ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ଖୁସି ଖବର । କୃଷକଙ୍କ ଖାତାକୁ ଆସିଲା ପିଏମ୍ କିଷାନ ଟଙ୍କା । ବିହାର ଭାଗଲପୁରରୁ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ର ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇଲେ ପ୍ରଧାନମନ୍ତ୍ରୀ ମୋଦୀ। ଦେଶର ପ୍ରାୟ ୯ କୋଟି ଚାଷୀଙ୍କ ଖାତାକୁ ୨ ହଜାର ଲେଖାଏଁ ଟଙ୍କା ଆସିଲା । ଡିବିଟି ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ଆସିଛି । ପ୍ରଧାନମନ୍ତ୍ରୀ-କିଷାନ ଯୋଜନାର ୧୯ତମ କିସ୍ତି ପ୍ରଦାନ ଦ୍ୱାରା ସାରା ଦେଶରେ ୯.୮ କୋଟିରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି। ସେହିପରି ଓଡ଼ିଶାରୁ ୩୪.୯୮ ଲକ୍ଷରୁ ଅଧିକ ଚାଷୀ ସିଧାସଳଖ ଆର୍ଥିକ ସହାୟତା ପାଇଛନ୍ତି। ଏନେଇ ପ୍ରମୁଖ କୃଷି ସଚିବ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।
ପ୍ରଧାନମନ୍ତ୍ରୀ-କିଷାନ ଯୋଜନାରେ ଓଡ଼ିଶାର ଅନେକ ଚାଷୀ ଯୋଗ ଦେଇଥିବା ଉଲ୍ଲେଖ କରି ସେ କହିଛନ୍ତି ଯେ, ସାମ୍ପ୍ରତିକ ପ୍ରୟାସ ଯୋଗୁ ଅଂଶଗ୍ରହଣରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୩.୪୩ ଲକ୍ଷରୁ ଅଧିକ ଚାଷୀଙ୍କ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ରାଜ୍ୟ ସାରା କୃଷକମାନଙ୍କ ପାଇଁ ଅନ୍ତର୍ଭୁକ୍ତ ସହାୟତା ସୁନିଶ୍ଚିତ କରିବା, ସେମାନଙ୍କ ଜୀବିକା ବୃଦ୍ଧି କରିବା ଏବଂ କୃଷି ଉତ୍ପାଦକତାରେ ଉନ୍ନତି ଆଣିବା। ଚାଷୀମାନଙ୍କୁ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରୁଥିବା ପ୍ରଧାନମନ୍ତ୍ରୀ-କିଷାନ ଯୋଜନା, ସାରା ଭାରତରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ଜୀବିକା ବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି।










