32.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶବିଷ ବଳୟ ଭିତରେ ବିଶ୍ୱ: ୫ ବର୍ଷ ଆୟୁଷ କମାଇଛି ପ୍ରଦୂଷଣ

ବିଷ ବଳୟ ଭିତରେ ବିଶ୍ୱ: ୫ ବର୍ଷ ଆୟୁଷ କମାଇଛି ପ୍ରଦୂଷଣ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ପ୍ରଦୂଷଣ ଏକ ପ୍ରମୁଖ ସମସ୍ୟା ହୋଇ ଉଭାହୋଇଛି । ଏହାର ପ୍ରଭାବ ବିଶେଷକରି ଭାରତ ଭଳି ଦେଶରେ ଦେଖିବାକୁ ମିଳୁଛି । ସ୍ଥିତି ଏପରି ହୋଇଛି ଯେ, ପ୍ରଦୂଷଣ ଯୋଗୁ ଲୋକଙ୍କ ଆୟୁଷ କମିବାରେ ଲାଗିଛି । ଭାରତରେ ଲୋକଙ୍କ ହାରାହାରି ଆୟୁଷ ପ୍ରାୟ ୫ ବର୍ଷ ୨ ମାସ କମିଛି । ୨୦୨୪ରେ ବିଶ୍ୱ ବାୟୁ ଗୁଣବତ୍ତା ରିପୋର୍ଟ ଅନୁସାରେ ଦୁନିଆର ସବୁଠୁ ପ୍ରଦୂଷିତ ୨୦ ସହର ମଧ୍ୟରେ ୧୩ ସହର ଭାରତର । ସେଥିରୁ ଆସାମ-ମେଘାଳୟ ସୀମାରେ ଥିବା ବର୍ନିହାଟ ସହର ଶୀର୍ଷରେ ରହିଛି ।

ରାଜଧାନୀ ବର୍ଗରେ ଦିଲ୍ଲୀ ଲଗାତର ୬ଷ୍ଠ ଥର ଲାଗି ସବୁଠୁ ପ୍ରଦୂଷିତ ରାଜଧାନୀ ହୋଇଛି । ସ୍ୱିସ୍ ଏୟାର କ୍ୱାଲିଟି ଟେକ୍ନୋଲୋଜି କମ୍ପାନୀ ଆଇକ୍ୟୁ ଏୟାର ୨୦୨୪ ରିପୋର୍ଟରୁ ଏହି ତଥ୍ୟ ଜଣାପଡ଼ିଛି। ରିପୋର୍ଟରେ ଭାରତକୁ ଦୁନିଆର ସବୁଠୁ ପ୍ରଦୂଷିତ ଦେଶଗୁଡ଼ିକ ମଧ୍ୟରେ ଭାରତ ୫ମ ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ଚାଦ୍ ଥିବା ବେଳେ ପରବର୍ତ୍ତୀ ସ୍ଥାନ ଗୁଡ଼ିକରେ ଅଛନ୍ତି କଙ୍ଗୋ, ବାଂଲାଦେଶ ଏବଂ ପାକିସ୍ତାନ । ୨୦୨୩ ରିପୋର୍ଟରେ ଭାରତର ସ୍ଥାନ ୩ୟ ଥିଲା । ଅର୍ଥାତ ଦେଶରେ ପ୍ରଦୂଷଣ ସ୍ତରରେ କିଛି ମାତ୍ରାରେ ସୁଧାର ଆସିଛି । ୨୦୨୪ରେ ଭାରତରେ ପିଏମ୍ ୨.୫(ବାୟୁରେ ଧୂଳିର ଛୋଟ ଛୋଟ କଣିକା ବା ସୂକ୍ଷ୍ମ ପ୍ରଦୂଷଣ କଣିକା) ସ୍ତରରେ ୭% ହ୍ରାସ ଦେଖାଯାଇଛି । ୨୦୨୪ରେ ପିଏମ୍ ୨.୫ ସ୍ତର ହାରାହାରି ୫୦.୬ ମାଇକ୍ରୋଗ୍ରାମ୍ ପ୍ରତି କ୍ୟୁବିକ୍ ମିଟର ରହିଥିଲା । ୨୦୨୩ରେ ଏହା ୫୪.୪ ମାଇକ୍ରୋଗ୍ରାମ ପ୍ରତି କ୍ୟୁବିକ୍ ମିଟର ଥିଲା । ଏହା ସତ୍ତ୍ୱେ ଦୁନିଆର ସର୍ବାଧିକ ପ୍ରଦୂଷିତ ୧୦ ସହର ଭିତରେ ଭାରତର ୬ଟି ରହିଛି । ଦିଲ୍ଲୀରେ ଲଗାତର ପ୍ରଦୂଷଣ ସ୍ତର ଉଚ୍ଚ ରହିଥିବା ରେକର୍ଡ କରାଯାଇଛି ।

ଏଠାରେ ପିଏମ୍ ୨.୫ ପ୍ରତିବର୍ଷ କ୍ୟୁବିକ ମିଟର ପିଛା ହାରାହାରି ୯୧.୬ ରହିଛି । ଭାରତର ପ୍ରଦୂଷଣ ସ୍ତର ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ର ବାର୍ଷିକ ପିଏମ୍ ୨.୫ ଗାଇଡଲାଇନରେ ଥିବା ସୁରକ୍ଷିତ ସ୍ତର ୫ ମାଇକ୍ରୋଗ୍ରାମ୍ ପ୍ରତି କ୍ୟୁବିକ ମିଟରଠାରୁ ୧୦ ଗୁଣ ଅଧିକ ରହିଛି । ବର୍ନିହାଟ ପରେ ଭାରତର ଅନ୍ୟ ପ୍ରଦୂଷିତ ସହରଗୁଡ଼ିକ ମଧ୍ୟରେ ରହିଛି ଦିଲ୍ଲୀ, ମୁଲ୍ଲାଙ୍ଗପୁର (ପଞ୍ଜାବ), ଫରିଦାବାଦ (ହରିୟାଣା), ଲୋନି (ୟୁପି), ନୂଆଦିଲ୍ଲୀ, ଗୁରୁଗ୍ରାମ (ହରିଆଣା), ଶ୍ରୀଗଙ୍ଗାନଗର (ରାଜସ୍ଥାନ), ଗ୍ରେଟର ନୋଏଡା (ୟୁପି), ଭିୱାଡି (ରାଜସ୍ଥାନ), ମୁଜାଫରନଗର (ୟୁପି), ହନୁମାନଗଡ଼ (ରାଜସ୍ଥାନ) ଏବଂ ନୋଏଡା (ୟୁପି) । ସର୍ବାଧିକ ପ୍ରଦୂଷିତ ସହରଗୁଡ଼ିକ ମଧ୍ୟରେ ପାକିସ୍ତାନର ଲାହୋର, ମୁଲତାନ, ପେଶାୱର, ସିଆଲକୋଟ, ଚୀନ୍‌ର ହୋଟନ୍ ରହିଛି । ରିପୋର୍ଟରେ ୧୩୮ ଦେଶର ୮ ହଜାରରୁ ଅଧିକ ସ୍ଥାନରେ ୪୦ ହଜାରରୁ ଅଧିକ ବାୟୁ ଗୁଣବତ୍ତା ନିରୀକ୍ଷଣ ଷ୍ଟେଶନରୁ ଡାଟା ସଂଗ୍ରହ କରାଯାଇଥିଲା । ସେଥିମଧ୍ୟରୁ ୧୨୬ ଦେଶରେ ଡବ୍ଲ୍ୟୁଏଚ୍‌ଓର ବାର୍ଷିକ୍ ପିଏମ୍ ୨.୫ ଗାଇଡଲାଇନ ଭାଲ୍ୟୁ ୫ ମାଇକ୍ରୋଗ୍ରାମ ପ୍ରତି କ୍ୟୁବିକ୍ ମିଟରରୁ ଅଧିକ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking