25.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶଗାଜାଷ୍ଟ୍ରିପ୍‌ରେ ଭୟଙ୍କା ବୋମାବର୍ଷା; ଇସ୍ରାଏଲ୍ ଆକ୍ରମଣରେ ୪୦୦ରୁ ଅଧିକ ମୃତ

ଗାଜାଷ୍ଟ୍ରିପ୍‌ରେ ଭୟଙ୍କା ବୋମାବର୍ଷା; ଇସ୍ରାଏଲ୍ ଆକ୍ରମଣରେ ୪୦୦ରୁ ଅଧିକ ମୃତ

ଗାଜାଷ୍ଟ୍ରିପ୍‌: ମଙ୍ଗଳବାର ଭୋର ସମୟରେ ଗାଜାରେ ପୁଣିଥରେ ଇସ୍ରାଏଲ୍ ପକ୍ଷରୁ ଏକ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ କରାଯାଇଛି। ଇସ୍ରାଏଲ୍‌ର ଲଢ଼ୁଆ ବିମାନଗୁଡ଼ିକ ଆକାଶ ମାର୍ଗରୁ ବୋମାବର୍ଷା କରିଛନ୍ତି। ଆକ୍ରମଣ ମୁଖ୍ୟତଃ ଦକ୍ଷିଣ ଗାଜାର ପାଲେଷ୍ଟାଇନୀୟ ନାଗରିକ ରହୁଥିବା ଶରଣାର୍ଥୀ ଶିବିର ଓ ସ୍କୁଲ ଉପରେ ହୋଇଥିବା ବେଳେ ଏଥିରେ ୪୦୦ରୁ ଅଧିକ ସାଧାରଣ ନାଗରିକ ପ୍ରାଣ ହରାଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଥିବା ପାଲେଷ୍ଟାଇନ୍ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅଭିଯୋଗ କରାଯାଇଛି। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ବେଇଟ୍ ହାନୁନ୍‌, ଦେଇର୍ ଏଲ୍‌-ବାଲାହ ଏବଂ ନୁସେରାତ୍ ଶରଣାର୍ଥୀ ଶିବିର ସମେତ ଘେରାବନ୍ଦୀ ଅଞ୍ଚଳରେ ଅନେକ ସ୍ଥାନରେ ଆକ୍ରମଣ କରାଯାଇଛି। ଦୁଇ ମାସ ପୂର୍ବେ ଅର୍ଥାତ୍ ଜାନୁଆରୀ ୧୯ରେ ହମାସ ସହିତ ଇସ୍ରାଏଲର ଯୁଦ୍ଧବିରତି ପ୍ରକ୍ରିୟା ଆରମ୍ଭ ହେବା ପରେ ଏହି ଅଞ୍ଚଳରେ ଇସ୍ରାଏଲ୍ ପକ୍ଷରୁ ଏହା ପ୍ରଥମ ବଡ଼ ଆକ୍ରମଣ ବୋଲି ବିବେଚନା କରାଯାଉଛି। ଇସ୍ରାଏଲ୍ ସେନା ପକ୍ଷରୁ ହୋଇଥିବା ଏହି ପ୍ରଚଣ୍ଡ ଆକ୍ରମଣର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି।

ଏସବୁ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଏକ ବିବୃତ୍ତିରେ କହିଛି ଯେ, “ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଜ୍ ନିଜ ସେନାକୁ ଗାଜାରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ହମାସ ଦ୍ୱାରା ଇସ୍ରାଏଲୀୟ ନାଗରିକଙ୍କୁ (ବନ୍ଧକ) ମୁକ୍ତ କରିବାକୁ ବାରମ୍ବାର ମନା କରାଯିବା ଏବଂ ହମାସ୍ ଆତଙ୍କୀ ମଧ୍ୟପ୍ରାଚ୍ୟରେ ଆମେରିକାର ଦୂତ ଷ୍ଟିଭ୍ ୱିଟକଫ୍ ଏବଂ ଅନ୍ୟାନ୍ୟ ମଧ୍ୟସ୍ଥତାକାରୀଙ୍କ ସମସ୍ତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବାରୁ ଏହି ଆକ୍ରମଣ ହୋଇଛି। ଇସ୍ରାଏଲ ଏବେ ଠାରୁ ହମାସ ବିରୁଦ୍ଧରେ ବର୍ଦ୍ଧିତ ସାମରିକ ଶକ୍ତି ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।” ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏପ୍ରକାର ବିବୃତ୍ତିରୁ ହମାସ ସହ ଇସ୍ରାଏଲର ଅସ୍ତ୍ରବିରତି ଚୁକ୍ତି ଏକରକମ ସମାପ୍ତ ହୋଇଯାଇଛି ବୋଲି ବୁଝାପଡ଼ୁଥିବା ବେଳେ ଏବେ ହମାସ୍‌ର ପ୍ରତିକ୍ରିୟାକୁ ଅପେକ୍ଷା ରହିଛି।

ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଭିଯୋଗ କରିଛି ଯେ, ୟୁଏନଆରଡବ୍ଲ୍ୟୁଏ ଦ୍ୱାରା ପରିଚାଳିତ ସ୍କୁଲ ଉପରେ କୌଣସି ଚେତାବନୀ ବିନା ଇସ୍ରାଏଲ୍ ପକ୍ଷରୁ ଆକ୍ରମଣ ହୋଇଥିଲା। ମହିଳା ଏବଂ ଶିଶୁ ସମେତ ସାଧାରଣ ନାଗରିକ ଶୋଇଥିବା ସମୟରେ ଆକ୍ରମଣର ଶିକାର ହୋଇଛନ୍ତି। ଆକ୍ରମଣ ପୂର୍ବରୁ ଇସ୍ରାଏଲୀ ସେନା ସେମାନଙ୍କୁ ସତର୍କ କରିନଥିଲା। ତିନି ମହଲା କୋଠା ବିଶିଷ୍ଟ ଏହି ସ୍କୁଲ ଶହ ଶହ ପାଲେଷ୍ଟାଇନୀୟ ପରିବାରକୁ ଆଶ୍ରୟ ଦେଇଥିଲା। ୭ ଅକ୍ଟୋବର ୨୦୨୩ ପରଠାରୁ ଏପର୍ଯ୍ୟନ୍ତ ଅର୍ଥାତ୍ ଇସ୍ରାଏଲ ଆକ୍ରମଣ ଯୋଗୁ ଗାଜାଷ୍ଟ୍ରିପ୍‌ରେ ବର୍ତ୍ତମାନ ସୁଦ୍ଧା ଅତି କମରେ ୪୫, ୦୨୮ପାଲେଷ୍ଟାଇନୀଙ୍କ ମୃତ୍ୟୁ ହୋଇଛି ଏବଂ ୧୦୬,୯୬୨ଜଣ ଆହତ ହୋଇଛନ୍ତି। ସ୍ଥାୟୀ କୋଠା ଏବଂ ସୁରକ୍ଷିତ ସ୍ଥାନ ଅଭାବରୁ ସାଧାରଣ ନାଗରିକମାନେ ଆଶ୍ରୟ ନେଉଥିବା ଆଶ୍ରୟସ୍ଥଳଗୁଡ଼ିକୁ ଇସ୍ରାଏଲୀ ସେନା ଧ୍ୱଂସ କରିବା ଉପରେ ଧ୍ୟାନ ଦେଇଛି।

ପ୍ରକାଶ, ୭ ଅକ୍ଟୋବର, ୨୦୨୩ରେ ଇସ୍ରାଏଲ ଉପରେ ହମାସ ନେତୃତ୍ୱରେ ଆକ୍ରମଣ ପରେ ଇସ୍ରାଏଲ ଗାଜା ଉପରେ ଆକ୍ରମଣ ଆରମ୍ଭ କରିଥିଲା। ତେବେ ଜାନୁଆରୀ ମଧ୍ୟଭାଗରେ ଉଭୟ ପକ୍ଷ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଇସ୍ରାଏଲ୍ ହମାସ୍ ଉଗ୍ରବାଦୀଙ୍କୁ ମୁକ୍ତ କରିବା ପ୍ରତିବଦଳରେ ହମାସ ନିଜ ପାଖରେ ବନ୍ଦୀ ରଖିଥିବା ସାଧାରଣ ଇସ୍ରାଏଲୀୟ ନାଗରିକଙ୍କୁ ମୁକ୍ତ କରିବାକୁ ସହମତ ହୋଇଥିଲେ। ୨/୩ଟି ପର୍ଯ୍ୟାୟ ଯାଏ ସବୁକିଛି ଠିକ୍ ଚାଲିଥିଲା କିନ୍ତୁ ପରବର୍ତ୍ତୀ ସମୟରେ ହମାସ ଆଉ ବନ୍ଧକଙ୍କୁ ମୁକ୍ତ କରିନଥିଲା। ଏହାକୁ ନେଇ ଇସ୍ରାଏଲ୍ ବାରମ୍ବାର ହମାସ୍‌କୁ ଚେତାବନୀ ମଧ୍ୟ ଦେଇଥିଲା। କିନ୍ତୁ ହମାସ ସେସବୁକୁ ଶୁଣିନଥିଲା। ଫଳରେ ଇସ୍ରାଏଲ ସେନା ଏବେ ପ୍ରତିଶୋଧ ପରାୟଣ ହୋଇ ପୁଣିଥରେ ଆକ୍ରମଣ ଆରମ୍ଭ କରିଛି। ଅବଶ୍ୟ ଅସ୍ତ୍ରବିରତି କାର୍ଯ୍ୟକାରୀ ହେବା ପରେ ମଧ୍ୟ ଇସ୍ରାଏଲୀ ସେନା ଗାଜା ଉପରେ ଛୋଟ ଛୋଟ ଆକ୍ରମଣ କରିଥିବା ହମାସ ଦାବି କରିଛି। ହମାସ କହିବାନୁସାରେ ଅସ୍ତ୍ରବିରତି ପରେ ମଧ୍ୟ ଇସ୍ରାଏଲ ସେନା ଆକ୍ରମଣରେ ଗାଜାଷ୍ଟ୍ରିପ୍‌ରେ ପ୍ରାୟ ୧୫୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ସାଧାରଣ ନାଗରିକ ରହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking