26.1 C
Bhubaneswar
Saturday, December 20, 2025
Homeଓଡିଶାସବୁଜ ଶକ୍ତିର ବ୍ୟବହାର ଓ ଉତ୍ପାଦନ ପାଇଁ ଓଡ଼ିଶା ପ୍ରତିଶ୍ରୁତିବଦ୍ଧ: କନକ ବର୍ଦ୍ଧନ ସିଂହଦେଓ

ସବୁଜ ଶକ୍ତିର ବ୍ୟବହାର ଓ ଉତ୍ପାଦନ ପାଇଁ ଓଡ଼ିଶା ପ୍ରତିଶ୍ରୁତିବଦ୍ଧ: କନକ ବର୍ଦ୍ଧନ ସିଂହଦେଓ

ଭୁବନେଶ୍ୱର: ଓଡ଼ିଶା ପ୍ରାକୃତିକ ସମ୍ପଦରେ ଭରପୂର । ଏସବୁର ସଦୁପଯୋଗ କରି ଅକ୍ଷୟ ଶକ୍ତିର ଉତ୍ସକୁ ବିକଶିତ କରାଯାଉଛି । ଅକ୍ଷୟ ଶକ୍ତିରେ ପମ୍ପଡ୍‌ ଷ୍ଟୋରେଜ୍‌ ପ୍ରୋଜେକ୍ଟ (ପିଏସ୍‌ପି)ର ଗୁରୁତ୍ୱ ସ୍ୱତନ୍ତ୍ର । ସଂପ୍ରତି ଓଡ଼ିଶାର ୪୫ ଗୋଟି ସ୍ଥାନକୁ ପିଏସ୍‌ପି ପ୍ରକଳ୍ପ କରିବା ପାଇଁ ଚିହ୍ନଟ କରାଯାଇଛି । ତନ୍ମଧ୍ୟରୁ ୧୦ ଗୋଟି ପ୍ରକଳ୍ପ ସରକାରୀ ସ୍ତରରେ ବିଭିନ୍ନ ପିଏସ୍‌ୟୁମାନଙ୍କ ଦ୍ୱାରା କରାଯିବା ଯୋଜନା ରହିଛି । ଏହା ବାଦ୍‌ କିଛି କମ୍ପାନୀ କେତେକ ସ୍ଥାନକୁ ନିଜସ୍ୱ ଭାବେ ଚିହ୍ନଟ କରିଛନ୍ତି । ଏସବୁର ବିକାଶ କାର୍ଯ୍ୟ ପ୍ରଥମେ ଆବେଦନ କରିଥିବା କମ୍ପାନୀଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ଅନୁଷ୍ଠିତ ବୈଠକରେ କହିଛନ୍ତି ।

ଗତ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ରେ ତେଲେଙ୍ଗାନାର ସଙ୍ଗମମ୍‌ ପାୱାର୍‌ ପ୍ରୋଜେକ୍ଟ କମ୍ପାନୀ ଓଡ଼ିଶା ସରକାରଙ୍କ ସହ ପିଏସ୍‌ପି ବା ପମ୍ପଡ୍‌ ଷ୍ଟୋରେଜ୍‌ ପ୍ରକଳ୍ପ ନେଇ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ । ଏହି ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଲୋଚନା ହୋଇଛି । ବୈଠକରେ ସ୍ୱଚ୍ଛ ଇନ୍ଧନ, ସବୁଜ ଶକ୍ତିର ବ୍ୟବହାର ନେଇ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଶା ମଧ୍ୟ ସବୁଜ ଶକ୍ତିର ଉତ୍ପାଦନ ତଥା ବ୍ୟବହାର ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ।

କୋରାପୁଟ ଜିଲ୍ଲାର ସୁଙ୍କିଠାରେ ପିଏସ୍‌ପି କରିବା ନିମନ୍ତେ ସଙ୍ଗମମ୍‌ ପାୱାର୍‌ ପ୍ରୋଜେକ୍ଟ କମ୍ପାନୀ କାର୍ଯ୍ୟସାରଣୀ ବା ଡିପିଆର୍‌ ପ୍ରସ୍ତୁତ କରିଛନ୍ତି । ୧୦୦୦ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ଏହି ପ୍ରକଳ୍ପ ଦିନକୁ ୬ ଘଣ୍ଟା ବିଦ୍ୟୁତ ଉତ୍ପାଦନ କରିବ । ପ୍ରକଳ୍ପ ଆରମ୍ଭ ନିମନ୍ତେ ଓଡ଼ିଶା ସରକାରଙ୍କଠାରୁ ସିଙ୍ଗଲ୍‌ ୱିଣ୍ଡୋ କ୍ଲିୟରାନ୍ସ ଓ ଅନ୍ୟାନ୍ୟ ସରକାରୀ ପ୍ରୋତ୍ସାହନ ଯୋଗାଇଦେବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଏବଂ ଅନ୍ୟ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ।

ଏହି ବୈଠକରେ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶିଳ୍ପ ଶ୍ରୀ ହେମନ୍ତ ଶର୍ମା, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ, ଇଡ୍‌କୋର ମ୍ୟାନେଜିଂ ଡ଼ାଇରେକ୍ଟର ଶ୍ରୀ ଭୁପେନ୍ଦ୍ର ସିଂ ପୁନିଆ, ସଙ୍ଗମମ ପାୱାରର ଡ଼ାଇରେକ୍ଟର ଶ୍ରୀ ଦୀପକ ମାଥୁର, ଭାସ୍କର ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking