19.1 C
Bhubaneswar
Sunday, December 21, 2025
Homeଓଡିଶାଜୟନାରାୟଣଙ୍କ ମନ୍ତବ୍ୟକୁ ନେଇ ଗୃହରେ ହଟ୍ଟଗୋଳ

ଜୟନାରାୟଣଙ୍କ ମନ୍ତବ୍ୟକୁ ନେଇ ଗୃହରେ ହଟ୍ଟଗୋଳ

– ପ୍ଲାକାର୍ଡ଼ ଧରି ଗୃହରେ ନାରାବାଜି, ବାହାରେ ବିଜେଡିର ଧାରଣା
– ମହିଳା ନିର୍ଯ୍ୟାତନା ବୃଦ୍ଧି ନେଇ ପୁଣି କଂଗ୍ରେସର ହୋହାଲ୍ଲା

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନର ପ୍ରଥମ ଦିନ ଭଳି ଦ୍ୱିତୀୟ ଦିନ ବି ଗୃହ ଅଚଳ ହୋଇଛି। ବିଜେପିର ବରିଷ୍ଠ ସଦସ୍ୟ ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ଓଡ଼ିଶା ବିଭାଜନ ମନ୍ତବ୍ୟକୁ ନେଇ ବିରୋଧୀ ବିଜେଡି ନାରାବାଜି ସହ ପ୍ରବଳ ହଟ୍ଟଗୋଳ କରିଥିଲାବେଳେ ନାରୀ ନିର୍ଯାତନା ବୃଦ୍ଧି ନେଇ କଂଗ୍ରେସ ସଭ୍ୟଙ୍କ ଗୃହ ଭିତରେ ପ୍ରବଳ ନାରାବାଜି ସହ ହଟ୍ଟଗୋଳ କରିଥିଲେ। ଫଳରେ ଗୃହ ଚାଲିବା ଆଉ ସମ୍ଭବ ନହେବାରୁ ଗୃହକୁ ବାରମ୍ବାର ମୂଲତବୀ କରିଥିଲେ ବାଚସ୍ପତି ସୁରମା ପାଢ଼ୀ। ତେବେ କ୍ଷୁବ୍ଧ ବିଜେଡି ସଭ୍ୟମାନେ ବିଧାନସଭା ପରିସରରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୁର୍ତ୍ତୀ ତଳେ ଧାରଣା ଦେଇଥିଲେ।

ସୋମବାର ଧାର୍ଯ୍ୟ ସାଢ଼େ ୧୦ରେ ବାଚସ୍ପତି ଶ୍ରୀମତୀ ପାଢ଼ୀ ଗୃହ ପରିଚାଳନା ପାଇଁ ଆସନକୁ ଆସିବା କ୍ଷଣି ପ୍ରଥମେ ବିଜେଡି ସଭ୍ୟମାନେ ଗୃହ ମଝିକୁ ଆସି ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ବିରୋଧ କରି ହାତରେ ପ୍ଲାକାର୍ଡ ଧରି ନାରାବାଜି ଦେଇ ହଟ୍ଟଗୋଳ କରିଥିଲେ। କିଛି ବିଜେଡି ଓ କଂଗ୍ରେସ ସଦସ୍ୟ ବାଚସ୍ପତିଙ୍କ ପୋଡ଼ିଅମ ଉପରକୁ ଉଠିବାକୁ ଚେଷ୍ଟା କରିଥଲେ। ଗୃହ ସ୍ଥିତି ଅଶାନ୍ତ ଥିବାବେଳେ କଂଗ୍ରେସ ସଭ୍ୟମାନେ ଗୃହ ମଝିକୁ ଆସି ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ନାରାନିର୍ଯ୍ୟାତନା ବୃଦ୍ଧି ଉପରେ ଆଲୋଚନା ଦାବିକରି ହୋହଲ୍ଲା କରିଥିଲେ। ସେମାନେ କହିଥିଲେ, ବିଗତ ୮ମାସ ମଧ୍ୟରେ ରାଜ୍ୟରେ ମହିଳାଙ୍କ ଉପରେ ବୃଦ୍ଧି ପାଉଥିବା ଅତ୍ୟାଚାରକୁ ବେଢ଼ିଛି। ହେଲେ କିଛି ଜରୁରୀ ପଦକ୍ଷେପ ନିଆଯାଇନାହିଁ। ତେବେ କଂଗ୍ରେସ ସଭ୍ୟମାନେ ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଗୃହ ବାହାରେ ଧାରଣା ଦେଇଥିଲେ।

ଉଭୟ ଦଳର ସଭ୍ୟଙ୍କ ହଙ୍ଗମା ଯୋଗୁଁ ଗୃହ ଚଳାଇବା ସମ୍ଭବ ହୋଇନଥିଲା। ଗୃହରେ ଅସ୍ୱାଭାବିକ ସ୍ଥିତି କାରଣରୁ ବାଚସ୍ୱତି ଶ୍ରୀମତୀ ପାଢ଼ୀ ବିରୋଧୀ ସଭ୍ୟଙ୍କୁ ଗୃହର ମର୍ଯ୍ୟାଦା ବଜାୟ ରଖିବା ପାଇଁ ଦ୍ୱାରା ବାରମ୍ବାର ଅନୁରୋଧ କରିଥିଲେ ହେଁ ବିରୋଧୀ ଦଳ ସଦସ୍ୟମାନଙ୍କ ପକ୍ଷରୁ କୌଣସି କର୍ଣ୍ଣପାତ କରାଯାଇ ନଥିଲା। ଏପରିକି ବିରୋଧୀ ସଭ୍ୟମାନେ ଆସନକୁ ବି ଯାଇ ନଥିଲେ। ଫଳରେ ବାଚସ୍ପତି ବାଧ୍ୟହୋଇ ଗୃହକୁ ୧୦ଟା୯ରୁ ୧୨ଟା ୯ଯାଏ ମୁଲତବୀ କରିଥିଲେ। ପୁଣି ଗୃହ ଆରମ୍ଭ ହେବା ପରେ ବିରୋଧୀ ଅନୁରୂପ ଭାବେ ହଟ୍ଟଗୋଳ କରିଥିଲେ। ବାଚସ୍ପତି ସେଥିପାଇଁ ଗୃହକୁ ପୁଣି ୧୨ଟା ୧୨ରୁ ଅପରାହ୍ନ ୧ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ଏଥିପାଇଁ ପ୍ରଶ୍ନକାଳ, ଶୂନ୍ୟକାଳ ହୋଇପାରିନଥିଲା।

କେବଳ ଗୃହ ଭିତରେ ନୁହେଁ, ଗୃହ ବାହାରେ ବି ରାଜନୀତି ସର୍‌ଗରମ ହୋଇଥିଲା। କ୍ଷୁବ୍ଧ ବିଜେଡି ସଭ୍ୟମାନେ ବିଧାନସଭା ପରିସରରେ ଥିବା ଉତ୍କଳ ଗୌରବ ମଧୂସୂଦନ ଦାସଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ। ଗଣମାଧ୍ୟମକୁ ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ, ବିଜେପିର ଜଣେ ବରିଷ୍ଠ ସଭ୍ୟ ଏଭଳି ଦାୟିତ୍ୱହୀନ ଓଡ଼ିଶା ବିଭାଜନ ପ୍ରସଙ୍ଗ ଉଠାଇଥିଲାବେଳେ ମୁଖ୍ୟମନ୍ତ୍ରୀ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି କଣ ପାଇଁ ଚୂପ ବସି ରହିଛନ୍ତି, ତାହା ବୁଝାପଡ଼ୁନି। ଏହା କ’ଣ ଓଡ଼ିଆ ଅସ୍ମିତା ବୋଲି ସେ ପ୍ରଶ୍ନ କରିଥିଲେ। ଅନ୍ୟପକ୍ଷରେ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପିର ବରିଷ୍ଠ ସଭ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ କହିଥିଲେ, ବିଜେପି ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ବିଜେଡି ସଭ୍ୟମାନେ ଅସହିଷ୍ଣୁ ହୋଇ ବାରମ୍ବାର ଗଣ୍ଡଗୋଳକରି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ହେଲେ ସେମାନେ ସଫଳ ହେବେ ନାହିଁ।

ପ୍ରାରମ୍ଭରେ ବିଧାନସଭାରେ ଦିବଙ୍ଗତ ପୂର୍ବତନ ବିଧାୟକ ଅନନ୍ତ ଦାସଙ୍କ ବିୟୋଗରେ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଶୋକ ପ୍ରସ୍ତାବ ଆଣିଥିଲେ। ଏହାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମର୍ଥନ କରିଥିଲେ। ଉଲ୍ଲେଖନୀୟ ଯେ ଫେବୃଆରୀ ୧୩ରୁ ଆରମ୍ଭ ହୋଇଥିବା ବିଧାନସଭାର ବଜେଟ୍ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ହେଉଛି। ଏଥିରେ ୨୮ଟି କାର୍ଯ୍ୟ ଦିବସ ରହିଛି। ଫେବୃଆରୀ ୧୩ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଶେଷ ହୋଇଥିଲାବେଳେ ମାର୍ଚ୍ଚ ୭ରୁ ଏପ୍ରିଲ୍ ୫ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଶୁକ୍ରବାରରୁ ଆରମ୍ଭ ହୋଇଛି। ସୋମବାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନର ଦ୍ୱିତୀୟ ଦିନ ଥିଲ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking