା ଓ ସମୃଦ୍ଧି ଆମ ସମସ୍ତଙ୍କର ଦାୟିତ୍ୱ : ରାଜ୍ୟପାଳ

ହସ୍ତଶିଳ୍ପ ଓ ହସ୍ତତନ୍ତର ସୁରକ୍ଷା ଓ ସମୃଦ୍ଧି ଆମ ସମସ୍ତଙ୍କର ଦାୟିତ୍ୱ : ରାଜ୍ୟପାଳ

ଭୁବନେଶ୍ୱର: ହସ୍ତଶିଳ୍ପ ଓ ହସ୍ତତନ୍ତର ସୁରକ୍ଷା ଓ ସମୃଦ୍ଧି ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି। ଆଜି ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଜନତା ମଇଦାନଠାରେ ଆୟୋଜିତ ୧୯ତମ ଜାତୀୟ ହସ୍ତଶିଳ୍ପ ମେଳାର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି। ଏହି ସମାରୋହରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଭାରତୀୟ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ଆମ ଦେଶର ଅତୁଳନୀୟ କଳାତ୍ମକ ଐତିହ୍ୟର ପ୍ରମାଣ, ଯାହା ଶତାଦ୍ଦୀ ଶତାଦ୍ଦୀର ପରଂପରା, କୌଶଳ ଏବଂ ସାଂସ୍କୃତିକ ବିବିଧତାକୁ ପ୍ରତିଫଳିତ କରିଥାଏ। ଭାରତର ବିଭିନ୍ନ ଅଂଚଳର ନିଜସ୍ୱ ସ୍ୱତନ୍ତ୍ର କରିଗରୀ ରହିଛି। ଏହି କାରିଗରୀ କେବଳ ଉତ୍ପାଦ ନୁହେଁ, ଏଗୁଡ଼ିକ ଇତିହାସ, ଭକ୍ତି ଏବଂ ମୌଳିକତା ସହିତ ଜଡିତ ।

ଯେତେବେଳେ ଯାନ୍ତ୍ରିକ ଉତ୍ପାଦନ ବଜାର ଉପରେ ପ୍ରଭାବ ପକାଇଥାଏ, ଆମର ହସ୍ତଶିଳ୍ପ ସଂପଦ ପ୍ରାମାଣିକତା, ସ୍ୱତନ୍ତ୍ରତା ଏବଂ ଅନନ୍ୟ ସୌନ୍ଦର୍ଯ୍ୟର ପ୍ରତୀକଭାବେ ଉଭା ହୋଇଛି ବୋଲି ରାଜ୍ୟପାଳ କହିଥିଲେ। ତୋଷାଳୀ ମେଳା ପରଂପରା, ନବସୃଜନ ଏବଂ କାରିଗରୀର ମଂଚ ପାଲଟିଛି ଏବଂ ଦେଶର ସମୃଦ୍ଧ ହସ୍ତଶିଳ୍ପ ଐତିହ୍ୟର ସର୍ବୋତ୍ତମ ଗରିମା ପ୍ରଦର୍ଶନ ପାଇଁ ୨୧ ଟି ରାଜ୍ୟର କାରିଗର ଏବଂ ବୁଣାକାର ଏକତ୍ରିତ ହେବା ଖୁସି ଓ ଗର୍ବର କଥା ବୋଲି ରାଜ୍ୟପାଳ କହିଥିଲେ। ଏହି ମେଳା ଆମର କାରିଗରମାନଙ୍କୁ ସେମାନଙ୍କର ଦକ୍ଷତା ଓ କୌଶଳ ପ୍ରଦର୍ଶନ ପାଇଁ ସୁଯୋଗ ପ୍ରଦାନ କରିବା ସହ ପାରସ୍ପରିକ ଭାବ ବିନିମୟ, ଜ୍ଞାନ ଆଦାନ ପ୍ରଦାନ ତଥା ବଜାର ସୃଷ୍ଟି କରିବାର ଅବସର ଆଣିଛି ବୋଲି କହିଥିଲେ। ଥିମ ପାଭିଲିୟନ “ଶିଳ୍ପ ସୃଜନୀ”ରେ ପ୍ରଦର୍ଶିତ ସାମଗ୍ରୀରେ କାରିଗର ଓ ବୁଣାକାରଙ୍କ କୁଶଳୀ ହାତର ସୃଜନ ଖୁବ୍ ଚମତ୍କାର ଭାବେ ଫୁଟି ଉଠିଛି ବୋଲି ରାଜ୍ୟପାଳ ପ୍ରକାଶ କରିବା ସହ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ତରଫରୁ ହସ୍ତତନ୍ତ, ବୟନ, ହସ୍ତଶିଳ୍ପର ଉନ୍ନତି ତଥା ଶିଳ୍ପୀ, କାରିଗର ଓ ବୁଣାକାରମାନଙ୍କ କଲ୍ୟାଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ, ପ୍ରଣୟନ କରାଯାଇଥିବା ବିଭିନ୍ନ ଯୋଜନା ସଂପର୍କରେ ରାଜ୍ୟପାଳ ଆଲୋକପାତ କରିବା ସହ ଏହି ସୁଯୋଗର ସଦୁପଯୋଗ କରିବାକୁ ହିତାଧିକାରୀମାନଙ୍କୁ ଆହ୍ୱାନ ଜଣାଇଥିଲେ।

ପୁଣି ରାଜ୍ୟପାଳ କହିଥିଲେ ଯେ ଆମର କଳା ପରଂପରାକୁ ସୁରକ୍ଷା ଦେବାର ଦାୟିତ୍ୱ କେବଳ ସରକାରଙ୍କର ନୁହେଁ, ଆମ ପ୍ରତ୍ୟେକଙ୍କର ଭୂମିକା ରହିଛି। ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ କ୍ରୟ କେବଳ ଏକ କାରବାର ନୁହେଁ, ଏହା ଜଣେ ବୁଣାକାର ଓ କାରିଗରଙ୍କ ପ୍ରତି ଶ୍ରଦ୍ଧା, ସମର୍ପଣ, ସଂସ୍କୃତିର ସୁରକ୍ଷା ଏବଂ ଆଗାମୀ ପୀଢ଼ି ପାଇଁ ପରଂପରାକୁ ବଜାୟ ରଖିବା ପ୍ରତି ଆମ ଅଙ୍ଗୀକାରବଦ୍ଧତାର ପରିଚୟ ବୋଲି ରାଜ୍ୟପାଳ କହିବା ସହିତ ହସ୍ତତନ୍ତ ଓ ହସ୍ତଶିଳ୍ପର ଉତ୍କର୍ଷତାକୁ ବଜାୟ ରଖିବା ପାଇଁ ସମସ୍ତେ ସହଯୋଗର ହାତ ବଢ଼ାଇବାକୁ ଆହ୍ୱାନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ମାନ୍ୟବର ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତ ଯୋଗ ଦେଇ କହିଥିଲେ ହସ୍ତଶିଳ୍ପ ଓ ହସ୍ତତନ୍ତ ଆମ ସଂସ୍କୃତିର ବାର୍ତ୍ତାବହ, ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ। ଏହାର ସଂରକ୍ଷଣ ଓ ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଏହି କାର୍ଯ୍ୟକ୍ରମରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର, ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶକ ପ୍ରେମ ଚନ୍ଦ୍ର ଚୌଧୁରୀ, ହସ୍ତଶିଳ୍ପ ନିର୍ଦ୍ଦେଶକ ପ୍ରଣତୀ ଛୋଟରାୟ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking