19.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶନାଗପୁର ସାମ୍ପ୍ରଦାୟିକ ହିଂସା; ଔରଙ୍ଗଜେବ ସମ୍ପୂର୍ଣ୍ଣ ରୂପେ ଅପ୍ରାସଙ୍ଗିକ: ଆରଏସ୍‌ଏସ୍‌

ନାଗପୁର ସାମ୍ପ୍ରଦାୟିକ ହିଂସା; ଔରଙ୍ଗଜେବ ସମ୍ପୂର୍ଣ୍ଣ ରୂପେ ଅପ୍ରାସଙ୍ଗିକ: ଆରଏସ୍‌ଏସ୍‌

ନୂଆଦିଲ୍ଲୀ: ନାଗପୁର ସାମ୍ପ୍ରଦାୟିକ ହିଂସାକାଣ୍ଡ ସମ୍ପର୍କରେ ଆରଏସ୍‌ଏସ୍ ପକ୍ଷରୁ ପ୍ରତକ୍ରିୟା ସାମ୍ନାକୁ ଆସିଛି। ବରିଷ୍ଠ ଅଧିକାରୀ ସୁନୀଲ ଆମ୍ବେକର କହିଛନ୍ତି ମୋଗଲ ରାଜାଙ୍କ ସମାଧିସ୍ଥଳ ନେଇ ନାଗପୁରରେ ବିବାଦ ସୃଷ୍ଟି ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆଜିର ଦିନରେ ଔରଙ୍ଗଜେବ ପ୍ରସଙ୍ଗ ହିଁ ସମ୍ପୂର୍ଣ୍ଣ ରୂପେ ଅପ୍ରାସଙ୍ଗିକ। ସମାଜ ପାଇଁ କୌଣସି ପ୍ରକାରର ହିଂସା ଶୁଭଙ୍କର ନୁହେଁ। ଔରଙ୍ଗଜେବଙ୍କ ସମାଧିସ୍ଥଳ ହଟାଇବା ଦାବି କରି ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ପ୍ରଦର୍ଶନ କରାଯିବା ପରେ ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ସଂଘର୍ଷ ଉପୁଜିଥିଲା, ଯେଉଁଥିରେ ୫୦ରୁ ଅଧିକ ଲୋକେ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ୩୦ରୁ ଅଧିକ କେବଳ ପୁଲିସ୍ ଅଧିକାରୀ ହିଁ ଥିଲେ। ନିକଟରେ ବଲିଉଡ ଫିଲ୍ମ ‘ଛାଭା’ ରିଲିଜ ହେବା ପରେ ଏହି ବିବାଦ ସୃଷ୍ଟି ହୋଇଛି। ଯେଉଁଥିରେ ଦେଖାଯାଇଛି ଯେ, ଇତିହାସରେ ମରାଠା ରାଜା ଛତ୍ରପତି ସାମ୍ଭାଜି ମହାରାଜଙ୍କୁ କିପରି ଔରଙ୍ଗଜେବ ହତ୍ୟା କରିଥିଲେ। ସୋମବାର ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ଖୁଲଡ଼ବାଡ଼ରେ ଥିବା ଔରଙ୍ଗଜେବଙ୍କ ସମାଧିସ୍ଥଳ ଉଚ୍ଛେଦ ଦାବିରେ ପ୍ରତିବାଦ କରିଥିଲେ। ଏହି ପ୍ରତିବାଦ ସମୟରେ ଦୁଇ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଔରଙ୍ଗଜେବଙ୍କ ଏକ ପ୍ରତିଛବିକୁ ଜଳାଇ ଦେଇଥିଲେ। କିନ୍ତୁ ଏକ ସମ୍ପ୍ରଦାୟର କିଛି ଧାର୍ମିକ ଜିନିଷ ଜଳାଇ ଦିଆଯାଇଥିବା ଗୁଜବ ପ୍ରସାରିତ ହୋଇଥିଲା, ଫଳରେ ହଂସପୁରି ଅଞ୍ଚଳରେ ବଡ଼ ହିଂସା ସୃଷ୍ଟି ହୋଇଥିଲା। ଏଥିରେ ଅନେକ ଦୋକାନ, ଘର, ଗାଡ଼ି ମଟର ଆଦି ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦିଆଯାଇଥିଲା।

– ମାଷ୍ଟର ମାଇଣ୍ଡ୍ ଗିରଫ
ନାଗପୁର ହିଂସା ଘଟଣାର ମାଷ୍ଟରମାଇଣ୍ଡ୍ ସାଜିଥିବା ସଂଖ୍ୟାଲଘୁ ଡେମୋକ୍ରାଟିକ୍ ଦଳ (ଏମ୍‌ଡିପି)ର ସ୍ଥାନୀୟ ନେତା ଫହିମ୍ ଶାମିମ୍ ଖାନ୍‌ଙ୍କୁ ନାଗପୁର ପୁଲିସ୍ ବୁଧବାର ଦିନ ଗିରଫ କରିଛି। ତାଙ୍କୁ ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ପୁଲିସ୍ ହେପାଜତରେ ରଖାଯାଇଛି। ମାର୍ଚ୍ଚ ୧୭ ଅର୍ଥାତ୍ ସୋମବାର ସହରରେ ଘଟିଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡର ମାଷ୍ଟରମାଇଣ୍ଡ୍ ଫହିମ୍ ଶାମିମ୍ ଖାନ୍ ବୋଲି ଜାଣିବା ପରେ ପୁଲିସ୍ ପୂର୍ବରୁ ତାଙ୍କର ଏକ ଫଟୋ ଜାରି କରିଥିଲା। ଆଜି ସକାଳୁ ପୁଲିସ୍ ତାଙ୍କର ଫଟୋ ଏବଂ ଏକ ଭିଡିଓ ପ୍ରକାଶ କରିଥିଲା। ଏଥିରେ ଖାନ୍ ହିଂସା ଆରମ୍ଭ ହେବାର କିଛି ମୁହୂର୍ତ୍ତ ପୂର୍ବରୁ ଏକ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଉଥିବା ଦେଖାଯାଇଥିଲା।

– ୮ ଭିଏଚ୍‌ପି ଓ ବଜରଙ୍ଗ ଦଳ କର୍ମୀ ଗିରଫ
ନାଗପୁର ପୁଲିସ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍‌ପି) ଏବଂ ବଜରଙ୍ଗ ଦଳର ୮ କର୍ମୀଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତମାନେ ବୁଧବାର ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ସେମାନଙ୍କୁ ଗିରଫ କରାଯାଇଛି। ତେବେ ସେମାନଙ୍କୁ କୋର୍ଟରେ ହାଜର କରାଯିବା ପରେ ଜାମିନରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି। ପ୍ରକାଶ, ସମ୍ଭାଜିନଗରରେ ମୋଗଲ ଶାସକ ଔରଙ୍ଗଜେବଙ୍କ ସମାଧିସ୍ଥଳ ହଟାଇବା ଦାବି ଆଳରେ ଭିଏଚପି ଏବଂ ବଜରଙ୍ଗ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହା ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ନାଗପୁର ପୁଲିସ ଉଭୟ ସଂଗଠନର ଉଚ୍ଚ ପଦସ୍ଥ କର୍ମକର୍ତ୍ତାଙ୍କ ବିରୋଧରେ ଏତଲା ରୁଜୁ କରିଥିଲା। ପରେ ସେମାନଙ୍କୁ ଗିରଫ କରିବାକୁ ଚଢ଼ାଉ ଆରମ୍ଭ କରିଥିଲା। ଯାହାଫଳରେ ଅଶାନ୍ତି ସୃଷ୍ଟିରେ ସାମିଲ ଥିବା କିଛି କର୍ମୀ ଆତ୍ମସମର୍ପଣ କରିଥିଲେ। ବର୍ତ୍ତମାନ ସୁଦ୍ଧା ଉଭୟ ପକ୍ଷରୁ ପ୍ରାୟ ୫୦ ଦଙ୍ଗାକାରୀଙ୍କୁ ପୁଲିସ ଗିରଫ କରିସାରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking