21.1 C
Bhubaneswar
Sunday, December 21, 2025
Homeଓଡିଶାଶତାୟୁ ବଡ଼ଗଡ଼ ହାଇସ୍କୁଲର ଉନ୍ନତିକରଣ; ଜୁନ ମାସ ସୁଦ୍ଧା କାର୍ଯ୍ୟ ସାରିବାକୁ ଅପରାଜିତାଙ୍କ ନିର୍ଦ୍ଦେଶ

ଶତାୟୁ ବଡ଼ଗଡ଼ ହାଇସ୍କୁଲର ଉନ୍ନତିକରଣ; ଜୁନ ମାସ ସୁଦ୍ଧା କାର୍ଯ୍ୟ ସାରିବାକୁ ଅପରାଜିତାଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ସାଂସଦ ଅପରାଜିତା ଷଡ଼ଙ୍ଗୀ ବଡ଼ଗଡ଼ସ୍ଥିତ ୱାର୍ଡ ନ ୪୪ରେ ଥିବା ହାଇସ୍କୁଲ ପରିଦର୍ଶନ କରିଛନ୍ତି। ସ୍ଥାନୀୟ ବୁଦ୍ଧିଜୀବିଙ୍କ ଅନୁରୋଧକ୍ରମେ ୧୦୬ ବର୍ଷର ଏହି ପୁରୁଣା ସ୍କୁଲକୁ ଯାଇ ଏହାର ସମସ୍ୟା ବୁଝିବା ସହ ଓ ଉନ୍ନତି ନେଇ ସମୀକ୍ଷା କରିଥିଲେ। ଅନେକ ଦିନ ଧରି ବଡ଼ଗଡ଼ ଗ୍ରାମବାସୀଙ୍କର ଏହି ବିଦ୍ଯାଳୟର ସମସ୍ୟା ସମାଧାନ ପାଇଁ ଦାବି ରହି ଆସିଥିଲା । ଏହାର ଉନ୍ନତିକରଣ ପାଇଁ ସ୍ଥାନୀୟ ଲୋକମାନେ ଭୁବନେଶ୍ବର ସାଂସଦଙ୍କୁ ଏକାଧିକ ଥର ନିବେଦନ କରିଥିଲେ । ଏହି ଅନୁରୋଧ ରକ୍ଷା କରି ଭୁବନେଶ୍ବର ସାଂସଦ ଏହି ପୁରାତନ ଶତାୟୁ ବିଦ୍ୟାଳୟକୁ ଗସ୍ତ କରିଥିଲେ। ଏହି ପୁରାତନ ସ୍କୁଲରେ ରହିଛି ଅନେକ ସମସ୍ୟା। ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କ ସାଇକେଲ ରଖିବାକୁ ଷ୍ଟାଣ୍ଡ ନାହିଁ। ଏଥିପାଇଁ ସେମାନେ ବହୁ ସମସ୍ୟା ଭୋଗୁଛନ୍ତି। ବହୁତ ଛାତ୍ରଛାତ୍ରୀ ଏଠାରେ ପାଠ ପଢୁଛନ୍ତି। ସେମାନଙ୍କ ଭିତରୁ ଅନେକ ଖେଳରେ ଆଗ୍ରହ ରଖୁଛନ୍ତି। ଟିମ କରି କ୍ରିକେଟ, ଫୁଟବଲ ଓ ଖୋ ଖୋ ଭଳି ଅନେକ ଖେଳ ଖେଳୁଛନ୍ତି। ଅନେକ ଛାତ୍ରଛାତ୍ରୀ ଖୋ ଖୋ ସମେତ ଅନ୍ୟ ଖେଳରେ ଜାତୀୟ ସ୍ତରରେ ପ୍ରତିନିଧିତ୍ବ କରିଛନ୍ତି। କିନ୍ତୁ ଖେଳ ପଡିଆ ନ ଥିବାରୁ ସେମାନେ ସୁବିଧାରେ ଖେଳି ପାରୁନାହାନ୍ତି।

ଖେଳପଡ଼ିଆର ବିକାଶ ପାଇଁ ବିଡିଏ ପାଖରେ ପ୍ରସ୍ତାବ ଅଛି, କିନ୍ତୁ ଏହା ଆଗେଇ ପାରୁନି। ୨୦୨୧ରେ ବିଡିଏ ଏଥିପାଇଁ ପୁଲିସ ହାଉସିଂ ବୋର୍ଡ କର୍ପୋରେସନକୁ ୪କୋଟି ଟଙ୍କା ଦେଇଥିଲା. ଏଥିରେ ବହୁମୁଖୀ ଖେଳପଡ଼ିଆ ସହ ସାଇକେଲ ଷ୍ଟାଣ୍ଡ ଓ ନୂଆ ଶ୍ରେଣୀଗୃହ ତିଆରି ପ୍ରସ୍ତାବ ଥିଲା। ବିଭିନ୍ନ କାରଣ ପାଇଁ ଏହା ହୋଇପାରୁନଥିଲା। ବଡ଼ଗଡ଼ ଗାଁ କମିଟି ସାଂସଦଙ୍କୁ ଭେଟି ଏଥିପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ. ସାଂସଦ ତତ୍କାଳ ପୁଲିସ ହାଉସିଂ ବୋର୍ଡ ଅଧ୍ୟକ୍ଷ ଓ ଭୁବନେଶ୍ୱର ତହସିଲଦାରଙ୍କ ସହ ଏ ପ୍ରସଙ୍ଗରେ କଥା ହୋଇଥିଲେ। ଏପ୍ରିଲ ୨ ତାରିଖରୁ ପ୍ରସ୍ତାବରେ ଥିବା ଉନ୍ନତିକରଣ କାମ ଆରମ୍ଭ ହେବ ବୋଲି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଓ ବଡ଼ଗଡ଼ ଗାଁ କମିଟିର ସଦସ୍ୟଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସ୍କୁଲ ପାଇଁ ବହୁମୁଖୀ ଖେଳପଡ଼ିଆ ବିକାଶ କରାଯିବ. ତିନି ମାସ ଭିତରେ କାମ ସାରିବାକୁ ସମସ୍ତ ଅଧିକାରୀଙ୍କୁ ସେ ନିର୍ଦେଶ ଦେଇଛନ୍ତି। ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁବଶୀଘ୍ର ଏକ ସାଇକେଲ ଷ୍ଟାଣ୍ଡ ତିଆରି କରାଯିବ ବୋଲି ମଧ୍ୟ ସେ କହିଛନ୍ତି। ଏହି ପରିଦର୍ଶନ ସମୟରେ ସ୍ଥାନୀୟ କର୍ପୋରେଟର ଅଜିତ ବେହେରା, ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ମନୋଜା ମଞ୍ଜରୀ ସାହୁ, ସ୍କୁଲ ପୁରାତନ ଛାତ୍ର ସଙ୍ଘର ସଭାପତି ମାନସ ମହାନ୍ତି ଓ ଗାଁ କମିଟିର ସଭାପତି, ସମ୍ପାଦକ ଓ ସଦସ୍ୟମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking