19.1 C
Bhubaneswar
Sunday, December 21, 2025
Homeଓଡିଶାଥମୁନି ଝଡ଼: କଂଗ୍ରେସର ଜିଦ୍‌ରେ ଅଟ୍ଟଳ, ଗୁହ ଅଚଳ

ଥମୁନି ଝଡ଼: କଂଗ୍ରେସର ଜିଦ୍‌ରେ ଅଟ୍ଟଳ, ଗୁହ ଅଚଳ

– ଗାନ୍ଧୀମୂର୍ତ୍ତି ତଳେ ଧାରଣା
– ଗୃହ ବାରମ୍ବାର ମୁଲତବୀ

ଭୁବନେଶ୍ୱର : ଛ ଦିନ ପରେ ମଙ୍ଗଳବାର ଗୃହ ସ୍ୱାଭାବିକ ହୋଇଥିଲା। କଂଗ୍ରେସ ସଭ୍ୟ ଗୃହରେ ହଟଗୋଳ ନ କରି ହାତରେ କଳାପଟି ବାନ୍ଧି ନିରବ ପ୍ରତିବାଦ କରିଥିଲେ। ସମସ୍ତେ ଭାବୁଥିଲେ ଗୃହର ସ୍ଥିତି ବଦଳିବ ଓ ମାତ୍ର ବୁଧବାର ପୁଣି ଯଥା ପୂର୍ବଂ ତଥା ପର ହୋଇଛି। ବିରୋଧୀ କଂଗ୍ରେସ ସଭ୍ୟମାନେ ନାରୀ ନିର୍ଯ୍ୟାତନା ବୃଦ୍ଧି ପ୍ରସଙ୍ଗରେ ଗୃହ କମିଟି ଦାବି କରି ଗୃହ ମଝିରେ ହଟ୍ଟଗୋଳ କରିବା ସହ ନାରାବାଜି ଦେଇଥିଲେ। ଏପରିକି ସେମାନେ ପୂର୍ବ ପରି ହାତରେ କଳା ପଟି ବାନ୍ଧି ପ୍ଲାକାର୍ଡ଼ ଧରି ହୋହାଲ୍ଲା ଓ ନରାବାଜି କରିଥିଲେ। ଫଳରେ ଗୃହ ଚାଲିବା ଆଉ ସମ୍ଭବ ନ ହେବାରୁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ପ୍ରଥମେ ୧୦ଟା ୩୬ରୁ ମଧ୍ୟାହ୍ନ ୧୨ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ପୁଣି ଗୃହ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକମାନେ ମଧ୍ୟ ଭାଗକୁ ଆସି ନାରୀ ସୁରକ୍ଷା ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ। ଗୃହ କାର୍ଯ୍ୟରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ ବାଚସ୍ପତି ସୁରମା ପାଢ଼ୀ। ମାତ୍ର ସେମାନେ ତାହା ନ ଶୁଣି ଗୃହ ମଝିରେ ଅନୁରୂପ ଭାବେ ନାରାବାଜି ଜାରି ରଖିଥିଲେ। ଫଳରେ ବାଚସ୍ପତି ଗୃହକୁ ବାଧ୍ୟହୋଇ ଅପରାହ୍ନ ୪ଟା ଯାଏ ମୁଲତବୀ କରିଥିଲେ।

ପ୍ରଶ୍ନକାଳରେ ହୋହାଲ୍ଲା କାରଣରୁ ଗୃହ ମୁଲତବୀ ହେବା ପରେ କଂଗ୍ରେସ ସଭ୍ୟମାନେ ସାଙ୍ଗେ ସାଙ୍ଗେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ। ସେଠାରେ ବି ସେମାନେ ହାତରେ ପ୍ଲାକାର୍ଡ଼ ଧରି ପ୍ରତବାଦ କରିଥିଲେ। ଯେଉଁ ପର୍ଯ୍ୟନ୍ତ ନାରୀ ନିର୍ଯ୍ୟାତନା ଉପରେ ‘ହାଉସ୍ କମିଟି’ ଗଠନ ନ ହୋଇଛି, ସେଇ ପର୍ଯ୍ୟନ୍ତ କଂଗ୍ରେସ ଲଢ଼େଇ ଜାରି ରଖିବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ସ୍ପଷ୍ଟ କରିଥିଲେ। ବରିଷ୍ଠ ସଭ୍ୟ ତାରା ପ୍ରାସାଦ ବାହିନୀପତି କହିଥିଲେ, ରାଜ୍ୟରେ ମା’ ଅସୁରକ୍ଷିତ। ସରକାର ଏବେ ମୁକ ବଧିର ପାଲଟିଛନ୍ତି। ନାରୀ ସୁରକ୍ଷା ପ୍ରତି ନିଷ୍ଠା ନାହିଁ। ତେଣୁ କଂଗ୍ରେସ ତାର ଧାରଣା ଜାରି ରଖିବ ବୋଲି ସେ ପ୍ରକାଶ କରିଥିଲେ। ସେହିପରି କଂଗ୍ରେସ ବିଧାୟକ ଅଶୋକ ଦାସ ସରକାରଙ୍କୁ କଟୁ ସମାଲୋଚନା କରି କହିଥିଲେ, ବିଜେପି ସରକାର ସମୟରେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇଛି। ୨୦୨୪ରେ ଦୁଷ୍କର୍ମ ମାମଲା ୮ ପ୍ରତିଶତ ବୃଦ୍ଧି ହୋଇଛି। ମା’ ଆଜି ଅସୁରକ୍ଷିତ। ତେଣୁ ସର୍ବଦଳୀୟ ବୈଠକ କରି ଗୃହ କମିଟି କରାଯାଉ, ନହେଲେ କଂଗ୍ରେସର ବିରୋଧ ଜାରି ରହିବ ବୋଲି ସେ ଚେତାବନୀ ଦେଇଥିଲେ।

ଅନ୍ୟପକ୍ଷରେ ବିଜେପି ସଭ୍ୟ ସରୋଜ କୁମାର ପାଢ଼ୀ ବିରୋଧୀ କଂଗ୍ରେସକୁ ଜବାବ୍ ଦେଇ କହିଥିଲେ ଯେ, ବିନା କାରଣରେ ବିରୋଧୀ ଗୃହ ଚଳାଇ ଦେଉ ନାହାନ୍ତି। ପାଳି କରି କେତେବେଳେ କଂଗ୍ରେସ ତ କେତେବେଳେ ବିଜେଡି ଗୃହରେ ହୋହାଲ୍ଲା ଓ ନାରାବାଜି କରୁଛନ୍ତି। କଂଗ୍ରେସ ସଭ୍ୟ ଶାନ୍ତିର ପ୍ରତୀକ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଉଥିବାବେଳେ ଗୃହ ଭିତରେ ଅଶାନ୍ତିର ବାରବାରଣ ସୃଷ୍ଟି କରିଛନ୍ତି। ଗତକାଲି ଅର୍ଥାତ ମଙ୍ଗଳବାର ନାରୀ ନିର୍ଯାତନା ଉପରେ ମୁଲତବୀ ଆଲୋଚନା ହୋଇ ସାରିଛି। ମନ୍ତ୍ରୀ ଉତ୍ତର ଦେଇ ସାରିଛନ୍ତି। ଏହା ପରେ ବି ଗୃହ ଚଳାଇ ନ ଦେବା ସମ୍ପୂର୍ଣ ନିନ୍ଦନୀୟ ଘଟଣା ବୋଲି ଶ୍ରୀ ପାଢ଼ୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking