33.1 C
Bhubaneswar
Monday, February 23, 2026
Homeଦେଶ ବିଦେଶବିରୋଧୀଙ୍କୁ ଶାହାଙ୍କ କଟାକ୍ଷ

ବିରୋଧୀଙ୍କୁ ଶାହାଙ୍କ କଟାକ୍ଷ

ନୂଆଦିଲ୍ଲୀ: ‘ଆଗାମୀ ୧୫-୨୦ ବର୍ଷ ଯାଏ କାହା ପାଳି ପଡ଼ିବନି, ଯ।।ହା ବି କରିବୁ ଆମେ କରିବୁ’। ବିରୋଧୀଙ୍କ ଉଦ୍ଦେଶ୍ୟରେ ଏପ୍ରକାର କଟାକ୍ଷ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ମଙ୍ଗଳବାର ରାଜ୍ୟସଭାରେ ବିପର୍ଯ୍ୟୟ ପରିଚାଳନା (ସଂଶୋଧନ) ବିଲ୍‌-୨୦୨୪ ଉପରେ ଆରମ୍ଭ ହୋଇଥିବା ଆଲୋଚନାର ଉତ୍ତର ରଖିବା ଅବସରରେ ଶାହ ବିରୋଧୀଙ୍କ ଉଦ୍ଦେଶ୍ୟରେ ଏପ୍ରକାର ଟିପ୍ପଣୀ କରିଛନ୍ତି। ଶାହ କହିଛନ୍ତି, ବିରୋଧୀ ଦଳଗୁଡ଼ିକ ଗୋଟିଏ କଥା ବେଶ୍ ଭଲଭାବେ ବୁଝିଯିବା ଉଚିତ୍ ଯେ, ଆଗାମୀ ୧୫ରୁ ୨୦ ବର୍ଷ ଯାଏ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ହିଁ ରହିବ। ସୁତରାଂ ଯାହା କିଛି କରିବାକୁ ହେବ ଏହି ସରକାର ହିଁ କରିବ। ପରେ ଶାହ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ସୂଚନା ଦେବାକୁ ଯାଇ କହିଛନ୍ତି ଯେ, ଆମ ସମସ୍ତଙ୍କୁ ସ୍ୱୀକାର କରିବାକୁ ପଡିବ ଯେ ଗତ ୧୦ ବର୍ଷ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନ ଆମକୁ ଏକ ଜାତୀୟ ସହ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଶକ୍ତିରେ ପରିଣତ କରିଛି। ଏହି ବିଲ୍ ଦେଶର ସଫଳତାର କାହାଣୀକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବଜାୟ ରଖିବା ପାଇଁ ଅଟେ। ଏଠାରେ ସେ ସରକାରଙ୍କ ସଫଳତାର କାହାଣୀ ବିଷୟରେ କହୁନାହାନ୍ତି ବରଂ ଦେଶର ସଫଳତାର କାହାଣୀ ବିଷୟରେ କହୁଛନ୍ତି। ସେହିପରି ବିରୋଧୀ ସାଂସଦ ସଂଶୋଧନର ଆବଶ୍ୟକତା କ’ଣ ରହିଛି ବୋଲି କରୁଥିବା ପ୍ରଶ୍ନ ଉପରେ ଉତ୍ତର ରଖି ଶାହ କହିଛନ୍ତି ଯେ ଯଦି କୌଣସି କୋଠା ଠିକ୍ ସମୟରେ ମରାମତି ନ କରାଯାଏ, ତେବେ ଏହା ଭୁଶୁଡ଼ି ପଡ଼ିଥାଏ। ବିରୋଧୀ ଦଳ ଭାବନ୍ତି ଯେ ସେମାନେ ଆସିବା ପରେ ଏସବୁକୁ ବଦଳାଇ ଦେବେ। କିନ୍ତୁ ଆଗାମୀ ୧୫-୨୦ ବର୍ଷ ପାଇଁ କାହାର ପାଳି ଆସିବ ନାହିଁ। ଯାହା କରିବାକୁ ପଡିବ, ଆମକୁ ତାହା କରିବାକୁ ପଡିବ। ବିପର୍ଯ୍ୟୟ ପରିଚାଳନା ଆଇନ ପ୍ରଥମେ ୨୦୦୫ ମସିହାରେ ପ୍ରଣୟନ କରାଯାଇଥିଲା। ଏହା ଅଧୀନରେ ଏନ୍‌ଡିଏମ୍‌ଏ, ଏସ୍‌ଡିଏମ୍‌ଏ ଏବଂ ଡିଡିଏମ୍‌ଏ ଗଠନ କରାଯାଇଥିଲା।

ଶାହ କହିଛନ୍ତି, ବିପର୍ଯ୍ୟୟ ପରିଚାଳନା ଅନ୍ତର୍ଗତ ସବୁଠାରୁ ବଡ଼ ଦାୟିତ୍ୱ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବିଭାଗ ଉପରେ ହିଁ ନ୍ୟସ୍ତ ରହିଛି, ଯାହାକି ରାଜ୍ୟ ସରକାରଙ୍କ ଅଧୀନରେ ଅଛି। ତେଣୁ କୌଣସି ସ୍ଥାନରେ ସଂଘୀୟ ଢାଞ୍ଚାର କୌଣସି କ୍ଷତି ହେବାର ସମ୍ଭାବନା ନାହିଁ। ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉଭୟ ବିଷୟ। ଆମେ କେବଳ ରାଜ୍ୟଗୁଡ଼ିକୁ ନୁହେଁ ବରଂ ସମସ୍ତଙ୍କୁ ଯୋଡ଼ିବାକୁ ଚାହୁଁଛୁ। ଏହି ବିଲ୍ କେନ୍ଦ୍ରୀକରଣ ନୁହେଁ। ଏହା ସିଧାସଳଖ ଜଳବାୟୁ ପରିବର୍ତ୍ତନ ସହିତ ଜଡିତ ବିଷୟ। ବିଶ୍ୱ ଉଷ୍ଣତା ବିଷୟରେ ସମସ୍ତେ ଏକଜୁଟ୍ ହୋଇ ଆଲୋଚନା କରିବା ଉଚିତ୍‌। ଆମେ ହଜାର ହଜାର ବର୍ଷ ଧରି କେବଳ ପ୍ରକୃତିର ସଂରକ୍ଷଣ ବିଷୟରେ କଥା ହୋଇଆସୁଛନ୍ତି। ତେବେ ବିପର୍ଯ୍ୟୟର ପଦ୍ଧତି ଏବଂ ପରିମାଣ ଏବେ ବଦଳି ଯାଇଛି, ତେଣୁ ସେଗୁଡ଼ିକୁ ସେହି ଅନୁସାରେ ପରିବର୍ତ୍ତନ କରିବାକୁ ପଡିବ, ସେଥିପାଇଁ ଆମେ ଏହି ବିଲ ଆଣିଛୁ। ସମସ୍ତ ଲୋକଙ୍କଠାରୁ ମିଳିଥିବା ପରାମର୍ଶର ୮୭% ଗ୍ରହଣ କରି ଆମେ ଏହି ବିଲ ଆଣିଛୁ। ଏହି ପରିପ୍ରେକ୍ଷୀରେ ଶାହ, ବିରୋଧୀ ଦଳଙ୍କୁ ଏହି ବିଲ୍‌କୁ ବିରୋଧ ନକରିବାକୁ ଅନୁରୋଧ କରିଥିଲେ। ସମୟ ଆସିଯାଇଛି ଏବେ ରେଡିଓରେ ଚେତାବନୀ ଦେବା ବଦଳରେ ଲୋକଙ୍କୁ ବିପର୍ଯ୍ୟୟଜନିତ ଚେତାବନୀ ମୋବାଇଲରେ ମିଳିବ। ଆମେ ଏକ ଶକ୍ତି ଭାବରେ ଉଭା ହୋଇଛୁ। ଜାତୀୟ ଏବଂ ରାଜ୍ୟସ୍ତରରେ ବିପର୍ଯ୍ୟୟ ସମ୍ପର୍କରେ ଅଧିକ ପ୍ରୟାସ କରାଯିବ। ବିଲ୍‌ରେ ନୈତିକ ଦାୟିତ୍ୱକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିବା ସେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking