କିଭ୍: ରୁଷ୍-ୟୁକ୍ରେନ ଯୁଦ୍ଧକୁ ୩ ବର୍ଷ ପୂରଣ ହୋଇଛି। ଯୁଦ୍ଧର ତୃତୀୟ ବାର୍ଷିକୀ ଅବସରରେ କିଭ୍ ଠାରେ ଅନୁଷ୍ଠିତ ଏକ ଶିଖର ସମ୍ମିଳନୀରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ରୁଷ୍ ୟୁକ୍ରେନୀୟମାନଙ୍କୁ ମୁକ୍ତ କରିବା ଉଚିତ୍। ୟୁକ୍ରେନ୍ ସମସ୍ତଙ୍କ ବଦଳରେ ସମସ୍ତଙ୍କୁ ମୁକ୍ତ କରିବାକୁ ପ୍ରସ୍ତୁତ ଅଛି ଏବଂ ଏହା ଆରମ୍ଭ କରିବାର ଏକ ଯୁକ୍ତିଯୁକ୍ତ ଉପାୟ। ତେବେ ଏହାକୁ ଜେଲେନ୍ସ୍କିଙ୍କ ଯୁଦ୍ଧ ପାଇଁ ସର୍ତ୍ତ ଭାବେ ବିବେଚନା କରାଯାଉଛି। ଜେଲେନସ୍କି କହିଛନ୍ତି, ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନ୍ତ କରିବା ପାଇଁ ସମସ୍ତ ଯୁଦ୍ଧବନ୍ଦୀଙ୍କୁ ଅଦଳବଦଳ ପ୍ରସ୍ତାବ ଉପରେ ବିଚାର କରିବା ଉଚିତ୍। ରୁଷ ୟୁକ୍ରେନୀୟମାନଙ୍କୁ ମୁକ୍ତ କରିବା ଉଚିତ। ୟୁକ୍ରେନ ସମସ୍ତଙ୍କ ପାଇଁ ସମସ୍ତଙ୍କୁ ଅଦଳବଦଳ କରିବାକୁ ପ୍ରସ୍ତୁତ, ଏବଂ ଏହା ଆରମ୍ଭ କରିବାର ଏକ ନ୍ୟାୟସଙ୍ଗତ ଉପାୟ।
ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୨୦୨୪ରେ, ରୁଷ ଏବଂ ୟୁକ୍ରେନ ପ୍ରତ୍ୟେକ ୯୫ ଜଣ ଯୁଦ୍ଧବନ୍ଦୀଙ୍କୁ ଅଦଳବଦଳ କରିଥିଲେ ଏବଂ ସଂଯୁକ୍ତ ଆରବ ଏମିରେଟସ୍ (ୟୁଏଇ) ମଧ୍ୟସ୍ଥତା ଭାବରେ କାର୍ଯ୍ୟ କରିଥିଲା। ୟୁକ୍ରେନୀୟ ସଂସଦର ମାନବାଧିକାର କମିଶନର ଡିମିଟ୍ରୋ ଲୁବିନେଟ୍ସ କହିଛନ୍ତି ଯେ ୨୦୨୨ ରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ୫୮ ତମ ଘଟଣା ଥିଲା ଯେତେବେଳେ ଉଭୟ ଦେଶ ବନ୍ଦୀ ଅଦଳବଦଳ କରିଥିଲେ। ଏହା ପୂର୍ବରୁ, ଉଭୟ ଦେଶ ଗତ ସେପ୍ଟେମ୍ବରରେ ଉଭୟ ପକ୍ଷର ୧୦୩ ଜଣ ବନ୍ଦୀଙ୍କୁ ମୁକ୍ତ କରିଛନ୍ତି। ପୂର୍ବରୁ, ଜେଲେନସ୍କି ୟୁକ୍ରେନର “ତିନି ବର୍ଷର ପ୍ରତିରୋଧ” ଏବଂ “ବୀରତା”କୁ ପ୍ରଶଂସା କରିଥିଲେ। ଜେଲେନସ୍କି କହିଥିଲେ ଯେ ଯଦି ତାଙ୍କ ଦେଶକୁ ନାଟୋ ସଦସ୍ୟତା ଦିଆଯାଏ ତେବେ ସେ “ତୁରନ୍ତ” ୟୁକ୍ରେନୀୟ ରାଷ୍ଟ୍ରପତି ପଦ ଛାଡିବାକୁ ପ୍ରସ୍ତୁତ ଅଛନ୍ତି।
ଯୁଦ୍ଧ ଚାଲିଥିବା କାରଣରୁ ଉଭୟ ଦେଶର ଲକ୍ଷାଧିକ ଲୋକଙ୍କ ପ୍ରାଣହାନୀ ହୋଇଥିବା ବେଳେ ଅନେକ ଲୋକ ବାସହରା ହୋଇଥିବା ବେଳେ ଆର୍ôଥକସଂକଟ ବି ଦେଖାଦେଇଛି। ସଂଯୁକ୍ତରାଷ୍ଟ୍ରର ଶରଣାର୍ଥୀ ଏଜେନ୍ସି ରିପୋର୍ଟ ଅନୁସାରେ, ୨୦୨୪ ଶେଷ ସୁଦ୍ଧା ୬୩ ଲକ୍ଷ ୟୁକ୍ରେନ ଶରଣାର୍ଥୀ ୟୁରୋପରେ ରହୁଛନ୍ତି । ୧୨ ଲକ୍ଷ ଜର୍ମାନୀ, ୯ ଲକ୍ଷ ପୋଲାଣ୍ଡରେ, ୩.୯ ଲକ୍ଷ ଅନ୍ୟ ସ୍ଥାନରେ ଆଶ୍ରୟ ନେଉଛନ୍ତି। ଖାଲି ଏତିକି ନୁହେଁ ବରଂ ୧୨ ଲକ୍ଷ ଶରଣାର୍ଥୀ ରୁଷ୍ରେ ବି ରହୁଛନ୍ତି। ସଂଯୁକ୍ତରାଷ୍ଟ୍ର ମାନବିଧିକାର ଅଫିସର ରିପୋର୍ଟ ଅନୁସାରେ, ୟୁକ୍ରେନ୍ର ୪୦ ହଜାର ନାଗରିକ କେବଳ ଯୁଦ୍ଧରେ ଜୀବନ ହାରିଛନ୍ତି।










